ନୂଆଦିଲ୍ଲୀ: ଶିବସେନା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନି । ବାଚସ୍ପତିଙ୍କ ରାୟ ଆସିବା ପରେ ମଧ୍ଯ ଏହି ପ୍ରସଙ୍ଗରେ ବିବାଦ ଆହୁରି ଘନିଭୂତ ହୋଇଛି । ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ବେକର ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ମନା କରିବା ସହ ସିନ୍ଦେ ଗୋଷ୍ଠୀକୁ ହିଁ ମୁଖ୍ୟ ଶିବସେନା ଭାବେ ଘୋଷଣା କରିଥିଲେ । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିବା ଉଦ୍ଧବ ଠାକରେ ଗୋଷ୍ଠୀ ଏହାକୁ ଆଜି ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଛି ।
ବର୍ଷ 2022 ଜୁନରେ ମହାବିକାଶ ଅଗାଡ଼ି ମେଣ୍ଟ ସହଯୋଗରେ ସରକାର କରିଥିବା ଶିବସେନାରେ ବିଦ୍ରୋହ ଦେଖାଯାଇଥିଲା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମର୍ଥିତ ବିଧାୟକମାନେ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରାହ କରିବା ସହ ନିଜକୁ ମୁଖ୍ୟ ଶିବସେନା ବୋଲି ଦାବି କରିଥିଲେ । ନାଟକୀୟ ଢଙ୍ଗରେ ଗୃହରେ ସଂଖ୍ୟା ବହୁମତ ପ୍ରମାଣିତ ହେବା ପୂର୍ବରୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସିନ୍ଦେ ସମର୍ଥିତ ଗୋଷ୍ଠୀ ବିଜେପି ସହ ମିଶି ସରକାର ଗଠନ କରିବା ସହ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଏହା ବିରୋଧରେ ସେତେବେଳେ ଉଦ୍ଧବ ଗୋଷ୍ଠୀ ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିଥଲେ । ସେଠାରୁ ତାଙ୍କୁ ନିରାଶ ହେବାକୁ ପଡିଥିଲା । ସିନ୍ଦେ ଗୋଷ୍ଠୀକୁ ନିର୍ବାଚନ କମିଶନ ମୁଖ୍ୟ ଶିବସେନା ଘୋଷଣା କରିବା ସହ ଶିବସେନାର ଦଳୀୟ ଚିହ୍ନ ମଧ୍ୟ ପ୍ରଦାନ କରିଥିଲେ । ହେଲେ ଏହାକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଉଦ୍ଧବ ଗୋଷ୍ଠୀ । ଏହି ମାମଲାର ନିର୍ଣ୍ଣୟ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମହାରାଷ୍ଟ୍ର ବାଚସ୍ପତିଙ୍କ ନିକଟକୁ ଆସିଥିଲା । ଯାହାର ରାୟ ଗତ ସପ୍ତାହରେ ବାଚସ୍ପତି ରାହୁଲ ନରଓ୍ବେକର ପ୍ରକାଶ କରିଥିଲେ ।
ହେଲେ ଗତ ସୋମବାର ଏହି ମାମଲାରେ ବାଚସ୍ପତି ରାହୁଲ ନରଓ୍ବେକର ମଧ୍ୟ ସିନ୍ଦେ ଗୋଷ୍ଠୀ ସପକ୍ଷରେ ରାୟ ଦେଇଥିଲେ । ସିନ୍ଦେ ଗୋଷ୍ଠୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସେ ମନା କରିବା ସହ ସିନ୍ଦେ ଗୋଷ୍ଠୀକୁ ମୁଖ୍ୟ ଶିବସେନା ବୋଲି ଘୋଷଣା କରିଥିଲେ । ଏହାକୁ ସମ୍ବିଧାନର ହତ୍ୟା ବୋଲି ଉଦ୍ଧବ ଗୋଷ୍ଠୀ କହିଥିଲା । ସର୍ବୋଚ୍ଚ କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯିବା ନେଇ ପୂର୍ବରୁ ସୂଚନା ଦେଇଥିବା ଉଦ୍ଧବ ଗୋଷ୍ଠୀ ଆଜି ବିଧିବଦ୍ଧ ମାମଲା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ