ବୌଦ୍ଧ: ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ନବ ନିର୍ବାଚିତ ବୌଦ୍ଧ ବିଧାୟକ ଓ କନ୍ଧମାଳ ସାଂସଦଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ବୌଦ୍ଧର ବିଭିନ୍ନ ସଂଗଠନ ପକ୍ଷରୁ ଉଭୟ ବିଧାୟକ ଓ ସାଂସଦଙ୍କୁ ସ୍ଥାନୀୟ ଟାଉନ ହଲ ଠାରେ ସୋମବାର ସନ୍ଧ୍ୟାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ନବ ନିର୍ବାଚିତ ବିଧାୟକ ପ୍ରଦୀପ କୁମାର ଅମାତ ଓ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତାନନ୍ଦ ସାମନ୍ତଙ୍କୁ ବୌଦ୍ଧ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏକ ରାଲିରେ ବିଧାୟକ ପ୍ରଦୀପ କୁମାର ଅମାତ ସହର ପରିକ୍ରମା କରି ଟାଉନହଲ ଠାରେ ପହଞ୍ଚିବା ପରେ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ସଂଗଠନ ଦ୍ବାରା ପ୍ରଦତ୍ତ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ ।
ଛାତ୍ର ବିଜେଡି, ଯୁବ ବିଜେଡି, ସରପଞ୍ଚ ସଂଘ, ଗାଡିମାଲିକ ସଂଘ, ଓକିଲ ସଂଘ, ମାରଓ୍ବାଡି ଯୁବାମଞ୍ଚ, ବ୍ୟବସାୟୀ ସଂଘ, ଅଟୋଚାଳକ ସଂଘ ଓ ଅନ୍ୟାନ୍ୟ ବହୁ ଅନୁଷ୍ଠାନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ବିଧାୟକ ପ୍ରଦୀପ ଅମାତଙ୍କୁ ପଞ୍ଚମ ଥର ନିର୍ବାଚିତ କରିଥିବାରୁ ବୌଦ୍ଧ ନିର୍ବାଚନ ମଣ୍ଡଳୀର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଥିଲେ । ସେହିପରି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ବୌଦ୍ଧ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସବୁପ୍ରକାର ଚେଷ୍ଟା କରିବା ସହ ସଂସଦୀୟ କ୍ଷେତ୍ରର ସବୁ ବ୍ଲକରେ ଏକ ଜନକଲ୍ୟାଣକାରୀ ସଂଗଠନ କାର୍ଯ୍ୟ କରିବ ବୋଲି ସୂଚନା ଦେଇଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ