ହାଇଦ୍ରାବାଦ: ଲୋକଙ୍କୁ ଦେଶ ଦୁନିଆରେ ଘଟୁଥିବା ତମାମ ଘଟଣା ବିଷୟରେ ସୂଚନା ପ୍ରଦାନ କରିବାରେ ଭୂମିକା ଗ୍ରହଣ କରିଛି ଟେଲିଭିଜନ । ପରିବର୍ତ୍ତିତ ଦୁନିଆ ସହିତ ସୂଚନା ଓ ମନୋରଞ୍ଜନ ମାଧ୍ୟମ ବଦଳିବାକୁ ଲାଗିଛି । ଏହିପରି ସ୍ଥଳେ ଘରେ ଘରେ ସୂଚନା ଓ ମନୋରଞ୍ଜନର ଏକ ମାଧ୍ୟମ ପାଲଟିଛି ଟିଭି। ଟେଲିଭିଜନ ଏପରି ଏକ ମାଧ୍ୟମ ଯେଉଁଥିରେ ଲୋକ ଖବରକୁ ଶୁଣିବା ସହିତ ତାର ସମ୍ପର୍କି ଭିଡିଓ ଦେଖିଥାନ୍ତି । ବିଶ୍ବରେ ଅଧିକାଂଶ ଲୋକଙ୍କୁ ଶିକ୍ଷିତ କରିବାରେ ଟେଲିଭିଜନକୁ ମାଧ୍ୟମ ଭାବରେ ବ୍ୟବହାର କରାଯାଏ । ସଂଚାର ଓ ସୂଚନା ପ୍ରସାର କ୍ଷେତ୍ରରେ ଏହି ଏକ ପ୍ରଭାବଶାଳୀ ମାଧ୍ୟମ । ଟେଲିଭିଜନ ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୨୧ରେ ବିଶ୍ବ ଟେଲିଭିଜନ ଦିବସ ଭାବରେ ପାଳନ କରାଯାଏ ।
ଟେଲିଭିଜନ ଏକ ଜନ ମାଧ୍ୟମ ଯାହା ଲୋକଙ୍କୁ ମନୋରଞ୍ଜନ, ଶିକ୍ଷା, ସମାଚାର, ରାଜନୀତି, ସ୍ବାସ୍ଥ୍ୟ ଆଦି ସମ୍ବନ୍ଧିତ ଖବର ଯୋଗାଇଦେଇଥାଏ । ବିଶ୍ବରେ ଯେଉଁ ସମସ୍ୟା ଲୋକମାନଙ୍କୁ ବେଶି ପ୍ରଭାବିତ କରୁଛି ତାହାକୁ ଟେଲିଭିଜନ ଦ୍ବାରା କିପରି ଦୂର କରାଯାଇପାରିବ ତାହା ଏହି ଦିବସର ଏକ ଲକ୍ଷ୍ୟ ଭାବେ ଗ୍ରହଣ କରାଯାଇଛି । ସମାଜ ଉପରେ ପ୍ରଭାବ ପକାଉଥିବା ଗୁରୁତ୍ତ୍ବପୂର୍ଣ୍ଣ ସମସ୍ୟା ଉପରେ ନିରପେକ୍ଷ ମତ ବା ଖବର ପରିବେଷଣ କରି ସେଥିରେ ସୁଧାର ଆଣିବାରେ ଟେଲିଭିଜନ ମିଡିଆକୁ ସରକାର, ଅନୁଷ୍ଠାନ ତଥା ବ୍ୟକ୍ତିମାନେ ସମର୍ଥନ ଜଣାଇ ଏହି ଦିବସ ପାଳନ କରାଯାଉଛି । କୋରୋନା କାଳରେ ଟେଲିଭିଜନର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ରହିଛି। ଘର ଭିତରେ ସମସ୍ତଙ୍କୁ ଆବଦ୍ଧ କରି ରଖିବାରେ ଏହା ଖୁବ ସହାୟ ହୋଇଛି ।
ପୂର୍ବରୁ ୧୯୩୬ ମସିହାରେ ବ୍ରିଟିଶ୍ ବ୍ରୋଡକାଷ୍ଟିଂ କର୍ପୋରେସନ (ବିବିସି) ପ୍ରଥମ କରି ବିଶ୍ବରେ ଟେଲିଭିଜନ ପ୍ରସାରଣ କରିଥିଲା । ଟେଲିଭିଜନ ବିଷୟରେ ଅନେକ ତଥ୍ୟ ଥିଲେ ବି ଭାରତରେ ପ୍ରଥମେ ୧୯୫୦ ମସିହାରେ ଟିଭି ଦେଖିବାକୁ ମିଳିଥିଲା ବୋଲି 'ଇଣ୍ଡିଆନ ଏକ୍ସପ୍ରେସ' ଏକ ରିପୋର୍ଟ ପ୍ରକାଶ। ଏହାପରେ ୧୯୫୯ ମସିହା ସେପ୍ଟେମ୍ବର ୧୫ ତାରିଖରେ ଦିଲ୍ଲୀର ଏକ ଛୋଟିଆ ଟ୍ରାନ୍ସମିଟର ଓ ଗୋଟେ ଉଠା ଷ୍ଟୁଡିଓରୁ ଟେଲିଭିଜନ ପ୍ରସାରଣ ଆରମ୍ଭ କରିଥିଲା । ୟୁନେସ୍କୋ ସହାୟତାରେ ଏହା ପ୍ରଥମେ ପ୍ରସାରଣ ଆରମ୍ଭ କରିଥିଲା । ୧୯୯୬ ନଭେମ୍ବର ୨୧ରେ ମିଳିତ ଜାତିସଂଘ ପକ୍ଷରୁ ପ୍ରଥମ ବିଶ୍ବ ଟେଲିଭିଜନ ଫୋରମ ଅନୁଷ୍ଠିତ ହୋଇଥିଲା । ସେବେଠାରୁ ସମାଜରେ ଟେଲିଭିଜନର ଗୁରୁତ୍ବ ଉପଲବ୍ଧି ପାଇଁ ବିଶ୍ବ ଟେଲିଭିଜନ ଦିବସ ପାଳିତ ହୋଇଆସୁଛି ।
ଧିରେ ଧିରେ ଟିଭି ସହିତ ଜନ୍ମ ନେଇଥିଲା ଦୂରଦର୍ଶନ । ଏହାପରେ ୧୯୬୧ ମସିହାରେ ଏହି ପ୍ରସାରଣ ଏକ ସ୍କୁଲ୍ ଏଜୁକେସନାଲ ଟେଲିଭିଜନ (ଏସଟିଭି) ପ୍ରକଳ୍ପ ରୂପେ କାର୍ଯ୍ୟକାରୀ ହୋଇଥିଲା । ୧୯୬୫ ମସିହା ପରେ ଦୂରଦର୍ଶନ ରେଗୁଲାର ଚାଲିବା ଆରମ୍ଭ କରିଥିଲା । ଏହି ସମୟରେ ଦୂରଦର୍ଶନରେ ମାତ୍ର ୫ ମିନିଟର ବୁଲେଟିନ୍ ଆରମ୍ଭ ହୋଇଥିଲା । ଏହାପରେ ୧୯୬୭ ମସିହା ଜାନୁୟାରୀ ୨୬ ତାରିଖରେ ଦୂରଦର୍ଶନରେ ପ୍ରଥମେ କୃଷି ଦର୍ଶନ ନାମକ ଏକ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା । 1980 ମସିହାରେ ଧିରେ ଧିରେ ଭାରତରେ ଟେଲିଭିଜନ ସଂଖ୍ୟା ବଢିବାରେ ଲାଗିଲା । ପ୍ରଥମେ କଳାଧଳା ପରେ ଆଉ ପରେ ରଙ୍ଗାୀନ ଟିଭି ଆସିଲା । ସେତେବେଳେ ଟିଭି ଦେଖିବାର ମଜା ଥିଲା କିଛି ନିଆରା । ଆଉ ବର୍ତ୍ତମାନ ଲୋକ ଟିଭି ଅପେକ୍ଷା ମୋବାଇଲ ଫୋନକୁ ବ୍ୟବହାର କରୁଛନ୍ତି । ହେଲେ ଟିଭି ସ୍ଥାନ କେହି ନେଇପାରିବ ନାହିଁ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ