ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ ‘ନାରୀଶକ୍ତି ବନ୍ଦନ ଅଧିନିୟମ’ । ଆଜି ପୂର୍ବାହ୍ନରେ ଆଗତ ହୋଇ ପରେ ଦିନ ତମାମ ଚର୍ଚ୍ଚା ପରେ ରାତିରେ ଭୋଟିଂ ମାଧ୍ୟମରେ ଏହି ବିଲ୍ ଉଚ୍ଚସଦନରେ ପାରିତ ହୋଇଛି । ସପକ୍ଷରେ ମୋଟ 215 ସଦସ୍ୟ ମତଦାନ କରିଛନ୍ତି । ବିଲ ବିପକ୍ଷରେ କୌଣସି ଭୋଟ ପଡିନି । ଆଜି ଚର୍ଚ୍ଚାର ଶେଷରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରି ବକ୍ତବ୍ୟ ରଖିଥିଲେ । ଏହାକୁ ଐତିହାସିକ ବୋଲି କହି ସ୍ବଚ୍ଛତାର ସହ ଭୋଟିଂ ହେବା ନେଇ ଆଶାବ୍ୟକ୍ତ କରିଥିଲେ ।
ତେବେ ଗତକାଲି ଲୋକସଭାରେ ପାରିତ ହୋଇଥିବା ଏହି ବିଲ ସଂସଦ ସ୍ବତନ୍ତ୍ର ଅଧିବେଶନର 4ର୍ଥ ଦିନରେ ଆଜି ରାଜ୍ୟସଭାରେ ମଧ୍ୟ ପାରିତ ହୋଇଛି । କ୍ରମାଗତ ଦୁଇଦିନରେ ସଂସଦର ଉଭୟ ସଦନରେ ଏହା ପାରିତ ହେବା ପରେ ଆଇନରେ ପରିଣତ ହେବାକୁ ଯାଉଛି । ସଂସଦ ସଚିବାଳୟ ଏହି ପାରିତ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇବ । ଏହି ଅଧିନିୟମ ଅନୁସାରେ, ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳାଙ୍କୁ ମୋଟ ଆସନର ଏକ-ତୃତୀୟାଂଶ ବା 33 ପ୍ରତିଶତ ଆସନ ସଂରକ୍ଷଣ ମିଳିବ ।
18 ତାରିଖରେ ସଂସଦ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ପରେ 19 ତାରିଖରେ ‘ନାରୀଶକ୍ତି ବନ୍ଦନ ଅଧିନିୟମ’ ନିମ୍ନସଦନ ଲୋକସଭାରେ ଆଗତ ହୋଇଥିଲା । 20 ତାରିଖରେ (ଗତକାଲି) ଚର୍ଚ୍ଚା ପରେ ସଂଧ୍ୟାରେ ଭୋଟିଂ ହୋଇଥିଲା । ବିଲ୍ ସପକ୍ଷରେ ମୋଟ 454 ଭୋଟ ଓ ବିପକ୍ଷରେ ମାତ୍ର 2ଟି ଭୋଟ ପଡିଥିଲା । ତେବେ ଆଜି ରାଜ୍ୟସଭାରେ ଆଗତ ହେବା ସହ ଚର୍ଚ୍ଚା ହୋଇଥିଲା । ଶେଷରେ ମୋଟ 215 ଜଣ ସାଂସଦ ଭୋଟିଂରେ ଅଂଶଗ୍ରହଣ କରିଥିଲେ । ଗୃହରେ ଉପସ୍ଥିତ ସମସ୍ତ ସାଂସଦ ବିଲ ସପକ୍ଷରେ ଭୋଟ ଦେଇଥିବା ବେଳେ କୌଣସି ଭୋଟ ବିଲ ବିରୋଧରେ ପଡିନଥିଲା ।
ଏହା ମଧ୍ୟ ପଢନ୍ତୁ:- Women's Reservation Bill: ଲୋକସଭାରେ ପାରିତ, ସପକ୍ଷରେ 454 ଓ ବିପକ୍ଷରେ 2 ଭୋଟ
ତେବେ ଏହା ଏବେ ଉଭୟ ଗୃହରେ ପାରିତ ହେଲେ ସୁଦ୍ଧା ଏହି ସଂରକ୍ଷଣ ନିୟମକୁ ନିର୍ବାଚନ ମଣ୍ଡଳୀ ପୁନଃସୀମା ନିର୍ଦ୍ଧାରଣ ପରେ ହିଁ ଲାଗୁ କରାଯିବ । ତେବେ ଏହି ନିୟମ ଲାଗୁ ହେବା ପୂର୍ବରୁ ଜନଗଣନା ଓ ସଦ୍ୟତମ ତଥ୍ୟ ଅନୁସାରେ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ପୁନଃ ସୀମା ନିର୍ଦ୍ଧାରଣ ହେବା ଜରୁରୀ । ଏପରି ସ୍ଥିତିରେ ପରବର୍ତ୍ତୀ ଜନଗଣନା 2027 ମସିହାରେ ହେବାର ସମ୍ଭାବନା ରହିଛି । ଏହି ଜନଗଣନା ଫଳାଫଳ ଆଧାରରେ ଦେଶରେ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ପରିସୀମା ପୁନଃନିର୍ଦ୍ଧାରିତ ହେବ । ତେଣୁ 2024 ସାଧାରଣ ନିର୍ବାଚନରେ ଏହି ଆଇନର କାର୍ଯ୍ୟକାରିତା ନେଇ କୌଣସି ପ୍ରଶ୍ନ ମଧ୍ୟ ଉଠୁନାହିଁ । ଯାହାକୁ ବିରୋଧୀମାନେ ପ୍ରସଙ୍ଗ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ