ହାଇଦ୍ରାବାଦ: କୋରୋନା ଦ୍ବିତୀୟ ଲହର ଅନେକଙ୍କ ନିଶ୍ବାସରେ ପୂର୍ଣ୍ଣଚ୍ଛେଦ ପକାଇଛି । ଲଗାମ ଛଡା ହୋଇଛି ମୃତ୍ୟୁସଂଖ୍ୟା । ଏଭଳି ସ୍ଥିତିରେ ଅକ୍ସିଜେନ ଓ ଭେଣ୍ଟିଲେଟର ଭଳି ଅନ୍ୟାନ୍ୟ ମେଡିକାଲ ଉପକରଣର ଅଭାବ ସହ କୋରୋନା ବିରୋଧୀ ଲଢେଇ ଜିତିବା କଷ୍ଟସାଧ୍ୟ ହୋଇପଡିଛି । ଅନେକ ସ୍ଥାନରେ ରୋଗୀମାନେ ଭେଣ୍ଟିଲେଟର ନ ପାଇ ଆଖି ବୁଜୁଛନ୍ତି । ତେବେ କୋରୋନାର ଦ୍ବିତୀୟ ଲହର ଦ୍ବାରା ସୃଷ୍ଟ ଏ ସମସ୍ତ ସମସ୍ୟା ପାଇଁ ଶାସନ ବ୍ୟବସ୍ଥା ମଧ୍ୟ ଦାୟୀ । କାରଣ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରୁ ମେଡିକାଲଗୁଡିକୁ ଭେଣ୍ଟିଲେଟର ଯୋଗାଇ ଦିଆଯାଉଥିଲେ ମଧ୍ୟ ଅନେକ ରାଜ୍ୟଗୁଡିକରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗୁଁ ଏହି ଭେଣ୍ଟିଲେଟର ସବୁ ଅଚଳ ପଡିଛି । ଭେଣ୍ଟିଲେଟର ନ ପାଇ ତିଳ ତିଳ ହୋଇ ରୋଗୀ ପ୍ରାଣ ହରାଉଥିବାବେଳେ ଏହାକୁ ଚଳାଇବା ପାଇଁ ଟେକ୍ନିସିଆନ ନଥିବା କାରଣରୁ ଭେଣ୍ଟିଲେଟର ସବୁ ଖତ ଖାଉଛି ।
ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଦେଶରେ ପ୍ରତ୍ୟହ ହାରାହାରି 3 ହଜାର 800 ରୁ 4 ହଜାର ଲୋକେ କୋରୋନାରେ ଆଖି ବୁଜୁଛନ୍ତି । ରୋଗୀଙ୍କ ପରିବାର ଲୋକେ ଭେଣ୍ଟିଲେଟର ପାଇଁ କାକୁତିମିନତି ହେଉଛନ୍ତି । ଭେଣ୍ଟିଲେଟର ନ ପାଇ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ଯାହାକୁ ଦେଖିଲେ ବର୍ତ୍ତମାନ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ସ୍ପଷ୍ଟ ବାରି ହେଉଛି ।
ଯଦି ଆମେ ବିହାର କଥା କହିବା ତେବେ ଗତ ବର୍ଷ ପିଏମ କେୟାର ପାଣ୍ଠିରୁ ରାଜ୍ୟ 30ଟି ଭେଣ୍ଟିଲେଟର ଗ୍ରହଣ କରିଥିଲା । ହେଲେ ସେଥିମଧ୍ୟରୁ ଗୋଟିଏ ବି ବ୍ୟବହାର ହୋଇପାରିନାହିଁ । ଏହାର କାରଣ ଆବଶ୍ୟକୀୟ ଟେକ୍ନିସିଆନର ଅଭାବ । ସେହିପରି ପଞ୍ଜାବକୁ ପିଏମ କେୟାର ପାଣ୍ଠିରୁ 809ଟି ଭେଣ୍ଟିଲେଟର ଦିଆଯାଇଥିଲା । ହେଲେ ସେଥିମଧ୍ୟରୁ 251ଟି ଭେଣ୍ଟିଲେଟର ସରକାରୀ ମେଡିକାଲରେ ଅବ୍ୟବହୃତ ଅବସ୍ଥାରେ ପଡି ରହିଛି । ପଞ୍ଜାବ ସରକାରଙ୍କ କହିବା ମୁତାବକ, ସେଠାରେ କେବଳ ଜଣେ ଇଞ୍ଜିନିୟର ଏହି ଭେଣ୍ଟିଲେଟର ସ୍ଥାପନ କରିବା ପାଇଁ ନିୟୋଜିତ ଅଛନ୍ତି, ଯଦ୍ବାରା ଏଗୁଡିକ ରୋଗୀଙ୍କ କ୍ଷେତ୍ରରେ ବ୍ୟବହୃତ ହୋଇପାରୁନାହିଁ ।
କର୍ଣ୍ଣାଟକ ପିଏମ କେୟାର୍ସରୁ 3025ଟି ଭେଣ୍ଟିଲେଟର ଗ୍ରହଣ କରିଥିବାବେଳେ ସେଥିମଧ୍ୟରୁ କେବଳ 1 ହଜାର 895ଟି ଭେଣ୍ଟିଲେଟର ବ୍ୟବହାର ହୋଇପାରିଛି ଏବଂ ଅବଶିଷ୍ଟ 1 ହଜାର 166ଟି ନିଷ୍କ୍ରିୟ ରହିଛି ।ରାଜସ୍ଥାନ ଗ୍ରହଣ କରିଥିବା 1900 ଭେଣ୍ଟିଲେଟର ମଧ୍ୟରୁ 90 ପ୍ରତିଶତ କାର୍ଯ୍ୟ କରୁଥିବାବେଳେ ବାକି 10 ପ୍ରତିଶତ ସଫ୍ଟୱେର ସର୍ଭିସିଂ ଏବଂ ଅନ୍ୟ କିଛି ସମସ୍ୟା ପାଇଁ ଅଚଳ ରହିଛି । ଏଠାରେ ଟେକ୍ନିସିଆନର ମଧ୍ୟ ଅଭାବ ରହିଛି । ସେହିପରି ହିମାଚଳ ପ୍ରଦେଶକୁ ପିଏମ କେୟାର ଫଣ୍ଡରୁ 500 ଭେଣ୍ଟିଲେଟର ଦିଆଯାଇଥିବାବେଳେ ସେଥିରୁ କେବଳ 48ଟି ବ୍ୟବହୃତ ହେଉଛି । ତେବେ ହିମାଚଳ ପ୍ରଦେଶରେ ରୋଗୀଙ୍କ ସଂଖ୍ୟା କମ୍ ଯୋଗୁଁ ଅବଶିଷ୍ଟ ଭେଣ୍ଟିଲେଟରଗୁଡକ ବ୍ୟବହାର ହେଉନାହିଁ । କେରଳ ମଧ୍ୟ 480ଟି ଭେଣ୍ଟିଲେଟର ଗ୍ରହଣ କରିଥିବାବେଳେ ସେଥିରୁ 36ଟି ଟେକ୍ନିକାଲ ସମସ୍ୟା ପାଇଁ ଅବ୍ୟବହୃତ ହୋଇ ପଡିରହିଛି ।
ଉତ୍ତରାଖଣ୍ଡ ପିଏମ କେୟାର୍ସ ଫଣ୍ଡରୁ 700 ଭେଣ୍ଟିଲେଟର ଗ୍ରହଣ କରିଛି । ମାତ୍ର ଇଞ୍ଜିନିୟରଙ୍କ ଅଭାବ ଯୋଗୁଁ 670ଟି ବ୍ୟବହୃତ ହେଉଥିବା ବେଳେ ଅବଶିଷ୍ଟ 30ଟି ସ୍ଥାପିତ ହୋଇପାରିନାହିଁ । ଛତିଶଗଡ ମଧ୍ୟ 230 ଭେଣ୍ଟିଲେଟର ପିଏମ ଫଣ୍ଡରୁ ଗ୍ରହଣ କରିଥିଲା । ଯେଉଁଥିରୁ 70 ଟି ଭେଣ୍ଟିଲେଟର ବୈଷୟିକ ତ୍ରୁଟି ରହିଥିଲା । ହେଲେ ସେଥିମଧ୍ୟରୁ 60ଟି ଠିକ୍ ହୋଇଥିବାବେଳେ ବାକି ସବୁ ଅଚଳ ରହିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ଦ୍ବିତୀୟ ଲହର ତାଣ୍ଡବ ରଚାଇଛି । ବହୁସଂଖ୍ୟକ ଗୁରୁତର ରୋଗୀ ମେଡିକାଲରେ ଭର୍ତ୍ତି ହେବା ଯୋଗୁଁ ଆଇସିୟୁ ଏବଂ ଭେଣ୍ଟିଲେଟରର ଆବଶ୍ୟକତା ରହିଥିଲା । ଫଳରେ ପିଏମ କେୟାର୍ସରୁ ଦିଲ୍ଲୀକୁ 990 ଭେଣ୍ଟିଲେଟର ଯୋଗାଇ ଦିଆଯାଇଥିଲା । ତେବେ ଏହି ସମସ୍ତ ଭେଣ୍ଟିଲେଟରଗୁଡିକ ରାଜଧାନୀର ବିଭିନ୍ନ ହସ୍ପିଟାଲଗୁଡିକରେ ବ୍ୟବହୃତ ହେଉଛି । ସେଠାକାର ଡାକ୍ତରଙ୍କ କହିବା ଅନୁସାରେ, ଭେଣ୍ଟିଲେଟରର କୌଣସି ସମସ୍ୟା ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ