ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସାମ୍ନାକୁ ଆସିଲା ଲଭ ଜିହାଦ ମାମଲା (Love Jihad ) । ନାବାଳିକାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କଲେ ଯୁବକ, ଏଥିରେ ଅମଙ୍ଗ ହେବାରୁ ନାବାଳିକା ଜଣଙ୍କୁ ୪ ମହଲା ବିଲ୍ଡିଂରୁ ତଳକୁ ଠେଲିଦେଲେ ଯୁବକଙ୍କ ବାପା । ଚିକିତ୍ସାଧିନ ଅବସ୍ଥାରେ ନାବାଳିକାର ମୃତ୍ୟୁ ହୋଇଥିବା ସୂଚନା । ଏଭଳି ଅଭିଯୋଗ ଆସିଛି ଉତ୍ତରପ୍ରଦେଶର ଲକ୍ଷ୍ନୌ ସହର ଡୁବଗା ପୋଲିସ ଷ୍ଟେସନ ଅଞ୍ଚଳରୁ । ଥାନାରେ ଅଭିଯୋଗ ପରେ ଘଟଣାର ଛାନଭିନ କରୁଛି ପୋଲିସ । ଅନ୍ୟପଟେ ନାବାଳିକା ଜଣଙ୍କ ନିଜେ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଥିବା କହିଛନ୍ତି ଯୁବକଙ୍କ ବାପା ।
ନାବାଳିକାଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ''ସୁଫିଆନ ନାମକ ଯୁବକ କିଛିମାସ ଧରି ନାବାଳିକା ଜଣଙ୍କୁ ହଇରାଣ କରୁଥିଲା, ପ୍ରତିଦିନ ସେ ସ୍କୁଲ ଯିବା ବେଳେ ସୁଫିଆନ ତାଙ୍କୁ କମେଣ୍ଟ କରିବା ସହ ମଜାକ ଉଡାଉଥିଲା । ଏଥିରେ ନାବାଳିକା ଜଣଙ୍କ ଅତିଷ୍ଠ ହୋଇ ଅଭିଯୋଗ କରିବା ପାଇଁ ପରିବାର ସହ ସୁଫିଆନଙ୍କ ଘରକୁ ଯାଇଥିଲା । କିନ୍ତୁ ଏହି ସମୟରେ ଯୁବକଙ୍କ ବାପା ନାବାଳିକା ଜଣଙ୍କୁ ୪ ମହଲାରୁ ତଳକୁ ଠେଲି ଦେଇଥିଲେ । ଏନେଇ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନାବାଳିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।''
ଏହା ମଧ୍ୟ ପଢନ୍ତୁ-Gujarat Assembly polls: ନାମାଙ୍କନ ପାଇଁ ବଳଦ ଗାଡି-ଘୋଡାରେ ଆସିଲେ ପ୍ରାର୍ଥୀ
ଏନେଇ ପୋଲିସ ଅଧିକାରୀ କହିଛନ୍ତି, ''ବାରମ୍ବାର ଯୁବକଙ୍କ କମେଣ୍ଟ ମରାକୁ ନେଇ ନାବାଳିକା ଜଣଙ୍କ ଚିନ୍ତାରେ ଥିଲେ, ଏଥିପାଇଁ ସେ ଚାରି ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।'' ମୃତ ନାବାଳିକାଙ୍କ ମାଆ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ଯେ, ''ସୁଫିଆନ ଧର୍ମ ପରିବର୍ତ୍ତନକୁ ନେଇ ଅନେକ ଦିନ ଧରି ମୋ ଝିଅ ଉପରେ ଚାପ ପକାଉଥିଲା । ଏ ବିଷୟରେ ଅଭିଯୋଗ କରିବାକୁ ଆମେ ତାଙ୍କ ଘରକୁ ଯାଇଥିଲୁ, ସୁଫିଆନ ଓ ତାଙ୍କ ପିତା ମୋ ଝିଅକୁ ଚାରି ମହଲାକୁ ଠେଲି ଦେଇଥିଲେ ।'' କିନ୍ତୁ ସୁଫିଆନଙ୍କ ବାପା କହିଛନ୍ତି ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଛି ।