ହାଇଦ୍ରାବାଦ: ସାରା ବିଶ୍ବରେ ଦ୍ବିତୀୟ ଲହରର କୋପ କମୁଥିବା ବେଳେ ମାଡି ଆସୁଛି ମହାମାରୀର ତୃତୀୟ ଲହର । ଏହାର ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିବା ସହିତ ଲୋକମାନଙ୍କୁ ସତର୍କ ରହିବା ପାଇଁ ଦେଇଛନ୍ତି ପରାମର୍ଶ । ତେବେ ଭିଡକୁ ଏଡାଇବା ସହିତ କିଛି ଛୋଟ ପରୀକ୍ଷା ପାଇଁ ମେଡିକାଲ ଯିବା ପରିବର୍ତ୍ତେ ଘରେ ମେଡିକାଲ ଡିଭାଇସ ରଖିବା ଆବଶ୍ୟକ । ଫଳରେ ଘରେ ରହି ମଧ୍ୟ ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ଆମେ ହୋଇପାରିବା ଅବଗତ ।
ଏହାର ଅର୍ଥ ନୁହେଁ ଯେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଆଦି ସେବନ କରିବା । କିନ୍ତୁ କୋରୋନା ମହାମାରୀ ବିରୋଧରେ ଲଢେଇ କରିବା ପାଇଁ ନିଜ ଘରେ ଏହି ୧୦ଟି ମେଡିକାଲ ଡିଭାଇସ ରଖିବା ଆବଶ୍ୟକ । ଅକ୍ସିଜେନ ଲେଭେଲ, ବ୍ଲଡ ସୁଗାର ଲେଭେଲ ଆଦି ମାପିବା ପାଇଁ କିଛି ମେଡିକାଲ ଡିଭାଇସ ଘରେ ରଖିବା ନିତାନ୍ତ ଆବଶ୍ୟକ । ତେବେ ଜାଣନ୍ତୁ ଏହି ୧୦ଟି ଗୁରୁତ୍ବପୂର୍ଣ୍ଣ ମେଡିକାଲ ଡିଭାଇସ...
୧. ପଲ୍ସ ଅକ୍ସିମିଟର- ଏହି ଡିଭାଇସ ମାଧ୍ୟମରେ ଜଣେ ବ୍ୟକ୍ତି ନିଜର ଅକ୍ସିଜେନ ଲେଭେଲ ସମ୍ପର୍କରେ ଜାଣିପାରିବ । ଏହା ୫୦୦ରୁ ୨୫୦୦ ଟଙ୍କା ମଧ୍ୟରେ ମିଳିଥାଏ ।
୨. ଡିଜିଟାଲ ବ୍ଲଡ ପ୍ରେସର ମନିଟର- ଏହି ଡିଭାଇସ ମାଧ୍ୟମରେ ବ୍ଲଡ ପ୍ରେସର ଲେଭେଲ ମପାଯାଇଥାଏ । ଏହାର ଦାମ ୨୦୦୦ରୁ ୩୦୦୦ ଟଙ୍କା ମଧ୍ୟରେ ରହିଥାଏ ।
୩. ଡିଜିଟାଲ ଆଇଆର ଥର୍ମୋମିଟର- ଏହି ଡିଭାଇସ ମାଧ୍ୟମରେ ଶରୀରର ତାପମାତ୍ରା ମପାଯାଇଥାଏ । ବିନା ଶରୀର ସ୍ପର୍ଶରେ ଏହି ଡିଭାଇସର ବ୍ୟବହାର କରାଯାଏ । ଏହାର ଦାମ ୯୦୦ ଟଙ୍କା ମଧ୍ୟରେ ରହିଥାଏ ।
୪. ଗ୍ଲୁକୋମିଟର- ମଧୁମେହ ରୋଗୀ ଶରୀରର ବ୍ଲଡ ସୁଗାର ଲେଭେଲ ଜାଣିବା ପାଇଁ ଏହି ଡିଭାଇସର ବ୍ୟବହାର କରିପାରିବେ । ଏହାର ଦାମ ୫୦୦ ଟଙ୍କାରୁ ଆରମ୍ଭ ହୋଇଥାଏ ।
୫. ଅକ୍ସିଜେନ କନସେଣ୍ଟ୍ରେଟର- ଏକ ଅକ୍ସିଜେନ କନସେଣ୍ଟ୍ରେଟର ନିଶ୍ବାସ ନେଉଥିବା ବାୟୁରୁ ନାଇଟ୍ରୋଜେନ ଏବଂ ଅନ୍ୟାନ୍ୟ ଅପରିଷ୍କାରତାକୁ ଦୂର କରିଥାଏ । ଏହାକୁ କିଣିବା ବେଳେ ଆପଣ ୱାରେଣ୍ଟି, ପ୍ରାମାଣିକତା ଏବଂ ସେବା ନେଟୱାର୍କ ପରି ଜିନିଷଗୁଡିକ ଉପରେ ନଜର ରଖିବା ଆବଶ୍ୟକ ।
୬. ପୋର୍ଟେବଲ୍ ଅକ୍ସିଜେନ କ୍ୟାନିଷ୍ଟର- ପୋର୍ଟେବଲ୍ ଅମ୍ଳଜାନ କ୍ୟାନିଷ୍ଟର ଶ୍ବାସକ୍ରିୟାର ଯତ୍ନ ନେବା ପାଇଁ ଏକ ଅତ୍ୟାବଶ୍ୟକ ଉପକରଣ ହୋଇପାରେ । କିନ୍ତୁ ଏହା କେବଳ ଏକ ସ୍ବଳ୍ପକାଳୀନ ସମାଧାନ ଏବଂ ଅଧିକ ସମୟ ପାଇଁ ନିର୍ଭର କରାଯିବା ସମ୍ଭବ ନୁହେଁ ।
୭. ନେବୁଲାଇଜର ମେସିନ- ଶୀଘ୍ର ଫୁସଫୁସକୁ ଅମ୍ଳଜାନ ଦେବା ପାଇଁ ଏକ ନେବୁଲାଇଜର ମେସିନର ବ୍ୟବହାର କରାଯାଏ । ଷ୍ଟିମର ପରି ଏହା ଥଣ୍ଡା ବାଷ୍ପ ଦେଇଥାଏ । ଏହାର ଦାମ ୧୫୦୦ରୁ ଆରମ୍ଭ ହୋଇଥାଏ ।
୮. ଷ୍ଟିମର- ଥଣ୍ଡା ଓ କାଶରୁ ଉପଶମ ପାଇବା ପାଇଁ ଏହି ଷ୍ଟିମରର ବ୍ୟବହାର କରାଯାଏ । ଏହି ଗରମ ବାଷ୍ପ ଦେଇଥାଏ । ଏହାଦ୍ବାରା ଗଳା ସଂକ୍ରମଣରୁ ଆରାମ ମିଳିଥାଏ । ଏହାର ଦାମ ୪୦୦ଟଙ୍କାରୁ ଆରମ୍ଭ ହୋଇଥାଏ ।
୯. ମାସ୍କ- ନିଜେ ଘରେ ସଫା କରି ହେଉଥିବା ମାସ୍କ ଓ ଆଣ୍ଟିବ୍ୟାକ୍ଟେରିଆଲ ଟେକ୍ନୋଲୋଜି ଥିବା ମାସ୍କକୁ ଘରେ ରଖିବା ଆବଶ୍ୟକ ।
୧୦ .ଶ୍ବାସକ୍ରିୟା ବ୍ୟାୟାମ ପାଇଁ ବ୍ୟବହାର ଡିଭାଇସ(Respiratory exerciser)- ଶ୍ବାସକ୍ରିୟା ବ୍ୟାୟାମ ଚିନ୍ତାକୁ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ଫୁସଫୁସର ସାମଗ୍ରିକ ସ୍ବାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ ।ଏହି ଡିଭାଇସ ରକ୍ତରେ ହରମୋନର ରକ୍ତ ସଞ୍ଚାଳନକୁ ବଢାଇଥାଏ । ଫଳରେ ହୃତପିଣ୍ଡ, ମସ୍ତିଷ୍କ ଏବଂ ଫୁସଫୁସରେ ମଧ୍ୟ ରକ୍ତ ପ୍ରବାହ ବଢିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ