ପାଟନା: ବିହାରର ପୂର୍ବତନ ମନ୍ତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ସୁପୁତ୍ରଙ୍କ ବଦାନ୍ୟତା ଦେଖିବାକୁ ମିଳିଛି । ଜଣେ କୁନି ଝିଅ ପାଇଁ ପୂର୍ବତନ ମନ୍ତ୍ରୀ ତେଜ୍ ପ୍ରତାବ ଯାଦବଙ୍କ ହୃଦୟ ତରଳିଥିବା ଦେଖା ଯାଇଛି । ଏଥିପାଇଁ ସେହି କୁନି ଝିଅଟି ପାଇଁ ୫୦ ହଜାର ଟଙ୍କା ମୂଲ୍ୟର ଆଇଫୋନ କିଣି ଦେଇଛନ୍ତି ଏହି ଯୁବ ନେତା । ଏହାକୁ ନେଇ ତେଜ ପ୍ରତାବ ଯାଦବଙ୍କୁ ଭୂରିଭୂରି ପ୍ରଶଂସା କରୁଛନ୍ତି ଲୋକେ ।
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ହେଉଛନ୍ତି ତେଜ ପ୍ରତାବ ଯାଦବ । ସବୁବେଳେ ନିଜର ନିଆରା ଅନ୍ଦାଜ ପାଇଁ ସେ ଚର୍ଚ୍ଚାରେ ରହି ଆସିଛନ୍ତି । ରବିବାର ଅଚାନକ ମିଠା ଖାଇବାର ମନ ହେବାରୁ ସେ ବୋରିଂ ରୋଡକୁ ଚାଲି ଆସିଥିଲେ । ଏହି ସମୟରେ ରାସ୍ତା ଉପରେ ଜଣେ କୁନି ଝିଅ ପେନ୍ ବିକ୍ରି କରୁଥିବା ସେ ଦେଖିବାକୁ ପାଇଲେ । ଝିଅଟି ସହ କଥା ହେବାକୁ ଲାଗିଲେ ତେଜ ପ୍ରତାପ ଯାଦବ ।
ଝିଅଟିର ନାମ ମେଘା ବୋଲି ଜଣା ପଡ଼ିଥିଲା । ତା ବାପା ଜଣେ ଅଟୋ ଚାଳକ । ସେ ବର୍ତ୍ତମାନ ସୁଦ୍ଧା ସ୍କୁଲ୍କୁ ଯାଇନାହିଁ । ସେ ଟ୍ୟୁସନ୍ ଯାଇ ପାଠ ପଢ଼େ । ଫାଙ୍କା ସମୟରେ ରୋଜଗାର ପାଇଁ ପେନ୍ ବିକ୍ରି କରିବାକୁ ରାସ୍ତା ଉପରକୁ ଚାଲି ଆସେ । କଥାବାର୍ତ୍ତା ବେଳେ ଝିଅଟିକୁ ତେଜ୍ ପ୍ରତାପ ମୋବାଇଲ ନମ୍ବର ଦେବାକୁ ଚାହିଁଲେ । ତେବେ ତା ପାଖରେ ମୋବାଇଲ ନଥିବା କଥା କହିଥିଲା ଏହି କୋମଳ ଶିଶୁ ।
ତୁରନ୍ତ ଝିଅଟିକୁ ନେଇ ପାଖରେ ଥିବା ମୋବାଇଲ ଦୋକାନରୁ ଏକ ୫୦ ହଜାର ଟଙ୍କାର ଆଇଫୋନ୍ ମୋବାଇଲ କିଣି ଦେଇଛନ୍ତି । ଝିଅଟି ତେଜ ପ୍ରତାପ ଯାଦବଙ୍କୁ ଜାଣିନଥିବା କଥା କହିଛି । କିଛି ସମସ୍ୟା ଥିଲେ ଜଣାଇବାକୁ କହିଛନ୍ତି ତେଜ ପ୍ରତାପ ଯାଦବ । ଏହାକୁ ନେଇ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଛନ୍ତି ତେଜ ପ୍ରତାପ ଯାଦବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ