ବ୍ରହ୍ମପୁର: ମହଙ୍ଗା ପଡିଲା କୋଭିଡ ଗାଇଡଲାଇନର ଉଲ୍ଲଙ୍ଘନ କରି ସର୍ବସାଧାରଣରେ ବିବାହ ଶୋଭାଯାତ୍ରା କରିବା ଓ ଘୋଡା ଉପରେ ବସି ବିନା ମାସ୍କ ପିନ୍ଧି ପରିକ୍ରମା କରିବା । ଦୁଇ ବର ସହିତ ତାଙ୍କ ବାପାଙ୍କ ବିରୁଦ୍ଧରେ ହେଲା କାର୍ଯ୍ୟାନୁଷ୍ଠାନ ।

ସାରା ଦେଶ କୋଭିଡର ଦ୍ବିତୀୟ ଲହରରେ ଏକ ପ୍ରକାର ହାହାକାର ପଡିଥିବାବେଳେ ଏଭଳି ସମୟରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଦୁର୍ବନ୍ଧ ପଞ୍ଚାୟତ ଗୋଦାରାପଲ୍ଲୀ ଗ୍ରାମରେ ଗତକାଲି ରାତିରେ ବିବାହ ଶୋଭାଯାତ୍ରା ପରିକ୍ରମା କରିବା ଖବର ଜଣାପଡିବା ପରେ ପ୍ରଶାସନିକ ଅଧିକାରୀ ଭାବରେ ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ସ୍ଥାନୀୟ ଥାନାଧିକାରୀ ଅଭିମନ୍ୟୁ ଦାଶ ଓ କର୍ମଚାରୀ ମାନେ ପହଞ୍ଚି କୋଭିଡ୍ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ତହସିଲଦାର ପ୍ରଭାତ କୁମାର ପରିଡ଼ା ଏନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ତହସିଲଦାରଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ମାମଲା -୨୫୪/୨୧ ରୁଜୁ କରିବା ସହ ବିବାହ କରିଥିବା ଦୁଇ ଭାଇ କେ.ବସନ୍ତ ଓ କେ.ସୁଶାନ୍ତ ଏବଂ ତାଙ୍କ ବାପା କେ.ରାମମୂର୍ତ୍ତିଙ୍କୁ ଥାନାକୁ ଆଣି ପଚରା ଉଚରା କରାଯିବା ପରେ ତାଙ୍କ ଠାରୁ ଲିଖିତ ଆକାରରେ ରଖାଯିବା ପରେ ଛଡାଯାଇଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାଶ ସୂଚନା ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ