ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଓ ବାରାଣାସୀ କୋର୍ଟରେ ଜ୍ଞାନବାପି ମସଜିଦ ମାମଲାର ଶୁଣାଣି ହୋଇଥିଲା । ବାରାଣାସୀ ଟ୍ରାଏଲ କୋର୍ଟର ଶୁଣାଣି ଉପରେ ନୂଆ ଫଇସଲା ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହି ମାମଲାର ଶୁଣାଣି ଶୁକ୍ରବାର ଅପରାହ୍ନ 3ଟା ଯାଏ ନକରିବାକୁ କହିଛନ୍ତି ସୁପ୍ରିମକୋର୍ଟ ।
ଆଜି ହିନ୍ଦୁ ପକ୍ଷ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣିକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଦାବି କରିଥିଲେ । ଆଡଭୋକେଟ୍ ବିଷ୍ଣୁ ଜୈନ୍ କହିଛନ୍ତି ଯେ, ‘ମୁଖ୍ୟ ଓକିଲ ହରିଶଙ୍କର ଜୈନଙ୍କୁ ଆକ୍ରମଣ କରାଯାଇଛି, ତେଣୁ ଶୁଣାଣି ଆସନ୍ତାକାଲି (ଶୁକ୍ରବାର) ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉ ।’ ଆବେଦନକାରୀଙ୍କ ପକ୍ଷ ଶୁଣି ସୁପ୍ରିମକୋର୍ଟ ସେମାନଙ୍କ ପ୍ରସ୍ତାବରେ ରାଜି ହୋଇଛନ୍ତି । ସେପଟେ ମୁସଲିମ ପକ୍ଷ କହିଛି, ଏହି ମାମଲା ଯୋଗୁଁ ଅନ୍ୟ ସ୍ଥାନରେ ଥିବା ମସଜିଦକୁ ନେଇ ମଧ୍ୟ ସମାନ ମାମଲା ରୁଜୁ ହୋଇଛି । ଏଭଳି ପରିସ୍ଥିତିରେ ମାମଲାର ଶୁଣାଣି ବିଳମ୍ବ ନକରିବାକୁ ସେମାନେ ଦାବି କରିଛନ୍ତି ।
ଯେହେତୁ ଟ୍ରାଏଲ କୋର୍ଟର ପ୍ରକ୍ରିୟା ଜାରି ରହିବ, ତେଣୁ ଏ ବାବଦରେ ଏକ ଆଦେଶ କୋର୍ଟ ପାସ୍ କରିପାରନ୍ତି ବୋଲି ମୁସଲିମ ପକ୍ଷ ଆଶଙ୍କା କରୁଛି । ଏଭଳି ସ୍ଥିତିରେ ଏହି ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ପିଏସ୍ ନରସିମ୍ହାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଆସନ୍ତାକାଲି ଯାଏଁ ଟ୍ରାଏଲ କୋର୍ଟର ଶୁଣାଣି ଉପରେ ରୋକ୍ ଲଗାଇଛନ୍ତି । ଏହା ସହିତ ସୁପ୍ରିମକୋର୍ଟର ଶୁଣାଣି ମଧ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି (ଶୁକ୍ରବାର) ସନ୍ଧ୍ୟା ୩ଟା ବେଳେ ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହେବ ।
ପ୍ରକାଶ ଥାଉ କି, ଉତ୍ତରପ୍ରଦେଶ ବାରାଣାସୀସ୍ଥିତ ଜ୍ଞାନବାପି ମସଜିଦର ଏକ ସ୍ଥାନରେ ଶିବ ଲିଙ୍ଗ ଠାବ ହୋଇଛି । ଏହାକୁ ନେଇ ବିବାଦ ଉପୁଜିବାରେ ଲାଗିଛି । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ମସଜିଦର ସର୍ଭେ ରିପୋର୍ଟ ମାଗିଛନ୍ତି ବାରାଣାସୀ କୋର୍ଟ । ଆଜି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ