ହାଇଦ୍ରାବାଦ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଲଢେଇ (Ukraine Russia War ) ଲଗାତାର ଜାରି ରହିଛି । ଏହି ଆକ୍ରମଣ ପ୍ରତିଆକ୍ରମଣ ଆଜି ସପ୍ତମ ଦିନରେ ଆହୁରି ତୀବ୍ରତର ହେବାରେ ଲାଗିଛି । ଫଳରେ ଏବେ ସେଠାରେ ଫସିଥିବା ଭାରତୀୟ ଛାତ୍ର ସମେତ ଅନ୍ୟ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଦେଶବାସୀ ପ୍ରାର୍ଥନା କରୁଛନ୍ତି । ଫସିଥିବା ଛାତ୍ରଛାତ୍ରୀଙ୍କ ପ୍ରିୟ ପରିଜନ ମଧ୍ୟ ବର୍ତ୍ତମାନ ସ୍ଥିତିରେ ବେଶ ଚିନ୍ତିତ ହୋଇପଡିଛନ୍ତି ।
ଅପରେସନ ଗଙ୍ଗା ଜୋରଦାର
ହେଲେ ଆଶ୍ବସ୍ତିର ବିଷୟ ଫସିଥିବା ଛାତ୍ରଛାତ୍ରୀ ଓ ପ୍ରବାସୀ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଭାରତ ସରକାର 24 ଘଣ୍ଟା କାମ କରିବା ସହ ‘ଅପରେସନ ଗଙ୍ଗା’କୁ ଆହୁରି ତୀବ୍ରତର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତୁହାକୁ ତୁହା ବୈଠକ କରି, 4 ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ବିଭିନ୍ନ ଦେଶକୁ ପଠାଇଛନ୍ତି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନୂଆଦିଲ୍ଲୀରେ ରହି ପୁରା ବିଶ୍ବ ଉପରେ ନଜର ରଖିବା ସହ ଭାରତୀୟଙ୍କ ଉଦ୍ଧାର ପାଇଁ ସମ୍ବନ୍ଧିତ ଦେଶ ସହ ଲଗାତାର ଆଲୋଚନା କରୁଛନ୍ତି । ବରିଷ୍ଠ ଅଧିକାରୀ ମାନେ ଉଭୟ ଋଷ ଓ ୟୁକ୍ରେନ ପ୍ରଶାସନ ସହ ବିଭିନ୍ନ ସମୟରେ ଆଲୋଚନା କରି ଭାରତୀୟଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଲାଗିଛନ୍ତି । ଏହାବାଦ ହଙ୍ଗେରୀ, ପୋଲାଣ୍ଡ ରୋମାନିଆ ସ୍ଲୋଭାକିଆରେ ଥିବା ଭାରତୀୟ ରାଷ୍ଟ୍ରଦୂତ ମାନେ ପୁରା ଆକ୍ସନରେ ଅଛନ୍ତି । ଅବସ୍ଥାପିତ ଦେଶ ରାଷ୍ଟ୍ରଦୂତ ମାନେ ଛାତ୍ରଛାତ୍ରୀଙ୍କ ସମସ୍ତ ପ୍ରକାର ସୁବିଧା ସୁଯୋଗ କରୁଛନ୍ତି । ଏହାରି ମଧ୍ୟରେ 2 ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାରତ ଫେରି ଆସିଲେଣି । ଆସନ୍ତା 2 ରୁ 4 ଦିନ ମଧ୍ୟରେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଆଜି ଠାରୁ ବାୟୁସେନାକୁ ମଧ୍ୟ ଦାୟିତ୍ବ ଦେଇଛନ୍ତି । ଏଥିପାଇଁ ବାୟୁସେନାର C-17 ଗ୍ଲୋବ ମାଷ୍ଟର ମଧ୍ୟ ମୈଦାନକୁ ଓହ୍ଲାଇ ସାରିଛି ।
ଅଧିକାଂଶ ଛାତ୍ର ଡାକ୍ତରୀ ଛାତ୍ର
ଯୁଦ୍ଧ ଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କ ମଧ୍ୟରେ ସର୍ବାଧିକ ଡାକ୍ତରୀ ଛାତ୍ର ରହିଛନ୍ତି । ଡାକ୍ତର ହେବାର ସ୍ବପ୍ନ ପୂରଣ ପାଇଁ ଭାରତରୁ ପ୍ରାୟ ସାଢେ 5 ହଜାର କିମି ଦୂରରେ ଅବସ୍ଥିତ ୟୁକ୍ରେନର ବିଭିନ୍ନ ମେଡିକାଲ କଲେଜକୁ ଚାଲିଯାଇଥାନ୍ତି ଭାରତୀୟ ଛାତ୍ରମାନେ । ହେଲେ ପ୍ରଶ୍ନ ଉଠୁଛି ଅନେକ ଉନ୍ନତ ବିକଶିତ ଦେଶ ଥାଉ ଥାଉ ୟୁରୋପର ଏହି ଛୋଟିଆ ଦେଶକୁ ଡାକ୍ତରୀ ପାଠ ପଢିବା ପାଇଁ ଯିବାର କାରଣ କଣ? କାହିଁକି ୟୁକ୍ରେନକୁ ବାଛିଥାନ୍ତି ଭାରତୀୟ ଛାତ୍ର? ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ଯିବାର କାରଣ କଣ? କଣ ଆମ ଦେଶରେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ସେତେ ଭଲ ଭିତ୍ତିଭୂମି ନାହିଁ ? ନା ଆଉ କଣ ରହିଛି କାରଣ? ଯାହା ଜାଣିବା ଜରୁରୀ?
ଡାକ୍ତରୀ ପାଠ୍ୟକ୍ରମ ପାଇଁ ହୋଇଥାଏ କମ ଖର୍ଚ୍ଚ
ରିପୋର୍ଟ ଅନୁସାରେ ୟୁକ୍ରେନରେ ଡାକ୍ତରୀ ପଢିବା ପାଇଁ ଭାରତରେ ହେଉଥିବା ଖର୍ଚ୍ଚ ଠାରୁ ଅଧା ଖର୍ଚ୍ଚ ହୋଇଥାଏ । ଭାରତରେ ଡାକ୍ତରୀ ପଢିବା ପାଇଁ ସରକାରୀ ମେଡିକାଲ କଲେଜରେ ବାର୍ଷିକ ଅଢେଇରୁ 3 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଘରୋଇ କଲେଜରେ ଏହା 10 ରୁ 12 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ଛାତ୍ରଛାତ୍ରୀଙ୍କୁ । ଅର୍ଥାତ ଭାରତ ଘରୋଇ ମେଡିକାଲ କଲେଜରେ ଡାକ୍ତରୀ ପାଠ୍ୟକ୍ରମ ପାଇଁ 5 ବର୍ଷରେ 60 ରୁ ପାଖାପାଖି 70 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଆବଶ୍ୟକ ସ୍ଥଳେ କଲେଜର ଭିତ୍ତିଭୂମି ସୁବିଧା ସୁଯୋଗ ଦେଖି ଏହି ଖର୍ଚ୍ଚ ବଢିଥାଏ । ସରକାରୀ କଲେଜରେ ସର୍ବାଧିକ 15 ରୁ 20 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ପୁରା 5 ବର୍ଷରେ। କିନ୍ତୁ ୟୁକ୍ରେନରେ ଏମବିବିଏସ ପାଠ୍ୟକ୍ରମ ପାଇଁ ବାର୍ଷିକ ସର୍ବାଧିକ 4 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୁରା ପାଠ୍ୟକ୍ରମ ପାଇଁ 25 ରୁ 30 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଏଥିରେ ଛାତ୍ରଛାତ୍ରୀଙ୍କ ଟିଉସନ ଫି’ କଲେଜର ଅନ୍ୟାନ୍ୟ ଫି ଓ ରହିବା ଖାଇବା ମଧ୍ୟ ଅନ୍ତର୍ଭୁକ୍ତ ଥାଏ । ଯାହା ଭାରତରେ ହେଉଥିବା ଖର୍ଚ୍ଚ ଠାରୁ ପ୍ରାୟତଃ ଅଧା ।
ଆବଶ୍ୟକ ଅନୁସାରେ ଦେଶରେ ମିଳିନଥାଏ ସିଟ୍
ଦେଶର ବିଭିନ୍ନ ଶିକ୍ଷାବିତଙ୍କ ମତରେ ଭାରତରେ ମେଡିକାଲ ପାଠ୍ୟକ୍ରମ ପଢିବା ପାଇଁ ଆବଶ୍ୟକ ହେଉଥିବା ସିଟ ଓ ଭିତ୍ତିଭୂମି ନାହିଁ । ଅର୍ଥାତ ବର୍ଷକୁ ଯେତିକି ଆବେଦନକାରୀ ଆସିଥାନ୍ତି ସେତିକି ସିଟ ନଥାଏ । ଫଳରେ ଗୋଟିଏ ସିଟ ପାଇବା ପାଇଁ ପ୍ରତିଯୋଗୀତା ବହୁ କଠିନ ହୋଇଥାଏ । ଏଥିପାଇଁ ଜାତୀୟ ସ୍ତରରେ ହେଉଥିବା (National Eligibility cum Entrance Test) ବା ନିଟରେ ଉତ୍ତୀର୍ଣ୍ଣ ହେବାକୁ ପଡିଥାଏ । ଏଠି ଉତ୍ତୀର୍ଣ୍ଣ ହେଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସିଟ ମିଳିନଥାଏ । କାରଣ ଆବେଦନକାରୀ ବା ଆଶାୟୀଙ୍କ ସଂଖ୍ୟା ଦେଶରେ ସିଟ ଅନୁସାରେ ବହୁତ ଅଧିକ । ଦେଶରେ ବର୍ତ୍ତମାନ 88 ହଜାର MBBS ସିଟ ଥିବାବେଳେ, ଆୟୁଷ ପାଠ୍ୟକ୍ର ପାଇଁ 57 ହଜାର, BDS ପାଠ୍ୟକ୍ରମ ପାଇଁ 27 ହଜାର ସିଟ ରହିଛି । ଗତ 2021 ବର୍ଷ ପାଇଁ ସର୍ବଭାରତୀୟ ସ୍ତରରେ 16 ଲକ୍ଷ ଛାତ୍ର ଛାତ୍ରୀ ନିଟ(NEET) ପରୀକ୍ଷା ଦେଇଥିଲେ । ଏଥିରୁ ସ୍ପଷ୍ଟ ଯେ ପ୍ରାୟ ସାଢେ 14 ଲକ୍ଷ ମେଡିକାଲ ଆଶାୟୀ ଛାତ୍ରଛାତ୍ରୀ ଦେଶରେ ପଢିବାର ସୁଯୋଗ ବା ସିଟ ପାଇନାହାଁନ୍ତି । ଫଳରେ ଛାତ୍ରଛାତ୍ରୀ ମେଡିକାଲ ପଢିବା ପାଇଁ ୟୁକ୍ରେନ, ବେଲାଋଷ ଓ ଋଷ ଭଳି ଦେଶକୁ ଚାଲିଯାଉଛନ୍ତି ।
NEET ପରୀକ୍ଷା ଦେଇଥିଲେ ମିଳିବ ସିଟ
ଏହା ବ୍ୟତୀତ ୟୁକ୍ରେନରେ MBBs, BDS କିମ୍ବା ଆୟୁଷ ପାଠ୍ୟକ୍ରମ ପାଇଁ ନିଟ’ ଭଳି ଅନ୍ୟ କୌଣସି ଏଣ୍ଟ୍ରାନ୍ସ ଦେବାକୁ ପଡିନଥାଏ । ଯଦି ଜଣେ ଭାରତୀୟ ଛାତ୍ର ଦେଶରେ ନିଟ ପରୀକ୍ଷାର ସମ୍ମୁଖୀନ ହୋଇଥାନ୍ତି ତେବେ ତାଙ୍କୁ ଏହି ସବୁ ଦେଶରେ ଆଉ କୌଣସି ଏଣ୍ଟ୍ରାନ୍ସ ବା ପ୍ରବେଶିକା ପରୀକ୍ଷାର କିମ୍ବା ଡୋନେସନ ଦେବାକୁ ପଡିନଥାଏ । ସେହି ଛାତ୍ର ମାନଙ୍କୁ ସିଧା ସଳଖ ନିଟ ପରୀକ୍ଷା ଆଧାରରେ ୟୁକ୍ରେନ ହେଉ କି ବେଲାଋଷ ବା ଋଷରେ ସିଟ ମିଳିଯାଇଥାଏ । ତଥା ନିଟ ପରୀକ୍ଷାର ରାଙ୍କ ସେଠି କୌଣସି ମାନ୍ୟତା ନଥାଏ ।
ୟୁକ୍ରେନ ମେଡିକାଲ ଡିଗ୍ରୀକୁ ବୈଶ୍ବିକ ମାନ୍ୟତା
ଏହାସହ ୟୁକ୍ରେନରେ ଡାକ୍ତରୀ ପଢିବା ପାଇଁ ଆଉ ଏକ ଭଲ କାରଣ ହେଉଛି, ଏଠିକାର ଡିଗ୍ରୀକୁ ବିଶ୍ବବ୍ୟାପୀ ମାନ୍ୟତା ମିଳିଛି । ଅର୍ଥାତ World health Council(WHC) Indian Medical Council (imc), Europe medical council ର ମଧ୍ୟ ମାନ୍ୟତା ମିଳିଛି । ଫଳରେ ଜଣେ ଡାକ୍ତରୀ ଛାତ୍ର ୟୁକ୍ରେନରେ ପାଠ ପଢି ମଧ୍ୟ ଭାରତ, ଆମେରିକା, ବ୍ରିଟେନ, ୟୁରୋପ ସମେତ ବିଶ୍ବର ଅନ୍ୟାନ୍ୟ ଦେଶରେ ପ୍ରାକ୍ଟିକସ ସହ ଚାକିରୀ ମଧ୍ୟ କରି ପାରିବେ । ଯାହା ଫଳରେ ଭାରତୀୟ ଛାତ୍ରଛାତ୍ରୀଙ୍କ ୟୁକ୍ରେନ ହେଉଛି ଅନ୍ୟ ଏକ ପସନ୍ଦ ।
ସୁଦୃଢ ସ୍ବାସ୍ଥ୍ୟ ଭିତ୍ତିଭୂମି
ଏତତ ବ୍ୟତୀତ ୟୁକ୍ରେନରେ କମ ଜନସଂଖ୍ୟା, ପ୍ରାକୃତିକ ସଂଶାଧନ, ଉନ୍ନତ ମାନର ପ୍ରଯୁକ୍ତି ବିଦ୍ୟା, ସ୍ବାସ୍ଥ୍ୟକ୍ଷେତ୍ରରେ ସୁଦୃଢ ଭିତ୍ତିଭୂମି ରହିଛି । ଯାହା ଛାତ୍ରଛାତ୍ରୀଙ୍କୁ ପାଠ ପଢା ବ୍ୟତୀତ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିଥାଏ । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ୟୁକ୍ରେନ ବିଶ୍ବର ଅନେକ ବିତ୍ତଶାଳୀ ଅତ୍ୟାଧୁନିକ ଦେଶକୁ ଟକ୍କର ମଧ୍ୟ ଦେଇଥାଏ ।
FMGE ପରୀକ୍ଷାରେ ବିଫଳ ହୋଇଥାନ୍ତି ଭାରତୀୟ ଛାତ୍ର
ତେବେ ୟୁକ୍ରେନରେ ଡାକ୍ତରୀ ପଢି ଜଣେ ଛାତ୍ର ଛାତ୍ରୀ ଭାରତରେ ସିଧା ସଳଖ ପ୍ରାକ୍ଟିକସ କରିପାରନ୍ତି ନାହିଁ । କାରଣ ବିଦେଶରେ ଡାକ୍ତରୀ ପଢିଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ପ୍ରାକ୍ଟିକସ କରିବା ପାଇଁ ହେଲେ ଏଫଏମଜିଇ ବା (Foreign Medical Graduates Examination) ଦେବାକୁ ପଡିଥାଏ । ଯାହାର ଆୟୋଜନ କରିଥାଏ ଏନବିଇ ବା (National Board of Examination) ଏହି ପରୀକ୍ଷା ବର୍ଷକୁ 2 ଥର ହୋଇଥାଏ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ହିଁ ଜଣେ ୟୁକ୍ରେନ କଲେଜରୁ ଉତ୍ତୀର୍ଣ୍ଣ ମଡିକାଲ ଛାତ୍ର ଭାରତରେ ପ୍ରାକ୍ଟିକସ କରିବା ପାଇଁ ସୁଯୋଗ ପାଇଥାନ୍ତି । କିନ୍ତୁ ଆଶ୍ଚର୍ଯ୍ୟକର କଥା ୟୁକ୍ରେନରେ ପଢୁଥିବା ସର୍ବାଧିକ ଛାତ୍ରଛାତ୍ରୀ FMGE ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥାନ୍ତି । NBEର ରିପୋର୍ଟ ଅନୁସାରେ ପ୍ରତି 4 ହଜାର ୟୁକ୍ରେନରେ ପଢିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରାୟ 7 ଶହ ଛାତ୍ରଛାତ୍ରୀ FMGE ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି । ତଥାପି ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନରେ ପଢିବା ପାଇଁ ଯାଇଥାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ