ନୂଆଦିଲ୍ଲୀ: ଆରମ୍ଭ ହେବାକୁ ହେଉଛି ପାର୍ବଣ ଋତୁ । ଯଦିଓ କୋରୋନା ସଙ୍କଟ ମଧ୍ୟରେ ପର୍ବପର୍ବଣୀ ଧୁମଧାମରେ ପାଳନ ହେବ ନାହିଁ କିନ୍ତୁ କିଣାକିଣି ତ ଚାଲିବ । ଏଥିମଧ୍ୟରେ ଚୀନ ବିରୋଧୀ ସ୍ବର ଶାଣିତ ସହ ସ୍ବଦେଶୀ ବ୍ୟବହାର ନାରା ତେଜିଛି ।
କିନ୍ତୁ ଏ ବର୍ଷ ସୀମା ସଂଘର୍ଷ ପରେ ଚୀନ ସାମଗ୍ରୀ ବର୍ଜନ ପାଇଁ ଭାରତୀୟ ଅଣ୍ଟା ଭିଡିଲେଣି । ରାକ୍ଷୀ, ଦୀପାବଳୀରେ ଚୀନ ଭାରତରେ କୋଟି କୋଟି ଟଙ୍କାର ସାମଗ୍ରୀ ବିକ୍ରି କରି ଯେଉଁ ଲାଭ କମାଉଥିଲା , ତାହା ଏଥର ହେବ ନାହିଁ । ଦୋକାନରେ କେବଳ ସ୍ବଦେଶୀ ଜିନିଷ ବିକ୍ରି ହେବ । ଏଥିପାଇଁ ଅଭିଯାନ ଆରମ୍ଭ କରିଛି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ।
ଭାରତରେ ଆଗାମୀ ପର୍ବପର୍ବାଣୀ ସିଜନରେ ଚୀନ ଆମଦାନୀ ସାମଗ୍ରୀର ବହିସ୍କାର ପାଇଁ ଆନ୍ଦୋଳନ ଡାକରା ଦେଇଛି ସିଏଆଇଟି । ସିଏଆଇଟି କହିଛି କି, ସେ ‘ମେଡ ଇନ ଇଣ୍ଡିଆ ’ ସାମଗ୍ରୀ ସୁନିଶ୍ଚିତ କରିବା ପାଇଁ ଏକ ବିସ୍ତୁତ ରଣନୀତି ପ୍ରସ୍ତୁତ କରିଛି । ଦେଶରେ ସ୍ବଦେଶ ସାମଗ୍ରୀ ପର୍ଯ୍ୟାପ୍ତ ରହିଛି । ଏସବୁ ବିକ୍ରି କରାଯିବାକୁ ବ୍ୟବସାୟୀଙ୍କୁ ଆହ୍ବାନ ଦିଆଯାଇଛି ।
ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲୱଲ ସମସ୍ତ ବାଣିଜ୍ୟ ସଂଘଗୁଡିକୁ ଜଣାଇଛନ୍ତି କି, ଅଗଷ୍ଟ 3ରୁ ରାକ୍ଷୀ ସହିତ ପାର୍ବଣ ଋତୁ ଆରମ୍ଭ ହେଉଛି । ଏହା ନଭେମ୍ବର 25 ଯାଏଁ ଚାଲିବ । ଆଉ ଦେଶରେ ପାର୍ବଣ ନେଇ ସବୁ ସାମଗ୍ରୀ ପ୍ରସ୍ତୁତ ହେଉଛି । ଏଣୁ ଏହି ସମୟରେ ଚୀନ ସାମଗ୍ରୀ କିଣିବା ଆବଶ୍ୟକ ନୁହେଁ ।ପାର୍ବଣ ଋତୁର ସବୁ ପ୍ରମୁଖ ପର୍ବଗୁଡିକରେ ଯେଉଁ ସବୁ ସାମଗ୍ରୀ ବ୍ୟବହାର ହୁଏ ତାହାର ଏକ ଲିଷ୍ଟ କରି ସ୍ବଦେଶୀ ଆହ୍ବାନ ଦେଇଛି ସିଏଆଇଟି ।