କୋଲକାତା: ୟୁନିଫର୍ମ ସିଭିଲ କୋର୍ଡ କାର୍ଯ୍ୟକାରିତା ନେଇ ଦେଶର ରାଜନୀତି ଉଷ୍ମ ହେବାରେ ଲାଗିଛି । ଏହାରି ମଧ୍ୟରେ ବିଭିନ୍ନ ବିରୋଧୀ ରାନୈତିକ ଦଳ ସମେତ ମୁସଲିମ ପର୍ସନାଲ ଲ’ ବୋର୍ଡ ଏହାରି କାର୍ଯ୍ୟକାରିତାକୁ ବିରୋଧ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ମଧ୍ୟରେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ନୋବେଲ ଓ ଭାରତରତ୍ନ ବିଜେତା ଅମର୍ତ୍ତ୍ୟ ସେନ ଏହାକୁ ଭିନ୍ନ ଢଙ୍ଗରେ ଶାଣିତ ସମାଲୋଚନା କରିଛନ୍ତି । ଏହାକୁ କାର୍ଯ୍ୟକାରିତା କରାଯିବା ଏକ ଧୋକା ଓ ଏହା ହିନ୍ଦୁରାଷ୍ଟ୍ର ଗଠନର ଏକ ଯୋଜନା ବୋଲି କହିଛନ୍ତି ସେନ ।
ଆଜି ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟର ଏକ ଛାତ୍ରଗୋଷ୍ଠୀଙ୍କ ସହ ନିଜ ବାସଭବନରେ ସମ୍ବାଦ ବେଳେ ଏହି ପ୍ରସଙ୍ଗରେ ସେ ଏପରି ଆଭିମୁଖ୍ୟ ରଖିଛନ୍ତି । କହିଛନ୍ତି, ଏହା ଏକ ଧୋକା ବ୍ୟତୀତ କିଛି ନୁହେଁ । ଏହା ସମସ୍ତଙ୍କୁ ଜଣାଅଛି । ଏହାକୁ ହିନ୍ଦୁରାଷ୍ଟ୍ର ଗଠନ ପାଇଁ ଲାଗୁ କରାଯିବା ନେଇ ଯୋଜନା ରଖାଯାଇଛି ।
ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ସେନ କହିଥିଲେ,‘‘ ଆମ ଭିତରେ ଅନେକ ମାତ୍ରାରେ ଭିନ୍ନତା ରହିଛି । ଧାର୍ମିକ କାରଣରୁ ଆମେ ଭିନ୍ନ ଓ ଭିନ୍ନ ଭାବେ ଏକାଧିକ ନିୟମ ପାଳନ କରିଥାନ୍ତି । କିନ୍ତୁ ଆମେ ସମସ୍ତେ ଏକ । ଆମେ ହଜାର ହଜାର ବର୍ଷ ଧରି ୟୁନିଫର୍ମ ସିଭିଲ କୋର୍ଡ ସହିତ ରହି ଆସିଛୁ । ବର୍ତ୍ତମାନ ଏହା କୁହାଯାଇପାରେ ଯେ ୟୁନିଫର୍ମ ସିଭିଲ କୋର୍ଡର କାର୍ଯ୍ୟକାରିତା ଦିଗରେ ଏକ ପଦକ୍ଷେପ ଗ୍ରହଣ କରାଯିବାକୁ ପ୍ରୟାସ କରାଯାଉଛି । ଆମକୁ ଚିନ୍ତା କରିବାକୁ ପଡ଼ିବ ଯେ ଏହାର କାର୍ଯ୍ୟକାରିତା ଦ୍ୱାରା କିଏ ଲାଭବାନ ହେବେ ।
ତେବେ ଏହାକୁ ଚଳିତ ସଂସଦ ଅଧିବେଶନରେ ଆଗତ କରାଯିବା ନେଇ ପ୍ରସ୍ତୁତି ପ୍ରାୟତଃ ଚୂଡାନ୍ତ ପର୍ଯ୍ଯାୟରେ ପହଞ୍ଚିଛି । ଏହାକୁ ଲାଗୁ କରିବା ପୂର୍ବରୁ ଦେଶରେ ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି । ବିଭିନ୍ନ ବିରୋଧୀ ଦଳ ଭିନ୍ନ ଭିନ୍ନ ଆଭିମୁଖ୍ୟ ରଖୁଛନ୍ତି । କେହି କେହି ଏହାର କାର୍ଯ୍ୟକାରିତାକୁ ସିଧା ବିରୋଧ କରୁନଥିବା ବେଳେ କାର୍ଯ୍ୟକାରିତା ପୂର୍ବରୁ ବିସ୍ତୃତ ଚର୍ଚ୍ଚା ଓ ସଚେତନାତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଥିବା କଥା ମଧ୍ୟ କହୁଛନ୍ତି । 2014 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ରରେ ବିଜେପି ସରକାର ଗଠନ ହେବା ପରେ ଏହାର କର୍ଯ୍ୟକାରିତା ନେଇ ଦେଶରେ ଚର୍ଚ୍ଚା ରହିଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ