ହାଇଦ୍ରାବାଦ: ଯା ଦେବୀ ସର୍ବ ଭୂତେଷୁ... ମାତୃ ରୁପେଣ ସଂସ୍ଥିତା... ନମସ୍ତସ୍ତେ ନମସ୍ତସ୍ତେ ନମସ୍ତସ୍ତେ ନମୋ ନମଃ.. ଆଜି ଠାରୁ ଆରମ୍ଭ ହୋଇଛି ଦୁର୍ଗେତି ନାଶିନୀ, ଜଗତ ଜନନୀ, ଶକ୍ତି ସ୍ବରୂପିଣି ମା' ଦୁର୍ଗାଙ୍କ ନବରାତ୍ରୀ ପୂଜା(Navratri) । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶକ୍ତିପୀଠ । ନଅ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ବରୂପିଣୀ ମା’ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା ପାଇବେ । ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ ନବରାତ୍ରୀ ପୂଜା । ପ୍ରତିବର୍ଷ ଶରତ ଋତୁରେ ଏହି ନବରାତ୍ରୀ ପାଳନ କରାଯାଇଥାଏ । ତେବେ ବର୍ଷକର ୪ଟି ନବରାତ୍ରୀ ମଧ୍ୟରୁ ଚୈତ୍ର ଓ ନବରାତ୍ରର ମହତ୍ତ୍ବ ରହିଛି । ନବରାତ୍ରରେ ଶ୍ରଦ୍ଧାଳୁ ପେଣ୍ଡାଲରେ ମା’ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପିତ କରି ୯ ଦିନ ଧରି ପୂଜା ଉପାସନା କରିବେ । ନବରାତ୍ରରେ ଶକ୍ତି ପୀଠ ଗୁଡ଼ିକରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ ।
ମା'ଙ୍କ ନଅଟି ରୂପ
ନବରାତ୍ରୀରେ ନଅଟି ରୂପରେ ପୂଜା ପାଇବେ ମା' । ଆଜି ଶୈଳପୁତ୍ରୀ ରୂପରେ ପୂଜା କରାଯିବ । ଏହା ପରେ ୮ଦିନ ପର୍ଯ୍ୟନ୍ତ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ରୂପରେ ମା'ଙ୍କୁ ପୂଜା କରାଯିବ ।
ଆଜି ଶୈଳପୁତ୍ରୀ(Shailputri) ରୂପରେ ପୂଜା ପାଇବେ ମା'
ନବରାତ୍ରୀର ପ୍ରଥମ ଦିନରେ ମା' ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ । ପୌରାଣିକ ମତ ଅନୁସାରେ, ପର୍ବତରାଜା ହିମାଳୟଙ୍କ କନ୍ୟା ରୂପେ ଜନ୍ମ ନେଇଥିବାରୁ ଶୈଳପୁତ୍ରୀ ନାଁରେ ଖ୍ୟାତ । ପୂର୍ବ ଜନ୍ମରେ ଦକ୍ଷ ରାଜାଙ୍କ କନ୍ୟା ସତୀ ନାମରେ ଜନ୍ମ ନେଇଥିଲେ । ସେହି ସମୟରେ ସେ ଭଗବାନ ଶିବଙ୍କୁ ବିବାହ କରିଥିଲେ । ପ୍ରଜାପତି ଦକ୍ଷ ଯଜ୍ଞରେ ସତୀ ନିଜକୁ ଭସ୍ମ କରି ଶୈଳପୁତ୍ରୀ ରୂପେ ଜନ୍ମ ଗ୍ରହଣ କରିଥିଲେ । ଶୈଳପୁତ୍ରୀଙ୍କୁ ପାର୍ବତୀ ଓ ହୈମବତୀ ନାଁ ମଧ୍ୟ ରହିଛି ।
କଳସ ସ୍ଥାପନା
ନବରାତ୍ରୀର ପ୍ରଥମ ଦିନ କଳସ ସ୍ଥାପନା କରାଯାଏ । ଏହା ସହିତ ନବରାତ୍ରୀର ଆରମ୍ଭ ହୋଇଥାଏ । କଳସ ସ୍ଥାପନା ପୂର୍ବରୁ ଗୁରୁ, ଅଗ୍ରପୂଜ୍ୟ, ଶଙ୍କର ଭଗବାନ ଓ ବିଷ୍ଣୁ ଦେବତାଙ୍କୁ ଆହ୍ବାନ କରାଯାଇଥାଏ । ଏହାପରେ ବିଧି ମୁତାବକ ମନ୍ତ୍ର ପାଠ କରି କଳସ ସ୍ଥାପନା କରାଯାଏ ।
ନବରାତ୍ରୀରେ ରହିଛି ୯ ରଙ୍ଗର ମାନ୍ୟତା
୯ ଦିନିଆ ପର୍ବର ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ରଙ୍ଗ ପାଇଁ ଉତ୍ସର୍ଗୀକୃତ । ଯେପରିକି ପ୍ରଥମ ଦିନ ଲାଲ ରଙ୍ଗ, ଦ୍ବିତୀୟ ଦିନ ନୀଳ, ତୃତୀୟ ଦିନ ହଳଦିଆ, ଚତୁର୍ଥ ଦିନ ସବୁଜ, ପଞ୍ଚମ ଦିନ ଧୂସର, ଷଷ୍ଠ ଦିନ କମଳା, ସପ୍ତମ ଦିନ ଧଳା, ଅଷ୍ଟମ ଦିନ ଗୋଲାପୀ ଓ ନବନ ଦିନ ଆକାଶୀ ନୀଳ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି ସଭିଏଁ ।
କେଉଁଠି କେମିତି ନବରାତ୍ରୀ ପୂଜା
ଭାରତର ବିଭିନ୍ନ ଅଞ୍ଚଳରେ ନବରାତ୍ରୀକୁ ବିଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି । ଉତ୍ତର ଭାରତରେ ସମସ୍ତ 9 ଦିନରେ ଉପବାସ ପାଳନ କରାଯାଉଥିବା ବେଳେ ଗୁଜୁରାଟ ଏବଂ ପଶ୍ଚିମ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଗରବା ଏବଂ ଦାଣ୍ଡିଆ କରି ପାଳନ କରିଥାନ୍ତି । ପଶ୍ଚିମବଙ୍ଗ ଏହାକୁ ଦୂର୍ଗା ପୂଜା ଆକାରରେ ପାଳନ କରାଯାଇଥିବାବେଳେ ଦକ୍ଷିଣ ଭାରତରେ କୋଲୁ ରୂପେ ପାଳନ କରାଯାଏ ।