ଲକ୍ଷ୍ନୌ: ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ରାକେଶ ସଚାନଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ । 35 ବର୍ଷ ତଳର ଗେଟି ବା ବାଲାଷ୍ଟ ଚୋରି ମାମଲାରେ କାନପୁରର ଏସିଏମ୍ ତୃତୀୟ କୋର୍ଟ ମନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନକୁ ସଂରକ୍ଷିତ ରଖିଛନ୍ତି । ମନ୍ତ୍ରୀଙ୍କ ବିରୋଧରେ ବାଲାଷ୍ଟ ଚୋରି ଅଭିଯୋଗ ହୋଇଥିଲା ।
ଗତକାଲି(ଶନିବାର) ମାମଲାର ଶୁଣାଣି କରି ରାକେଶଙ୍କୁ ସାବ୍ୟସ୍ତ କରି ଦଣ୍ଡବିଧାନକୁ ସଂରକ୍ଷିତ ରଖିଛନ୍ତି । ତେବେ କୋର୍ଟର ଶୁଣାଣି ପୂର୍ବରୁ ରାକେଶ ସଚାନ ଆତ୍ମସମର୍ପଣ କରିଥିଲେ । ସୂଚନା ଅନୁଯାୟୀ, ବିଚାରପତି ନିଷ୍ପତ୍ତି ଘୋଷଣା କରିବା ପୂର୍ବରୁ ସଚାନ ପଳାଇ ଯାଇଥିଲେ, ପରେ ପୋଲିସ ତାଙ୍କୁ ଖୋଜା ଖୋଜି କରିବା ମଧ୍ଯରେ ସେ ଆସି ଆତ୍ମସମର୍ପଣ କରିଥିଲେ ।
35 ବର୍ଷ ପୂର୍ବେ ରେଳୱେ ଠିକାଦାର ରାକେଶ ସଚାନାଙ୍କ ବିରୋଧରେ ବାଲାଷ୍ଟ ଚୋରି ଅଭିଯୋଗ କରିଥିଲେ । ଆଇପିସିର ଧାରା 389 ଏବଂ 411 ଅନୁଯାୟୀ ସଚାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପୋଲିସ ଚୋରି ହୋଇଥିବା ବାଲାଷ୍ଟକୁ ମଧ୍ୟ ଜବତ କରିଥିଲା । ଏହି ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଶେଷରେ ଶନିବାର କୋର୍ଟ ସଚାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନକୁ ସଂରକ୍ଷିତ ରଖିଛନ୍ତି ।