କୋଲକାତା: ପଶ୍ଚିମବଙ୍ଗ ପୂର୍ବ ମେଦିନପୁର ଜିଲ୍ଲାରେ ଏକ ଜଘନ୍ୟ ଘଟଣା ଦେଖିବାକୁ ମିଳିଛି । ଘରୋଇ କଳି ହେବାରୁ ଶ୍ବଶୁରଙ୍କ ସମ୍ବେଦନଶୀଳ ଅଙ୍ଗ କାଟି ଦେଲେ ମହିଳା । ଏହି ଘଟଣା ନେଇ ସୂଚନା ମିଳିବା ପରେ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାନିଆ ଥାନାଞ୍ଚଳ ବାକ୍ଚା ଗ୍ରାମରେ ଏହି ଘଟଣା ଘଟିଛି ।
ଗ୍ରାମରେ ଶିଖା ନାମକ ମହିଳା ପାଖରେ ଥିବା ନିଜ ବାପା ଘରେ ମାଂସ ରନ୍ଧା ହୋଇଥିବା ଜାଣିବାକୁ ପାଇଥିଲେ । ସେ ବାପା ଘରକୁ ଯିବାକୁ ନିଜ ସ୍ବାମୀଙ୍କୁ ଅନୁମତି ମାଗିଥିଲେ । ତେବେ ଏହାକୁ ନେଇ ମନା କରିଥିଲେ ଶିଖାଙ୍କ ସ୍ବାମୀ । ସେ ଘରକୁ ମାଂସ ନେଇ ଆସିବେ ବୋଲି କହିଥିଲେ । ଏଥିରେ କ୍ରୋଧାନ୍ବିତ ହୋଇ ଶିଖା ନିଜ ସ୍ବାମୀ ସହ ଶ୍ବଶୁର ଘର ଲୋକଙ୍କୁ ଗାଳି କରିବା ଆରମ୍ଭ କରିଦେଲେ ।
ଶିଖାଙ୍କୁ ବୁଝାଇବାକୁ ତାଙ୍କ ଶ୍ବଶୁର ଆସିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ ଶିଖା । ଏହାପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା । ଏହାରି ମଧ୍ୟରେ ଶିଖା ଶ୍ବଶୁରଙ୍କ ସମ୍ବେଦନଶୀଳ ଅଙ୍ଗ କାଟି ଦେଇଥିଲେ । ପ୍ରାଣ ବିକଳରେ ବୃଦ୍ଧ ଜଣକ ପାଟି କରିବାରୁ ସ୍ଥାନୀୟ ଲୋକ ଆସି ଶିଖାକୁ କାବୁ କରିବା ସହ ବୃଦ୍ଧଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଇଥିଲେ ।
ଏହାପରେ ଶିଖାକୁ ବାନ୍ଧି ଦେଇଥିଲେ ସ୍ଥାନୀୟ ଲୋକେ । ତେବେ କୌଣସିମତେ ଶିଖା ସେଠାରୁ ଖସିଯାଇ ବାପଘରକୁ ଚାଲି ଯାଇଥିଲେ । ଏହାକୁ ନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଶିଖାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାପରେ ଶିଖା ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।