ବେଙ୍ଗାଲୁରୁ: ଭାରତର ସ୍ବାଧୀନତା ସଂଗ୍ରାମ ସମୟରେ ଯେଉଁଠି ବି ଜାତୀୟ କଂଗ୍ରେସ ଆନ୍ଦୋଳନ କରୁଥିଲା, ସେଠାରେ ଉଡ଼ୁଥିଲା ତ୍ରିରଙ୍ଗା, ଯାହାକି ଥିଲା ସ୍ବାଧୀନତାର ପ୍ରତୀକ । ତେବେ ଦଳକୁ ତ୍ରିରଙ୍ଗା ଉଡ଼ାଇବା ପାଇଁ ଅନେକ ସଙ୍ଘର୍ଷ କରିବାକୁ ପଡ଼ିଥିଲା । ଇଂରେଜ ସରକାର ଦ୍ବାରା ପ୍ରତିବନ୍ଧକ ଲଗାଯାଇଥିଲେ ମଧ୍ୟ କର୍ଣ୍ଣାଟକର ମନ୍ଦ୍ୟାଶିବପୁର ଠାରେ ତ୍ରିରଙ୍ଗା ଧ୍ବଜା ସତ୍ୟାଗ୍ରହ ସଫଳ ହୋଇଥିଲା ।
କଂଗ୍ରେସ ଭାବିଥିଲା, ଯଦି ତିରଙ୍ଗା ଧ୍ବଜା ସତ୍ୟାଗ୍ରହ ବିଦୁରଶ୍ବତ୍ଥାରେ ଆୟୋଜନ କରାଯାଏ ତେବେ ଏହା ଅନେକ ଲୋକଙ୍କୁ କଂଗ୍ରେସ ପ୍ରତି ଆକର୍ଷିତ କରିପାରିବ । ତେବେ, ଇଂରେଜ ସେନା ଗୋଟିଏ ମାସ ପୂର୍ବରୁ ସତ୍ୟାଗ୍ରହକୁ ଅଟକାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ୧୯୩୮ ମସିହାର ସେହି ଦିନ ଯେତେବେଳେ ସ୍ବାଧୀନତା ସଂଗ୍ରାମୀମାନେ ପତାକା ଉତ୍ତୋଳନ କରିବାକୁ ଉଦ୍ୟମ କଲେ ପୋଲିସ ଲାଠିଚାଳନା ଆରମ୍ଭ କରିଥିଲା । ସଂଗ୍ରାମୀମାନେ ପୋଲିସ ଉପରକୁ ପଥର ଓ ଇଟା ଫିଙ୍ଗିଥିଲେ । ଆଉ ପୋଲିସର ଲାଠି ମାଡରେ ପ୍ରାୟ ୩୨ରୁ ଅଧିକ ସଂଗ୍ରାମୀ ଶହୀଦ ହୋଇଥିଲେ ।
ଐତିହାସିକାର ପ୍ରଫେସର ଗଙ୍ଗାଧର କହିଛନ୍ତି ଯେ, ‘‘ପ୍ରଥମ ଥର ପାଇଁ ପୁରୁଣା ମହୀଶୂର ଅଞ୍ଚଳ ଶିବପୁରା ଠାରେ ଧ୍ବଜା ସତ୍ୟାଗ୍ରହ ଆୟୋଜିତ ହୋଇଥିଲା । ଏହା ଉପରେ ଇଂରେଜ ସରକାରଙ୍କ ପ୍ରତିବନ୍ଧକ ସତ୍ତ୍ବେ ଏହା ସଫଳ ହୋଇଥିଲା । ପୁରୁଣା ମହୀଶୂରରୁ କଂଗ୍ରେସର ଆନ୍ଦୋଳନକାରୀ ଓ ନେତା ଏଥିରେ ଯୋଗ ଦେଇଥିଲେ । ଏହି ଘଟଣା ସଂଗ୍ରାମ ପାଇଁ ଏକ ନୂତନ ଦିଗଦର୍ଶନ ଦେଇଥିଲା । ’’
ଚିକ୍କାବଲ୍ଲାପୁର ଗୌରିବିଦାନୁର ନିକଟ ବିଦୁରଶ୍ବତ୍ଥା ଠାରେ ଗୁଳିକାଣ୍ଡ ହୋଇଥିଲା, ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ଠିକ ୧୯ ବର୍ଷ ପରେ । ଜାଲିଆନାୱାଲାବାଗ୍ ପରି ବିଦୁରଶ୍ବତ୍ଥାରେ ମଧ୍ୟ ଗୋଟିଏ ଛୋଟ ବାଟ ଥିଲା । ଆଉ ସେହି ବାଟ ବନ୍ଦ କରିଦେଲେ ଭିତରେ ଥିବା ଲୋକ ବାହାରକୁ ଯାଇପାରିବେ ନାହିଁ । ସେହି ହଲ୍ର ଝରକା ମଧ୍ୟ ଦେଇ ଗୋରା ସୈନିକ ଗୁଳି ଚଳାଇଥିଲେ । ତେଣୁ ଏହି ଘଟଣା ମଧ୍ୟ ଠିକ୍ ଜାଲିଆନାୱାଲାବାଗ୍ ପରି ଘଟିଥିଲା । ଯାହାକୁ ପରବର୍ତ୍ତୀ ସମୟରେ କର୍ଣ୍ଣାଟକର ଜାଲିଆନାୱାଲାବାଗ୍ ବୋଲି ମଧ୍ୟ କୁହାଗଲା ।
ବିଦୁରଶ୍ବତ୍ଥା ଠାରେ ହୋଇଥିବା ଗୁଳିକାଣ୍ଡକୁ BBC ମଧ୍ୟ ପ୍ରସାରିତ କରିଥିଲା । ଗାନ୍ଧିଜୀ ସେତେବେଳେ ବମ୍ବେରେ ଥିଲେ । ସର୍ଦ୍ଦାର ପଟେଲ ଓ ଆଚାର୍ଯ୍ୟ କୃପାଳିନିଙ୍କୁ ବିଦୁରଶ୍ବତ୍ଥାକୁ ପଠାଯାଇଥିଲା । ବ୍ରିଟିଶ ପତାକା ସହିତ କଂଗ୍ରେସ ପତାକା ଉତ୍ତୋଳନ କରିବା ପାଇଁ ମିର୍ଜା-ପଟେଲଙ୍କ ଚୁକ୍ତି ପୂର୍ବରୁ ହୋଇସାରିଥିଲା । ଏହି ପତାକା ସ୍ବାଧୀନତା ସଂଗ୍ରାମର ପ୍ରତୀକ ଥିଲା । ପତାକାକୁ ଆଗରେ ରଖି ଏକ ଅଭିଯାନ କରିବା କଂଗ୍ରେସର ଉଦ୍ଦେଶ୍ୟ ଥିଲା ।
ଐତିହାସକାର ପ୍ରଫେସର ଗଙ୍ଗାଧରଙ୍କ କହିବା ଅନୁସାରେ ‘‘ବିଦୁରଶ୍ବତ୍ଥା ଘଟଣା ପରେ କଂଗ୍ରେସକୁ କେବଳ ବ୍ରିଟିଶଙ୍କ ବିରୁଦ୍ଧରେ ନୁହେଁ, ବରଂ ସମଗ୍ର ଭାରତରେ ବ୍ରିଟିଶଙ୍କ ଅଧୀନରେ ଥିବା ସଂସ୍ଥାନ ବିରୁଦ୍ଧରେ ଲଢି଼ବାକୁ ଏକ ବାର୍ତ୍ତା ଦିଆଯାଇଥିଲା । ମହୀଶୂର ଅଭିଯାନ ମଧ୍ୟ ଏହାର ଏକ ଅଂଶ ଥିଲା । ଏହି ଗୁଳିକାଣ୍ଡ ପୂର୍ବରୁ ଯେଉଁଠାରେ ସିଧାସଳଖ ବ୍ରିଟିଶ ଶାସନ ଥିଲା ସେଠାରେ କଂଗ୍ରେସ ବ୍ରିଟିଶ ବିରୁଦ୍ଧରେ ଜୋରଦାର ଲଢ଼େଇ କରୁଥିଲା । ତେବେ ଗାନ୍ଧୀ କଂଗ୍ରେସକୁ ସଂସ୍ଥାନ ମାନଙ୍କ ବିରୋଧରେ ଲଢ଼ିବାକୁ ବାରଣ କରିଥିଲେ । ଗାନ୍ଧିଜୀ ମହୀଶୂର ମହାରାଜା ଏବଂ ମିର୍ଜା ଇସମାଇଲଙ୍କ ଶାସନକୁ ବହୁତ ଭଲ ପାଉଥିଲେ । ତେବେ ବିଦୁରଶ୍ବତ୍ଥା ବିଦ୍ରୋହ ଏବଂ ଗୁଳିକାଣ୍ଡ ପରେ ଗାନ୍ଧିଜୀଙ୍କ ମତ ବଦଳିଗଲା ।’’
ଗାନ୍ଧୀ କେବଳ ବ୍ରିଟିଶଙ୍କ ବିରୁଦ୍ଧରେ ନୁହେଁ, ବ୍ରିଟିଶଙ୍କ ଅଧୀନରେ ଥିବା ସଂସ୍ଥାନ ବିରୁଦ୍ଧରେ ମଧ୍ୟ ଦୃଢ଼ ଲଢ଼େଇ କରିବାକୁ ଆହ୍ବାନ ଦେଇଥିଲେ । ଏହା ଥିଲା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଗାନ୍ଧୀ ସମଗ୍ର ଭାରତରେ କଂଗ୍ରେସର ଏକ ଅଭିଯାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ବିଦୁରଶ୍ବତ୍ଥା ଥିଲା ଏହାର କାରଣ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ