ହାଇଦ୍ରାବାଦ: ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ନୌକାବିହାର କରୁଥିଲେ ମନ୍ତ୍ରୀ । ହେଲେ ଘଟିଲା ଅଘଟଣ । ଡଙ୍ଗାଟି ବୁଡିଯିବା କାରଣରୁ ସେ ପାଣିରେ ଖସିପଡିଲେ । ହେଲେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମୀ ତାଙ୍କୁ ଉଦ୍ଧାର କରିବାରେ ସଫଳ ହେବାରୁ ମନ୍ତ୍ରୀଙ୍କ ପ୍ରାଣ ବଞ୍ଚିଯାଇଛି । ତେଲେଙ୍ଗାନର କରିମନଗରରେ ଘଟିଛି ଏହି ଅଘଟଣ । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଗାଙ୍ଗୁଲା କାମଲାକର କରିମନଗରର ଏକ ହ୍ରଦରେ ନୈକାବିହାର କରିବା ସୟମରେ ଏପରି ଅଘଟଣ ଘଟିଛି ।
ନିଜ ନିର୍ବାଚନ ମଣ୍ଡଳୀର ଏକ ଗ୍ରାମରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ମନ୍ତ୍ରୀ ଗାଙ୍ଗୁଲା କାମଲାକର । ତା’ ପରେ ସେ ଗ୍ରାମ ନିକଟରେ ଥିବା ଏକ ହ୍ରଦରେ ନୌକା ବିହାର ପାଇଁ ପହଞ୍ଚିଥିଲେ । ସାଙ୍ଗରେ ସ୍ଥାନୀୟ ଗ୍ରାମବସୀ ମଧ୍ୟ ଥିଲେ । ଏକ ଛୋଟ ଦେଶୀ ଡଙ୍ଗାରେ ନୌକା ଚାଳକ ଓ ମନ୍ତ୍ରୀ ତାଙ୍କ ସହଯୋଗୀଙ୍କୁ ମିଶଇ ମୋଟ ମୋଟ 3 ଜଣ ନୌକାବିହାରରେ ବାହାରିଲେ । କୂଳରେ ମନ୍ତ୍ରୀ ଡଙ୍ଗାରେ ବସିବା ମାତ୍ରା ଏହା ଭାରସାମ୍ୟ ହରାଇ ବୁଡିଯାଇଥିଲା । ମନ୍ତ୍ରୀ ମଧ୍ୟ ପାଣି ମଧ୍ୟକୁ ଖସି ପଡିଥିଲେ । ହେଲେ ସେଠାରେ ପରସ୍ଥିତ ଥିବା ମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ଓ ପୋଲିସ କର୍ମୀ ପାଣି ଭିତରେ ପଶି ତାଙ୍କୁ ତୁରନ୍ତ ଉଦ୍ଧାର କରି କୂଳକୁ ଆଣିଥିଲେ । ମନ୍ତ୍ରୀଙ୍କ ଗୋଡରେ ସାମାନ୍ୟ ଆଘାତ ଲାଗିଛି । ତେବେ ଏହି ସମୟର ସମସ୍ତ ଘଟଣାକ୍ରମ କ୍ଯାମେରାରେ କଏଦ ହୋଇଛି ।
ମନ୍ତ୍ରୀଙ୍କ ନୌକାବିହାର ପାଇଁ ଅଣାଯାଇଥିବା ଦେଶୀ ଡଙ୍ଗାଟି ଆକାରରେ ଛୋଟ ଓ ଅଣଓସାରିଆ ଥିଲା । ପୂର୍ବରୁ ନୌକାଚାଳକ ଡଙ୍ଗାରେ ଥିବା ବେଳେ ମନ୍ତ୍ରୀ ଓ ତାଙ୍କର ଜଣେ ସହଯୋଗୀ ଡଙ୍ଗାରେ ଚଢି ବସିବା ପରେ ଏହା ଭାର ସମ୍ଭାଳି ପାରିନଥିଲା । ଏଥିରେ ପାଣି ପଶିବା ଆରମ୍ଭ କରିଥିଲା । ପରେ ଏହା ସମ୍ପୂର୍ଣ୍ଣ ବୁଡି ମଧ୍ଯ ଯାଇଥିଲା । ମାତ୍ର ନୌକା ହ୍ରଦ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଏହି ଅଘଟଣ ଘଟିବାରୁ ସେପରି କୌଣସି ବଡ ଦୁର୍ଘଟଣା ଘଟିନାହିଁ । ନିକଟରେ ଥିବା ପୋଲିସ ଓ ସ୍ଥାନୀୟ ବାସିନ୍ଦା ମନ୍ତ୍ରୀଙ୍କ ସମେତ ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମ ବେଳେ ଦେଶୀ ଡଙ୍ଗା ଓ ଅସୁରକ୍ଷିତ ଜଳଯାତ୍ରା ପାଇଁ ଏକାଧିକ ଦୁର୍ଘଟଣା ମଧ୍ୟ ଘଟିଥାଏ । ନିକଟରେ କେରଳ ଡଙ୍ଗାବୁଡିରେ ମଧ୍ୟ ଏକାଧିକ ଲୋକଙ୍କ ପ୍ରାଣହାନୀ ଘଟିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ