କୋଲକାତା: ଭଙ୍ଗାରୁଜା, ରକ୍ତପାତ, ଅତର୍କିତ ଆକ୍ରମଣ , ଅଗ୍ନିକାଣ୍ଡ ଆଉ ହତ୍ୟା ! ଏସବୁ ଏବେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରର ଚିତ୍ର । ବହୁମତ ସହ ତୃତୀୟ ଥର ଟିଏମସି କ୍ଷମତାସୀନ ହେବା ପରେ ବଦଳିଛି ପଶ୍ଚିମବଙ୍ଗର ଦୃଶ୍ୟ । ହିଂସାର ରାଜୁତି ଗଣତନ୍ତ୍ରର ବିରାଟ ପର୍ବକୁ କରିଛି କଳଙ୍କିତ । ବିରୋଧୀଙ୍କୁ ବିଜୟୀ ଦଳର ଏଭଳି ନିନ୍ଦନୀୟ ଆକ୍ରମଣ ଦେଶକୁ କରିଛି ଆଚମ୍ବିତ ।
ପଶ୍ଚିମବଙ୍ଗରେ ଘୋଷଣା ହୋଇସାରିଛି ବିଧାନସଭା ନିର୍ବାଚନର ଫଳାଫଳ । ପ୍ରଚଣ୍ଡ ବହୁମତ ସହିତ ହ୍ୟାଟ୍ରିକ ବିଜୟ ପରେ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବ ତୃଣମୂଳ କଂଗ୍ରେସ । ଆଉ ବିଜେପିକୁ ମାତ ଦେଇ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିବା ମମତା ବାନାର୍ଜୀ ମେ 5ରେ ନେବେ ସମ୍ବିଧାନର ଶପଥ ।
ବଙ୍ଗ ନିର୍ବାଚନରେ ଜନାଦେଶ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଯାଇଛି ଖେଲା । ଏହା ବିକାଶର ନୁହେଁ ବର ହିଂସା ଓ ରକ୍ତପାତର ଖେଳ । କେଉଁଠି ଭଙ୍ଗାରୁଜା ତ ଆଉ କେଉଁଠି ଚାଲିଛି ଜଳାପୋଡା । ଆଉ ଏହାରି ଭିତରେ ନୀରିହ ଲୋକଙ୍କ ରକ୍ତରେ ଭିଜୁଛି ବଙ୍ଗ ମାଟି ।
ପଶ୍ଚିମବଙ୍ଗରେ ଫଳାଫଳ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଯାଇଥିଲା ନିର୍ବାଚନୀ ହିଂସା । ବିପୁଳ ବିଜୟ ହାସଲ କରିଛି ତୃଣମୂଳ କଂଗ୍ରେସ । ଏହାସତ୍ତ୍ବେ ମଧ୍ୟ ଆରାମବାଗରେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ ଟିଏମସି କାର୍ଯ୍ୟକର୍ତ୍ତା । ନିଆଁରେ ବିଜେପି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଜଳିଯାଇଛି ।
ସେପଟେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ ସହିତ ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ନନ୍ଦିଗ୍ରାମ ମହାସଂଗ୍ରାମର ଅନ୍ତ ଘଟିଛି । ହେଲେ ଏଠାରେ ଚାଲିଥିବା ହିଂସାରେ ପଡୁନି ପୂର୍ଣ୍ଣଛେଦ । ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମାତ ଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ହୋଇଛି ଆକ୍ରମଣ । ଫଳାଫଳ ଘୋଷଣା ପରେ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରକୁ କରାଯାଇଛି ପଥରମାଡ ।
ସୋମବାର ମଧ୍ୟ ନନ୍ଦିଗ୍ରାମରେ ହୋଇଛି ହଙ୍ଗାମା । ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଭଙ୍ଗାରୁଜା ସହ ଜାଳିଦେବାକୁ ପ୍ରୟାସ କରାଯାଇଥିବା ଅଭିଯୋଗ ହୋଇଛି । ଏପଟେ ବର୍ଦ୍ଧମାନରେ ମଧ୍ୟ ବିଜେପି ଓ ତୃଣମୂଳ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ହୋଇଛି ସଂଘର୍ଷ ।
ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାରେ ବର୍ତ୍ତମାନସୁଦ୍ଧା 3 ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଥିରେ ଦକ୍ଷିଣ 24 ପ୍ରଗଣା, ନଦିଆରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଛି । ବର୍ଦ୍ଧମାନରେ ମଧ୍ୟ 3 ଜଣଙ୍କ ମୃତ୍ୟୁ ନେଇ ସାମ୍ନାକୁ ଆସିଛି ଖବର ।
ନିର୍ବାଚନ ଫଳାଫଳ ଘୋଷଣାର 24 ଘଣ୍ଟା ପରେ ଯଦି ଏଭଳି ସ୍ଥିତି , ତେବେ ଆଗକୁ କଣ ହେବ ? ରାଜନୈତିକ ବିରୋଧୀଙ୍କୁ ଶତ୍ରୁ ଭଳି ବ୍ୟବହାରର କେବେ ଶେଷ ? ଏସବୁ ପ୍ରଶ୍ନ ମଧ୍ୟରେ ଦିଦିଙ୍କ ରାଜରେ ଦାଦାଗିରି ଚାଲିଥିବା ଚାରିଆଡେ ଚର୍ଚ୍ଚା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ