ଥିରୁଅନନ୍ତପୁରମ: କେରଳର ଏର୍ଣ୍ଣାକୁଲମରେ ଏକ ନିର୍ମାଣାଧୀନ ଅଟ୍ଟାଳିକା ଭୁଶୁଡି ପଡିବା ଫଳରେ ଦୁଇଜଣ ପ୍ରବାସୀ ଓଡିଆ ଶ୍ରମିକ ପ୍ରାଣ ହରାଇଛନ୍ତି । ଉଭୟ ଶ୍ରମିକଙ୍କ ଘର ଗଞ୍ଜାମ ଜିଲ୍ଲାରେ ଓ ସମାନେ ସେଠାରେ ଗତ କିଛି ମାସ ହେବ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି (ବୁଧବାର) କାମ ଚାଲିଥିବା ବେଳେ କୋଠାର ଛାତଟି ଭୁଶୁଡି ପଡିଥିଲା । ଫଳରେ ଭଗ୍ନାବଶେଷ ଭିତରେ ଭଭୟ ପୋତି ହୋଇ ପ୍ରାଣ ହରାଇଥିଲେ ।
ତେବେ ଦୁଇ ଶ୍ରମିକ ହେଲେ, ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅଞ୍ଚଳର ସୁଶାନ୍ତ ନାୟକ ଓ ଶଙ୍କର ନାୟକ । ଏର୍ଣ୍ଣାକୁଲମ ସହରର ଗାନ୍ଧୀ ସ୍କ୍ବେୟାରରେ ନିର୍ମାଣ ଚାଲିଥିବା ଏକ ବିଲ୍ଡିଂରେ ଉଭୟ ନିର୍ମାଣ ଶ୍ରମିକ ଭାବେ ଗତ କିଛି ମାସ ହେବ କାର୍ଯ୍ୟ କରିଆସୁଥୁଲେ । ତେବେ ଗତକାଲି ବୁଧବାର କାମ ଜାରି ରହିଥିବା ବେଳେ ହଠାତ କୋଠାର ଛାତଟି ଭୁଶୁଡି ପଡିଥିଲା । ଭଗ୍ନାବଶେଷ ତଳେ ଉଭୟ ପୋତି ହୋଇଯାଇଥିଲେ । କିଛି ଘଣ୍ଟାର ରେସକ୍ୟୁ ଅପରେସନ ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କାରଯାଇଥିଲା । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଉଭୟ ସୁଶାନ୍ତ ଓ ଶଙ୍କର ପରିବାରର ସାହାରା ଥିବା ବେଳେ ସେମାନଙ୍କ ଅକାଳ ମୃତ୍ୟୁରେ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇପଡିଛି । ଅନ୍ୟପଟେ ସୁଦୂର କେରଳରୁ କିପରି ମୃତଦେହ ଗଞ୍ଜାମରେ ପହଞ୍ଚିବ ସେ ନେଇ ବ୍ୟବସ୍ଥା କରିବା ପାଇଁ ପ୍ରଶାସନକୁ ପରିବାର ସଦସ୍ୟ ନିବେଦନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ