କେନ୍ଦ୍ରାପଡା: ଲୋକସଭା ନିର୍ବାଚନ ପାଇଁ ବିଜେଡି ତାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । କେନ୍ଦ୍ରାପଡା ଲୋକସଭା ନିର୍ବାଚନ ପାଇଁ ବିଜେଡି ସାରିଲା ତାର ଅଙ୍କକଷା । ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ଓଲିଉଡ ଷ୍ଟାର ଅନୁଭବ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଘୋଷଣା କରିଛି । ଏନେଇ ଇଟିଭି ଗତ ୨୩ ତାରିଖରେ ଅନୁଭବ ପ୍ରାର୍ଥୀ ହେବାନେଇ ପ୍ରଥମ ଖବର ପ୍ରକାଶ ପାଇଥିଲା।
ଆଜି ସନ୍ଧ୍ୟାରେ ଅନୁଭବଙ୍କ ନାମ ଘୋଷଣା ହେବାପରେ ବିଜେଡି କର୍ମୀମାନେ କରିଥିଲେ ସେଲିବ୍ରେସନ । କେନ୍ଦ୍ରାପଡ଼ା ମେଡିକାଲ ଛକ ଓ ପୁରୁଣା ମଟରଷ୍ଟାଙ୍ଗଠାରେ ବାଣ ଫୁଟାଇବା ସହ ନବୀନ ପଟ୍ଟନାୟକ ଜିନ୍ଦାବାଦ, ଅନୁଭବ ମହାନ୍ତି ଜିନ୍ଦାବାଦ, ବିଜୁ ପଟ୍ଟନାୟକ ଅମର ରହେ ନାରା ଦେଇଥିଲେ । ସେପଟେ ଲୋକସଭା ଆସନରୁ ବିଜେଡି ଦୁଇ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହେବ ବୋଲି କହିଛନ୍ତି ଦଳୀୟ କର୍ମୀ ତଥା ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା।
ସେହିଭଳି କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମଧ୍ୟ ଦୃଢୋକ୍ତି ଦେଇଛନ୍ତି । ସେ କହିଛନ୍ତି କେନ୍ଦ୍ରାପଡ଼ା ମାଟି ହେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମାଟି। ତେଣୁ ଏହି ଆସନରେ ଦଳ ନିଶ୍ଚୟ ବିଜୟୀ ହେବ । ପୂର୍ବରୁ ବୈଜୟନ୍ତ ବିଜେପି ଟିକେଟ ପାଇଁ ଦଳୀୟ ପ୍ରଚାର ଆରମ୍ଭ କରିଥିବାବେଳେ ଗତ ମିଶନ ଶକ୍ତି ସମାବେଶରେ ଅନୁଭବଙ୍କ ଯୋଗଦାନ ତାଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ କରିବା ଲୋକମାନେ କଳ୍ପନା କରିଥିଲେ ।
ତେବେ ଆଜି ସନ୍ଧ୍ୟାରେ ବିଜେଡି କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଭାବରେ ଅନୁଭବଙ୍କ ନାମ ଘୋଷଣା କରିବା ପରେ କେନ୍ଦ୍ରାପଡ଼ାରେ ଅଦିନିଆ ଦୀପାବଳି ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା ହେଉଛି ବିଜୁବାବୁଙ୍କ କର୍ମଭୂମି, ଏଠାକାର ଲୋକ ବହୁତ ବିଶ୍ୱାସୀ, ଏମାଟି ବିଶ୍ୱାସଘାତକଙ୍କୁ ଜବାବ ଦେଇଥାଏ ବୋଲି ମିଶନ ଶକ୍ତି ସମାବେଶରେ ଯୋଗଦେବା ସମୟରେ କହିଥିଲେ ପ୍ରାର୍ଥୀ ଅନୁଭବ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ