କଳାହାଣ୍ଡି: ମାସିକ 2ହଜାର ଟଙ୍କା ଛାତ୍ରବୃତ୍ତି ଦେବାକୁ କହି ଠକେଇ କରୁଥିବା ପଞ୍ଛି ଏଜୁକେଶନାଲ ଟ୍ରଷ୍ଟର 3 ଜଣଙ୍କୁ କେସିଙ୍ଗା ପୋଲିସ ଗିରଫ କରିଛି । ଗତ କିଛିଦିନ ହେଲା ଏହି ସଂସ୍ଥା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିରକ୍ଷର ଛାତ୍ରଛାତ୍ରୀଙ୍କୁ ମାସିକ 2ହଜାର ଟଙ୍କା ବୃତ୍ତି ଭାବେ ଦେବାକୁ କହି ଅଭିଭାବକମାନଙ୍କ ଠାରୁ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହୋଇଥିଲା । ସଂସ୍ଥାର କାର୍ଯ୍ୟକଳାପରେ କେତେକ ଅଭିଭାବକ ସନ୍ଦେହ ପ୍ରକାଶ କରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କେସିଙ୍ଗା ପୋଲିସ 3ଜଣଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚୁରା ଆରମ୍ଭ କରିଥିଲା । ସେମାନଙ୍କ କାର୍ଯ୍ୟକଳାପରୁ ଠକେଇର ପ୍ରମାଣ ପାଇ କେସିଙ୍ଗା ପୋଲିସ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁର ପରମେଶ୍ବର ସୁନା, ଅରଡା ଗାଁର ମାନସ ରଞ୍ଜନ ସୁନା ଓ କୁଡ଼ାସିଙ୍ଗା ଗାଁର ବବୁ ବାହାନ ବାରିକ । ବବୁ ବାହାନ ଟ୍ରଷ୍ଟର ସମ୍ପାଦକ ଭାବରେ କାର୍ଯ୍ୟକରୁଥିବା ବେଳେ ପରମେଶ୍ବର ଓ ମାନସରଞ୍ଜନ କେସିଙ୍ଗା ଥାନା ବଗାଡ଼ ଗାଁର ଏକ ଭଡା ଘରେ ଅଫିସ କରି କାମକରୁଥିଲେ । ଏମାନେ କେସିଙ୍ଗା ଥାନା ଅଞ୍ଚଳର ବିଭିନ୍ନ ଗାଁକୁ ଯାଇ ଛାତ୍ରବୃତ୍ତି ଦେବାକୁ କହି ଜଣ ପିଛା 3ଶହ ଟଙ୍କା ଲେଖାଏଁ ଆଦାୟ କରୁଥିଲେ । ପୋଲିସ ସୂଚନା ଅନୁସାରେ, ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରର ଖଣ୍ଡଗିରି ଅଞ୍ଚଳରେ ଥିବାବେଳେ ଆଞ୍ଚଳିକ କାର୍ଯ୍ୟାଳୟ ବଲାଙ୍ଗୀର ଜିଲ୍ଲାରେ ରହିଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ