ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ଅନେକ ରାଜ୍ୟରେ ଟିକାର ଅଭାବ ନେଇ ସାମ୍ନାକୁ ଆସୁଛି ଖବର । ଏହାରି ମଧ୍ୟରେ ଟିକା ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ରକୁ ନିର୍ଦ୍ଦେଶ ଜାରି କରି କୋଭିଡ ଟୀକାକରଣ ନୀତି ସହ ଜଡିତ ଦସ୍ତାବିଜ ଓ ଫାଇଲ ରେକର୍ଡ ସାମ୍ନାରେ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ ।
କୋରୋନାର ସମସ୍ତ ଟିକାର କ୍ରୟ ରେକର୍ଡ ସହ କେବେ କେବେ ଟିକା କିଣାଯାଇଥିଲା ଏହାର ରିପୋର୍ଟ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପକ୍ଷେ ମାଗଣାରେ ଟିକା ଲଗାଯାଉଛି କି ନାହିଁ, ରାଜ୍ୟକୁ ମଧ୍ୟ ପ୍ରଶ୍ନ କରିଛନ୍ତି କୋର୍ଟ । ଏହାସହ ମ୍ୟୁକରମାଇକୋସିସର ଚିକିତ୍ସା ଉପରେ ସୂଚନା ଦେବାକୁ ମଧ୍ୟ କୋର୍ଟ କହିଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି 30 ଜୁନରେ ହେବ । ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ବିଚାରପତି ଏଲଏନ ରାୱ ଓ ବିଚାରପତି ଏସ ରବିନ୍ଦ୍ର ଭଟ୍ଟଙ୍କ ସ୍ବତନ୍ତ୍ର ଖଣ୍ଡପୀଠ କେନ୍ଦ୍ରକୁ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ପ୍ରତ୍ୟେକ ବିଷୟ ଉପରେ ଅଲଗା ଅଲଗା ଜବାବ ଦେବାକୁ କେନ୍ଦ୍ରକୁ କହିଛନ୍ତି ସୁପ୍ରିମକୋର୍ଟ । ଏଥିସହ କୋର୍ଟ ଦ୍ବାରା ଉଠାଯାଇଥିବା 10 ଟି ମୁଖ୍ୟ ପଏଣ୍ଟ ହେଉଛି-
1. ଭାରତର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟୀକାକରଣ ହେଉଛି ଏକକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ |
2. ଟିକା ପାଇଁ ରାଜ୍ୟଗୁଡିକର ଦେୟ ପ୍ରଣାଳୀ ସମ୍ପୂର୍ଣ୍ଣ ସ୍ବେଚ୍ଛାକୃତ ଓ ଅଯୁକ୍ତିକ
3. ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଦାୟିତ୍ବ ଗ୍ରହଣ ନୀତି ସାମ୍ବିଧାନିକ ସନ୍ତୁଳନ
4. ପ୍ରଚଳିତ ଟୀକାକରଣ ନୀତି ଧାରା 14 ଅନୁଯାୟୀ ସମାନତା ଅଧିକାରାରର ଅନ୍ତର୍ଭୁକ୍ତ ହେବା ଉଚିତ୍
5. 18-45 ବର୍ଷ ବୟସ୍କଙ୍କ ଟୀକାକରଣ ପାଇଁ କାହିଁକି ବଜେଟରୁ 35 ହଜାର କୋଟି ଟଙ୍କା ବ୍ୟୟ କରାଗଲା ନାହିଁ ?
6. ସମ୍ପ୍ରତି ଟୀକାକରଣ ନୀତି ଅର୍ଥନୈତିକ ସ୍ତରରେ ସମାଜର ବିଶେଷ ବିଭାଗଗୁଡିକ ପାଇଁ ଲାଭପ୍ରଦ ହେବ
7. କୋ-ୱିନ ୱେବସାଇଟରେ ବାଧ୍ୟତାମୂଳକ ପଞ୍ଜିକରଣ ନୀତି ଦ୍ବାରା ମାରଜିନାଲାଇଜଡ ବିଭାଗଗୁଡିକ କ୍ଷତି ସହିବେ ।
8. ଟୀକାକରଣ ନୀତି ନେଇ କଣ ବ୍ୟବସ୍ଥା ରହିଛି ତାହାର ସମସ୍ତ ଦସ୍ତାବିଜ, ଫାଇଲ ଉପସ୍ଥାପନ କରାଯାଉ
9. ଟୀକାକରଣ ନୀତିର ଏକ ସଠିକ୍ ସମୀକ୍ଷା କରାଯାଉ ।
10. ଟୀକାକରଣର ସମସ୍ତ ତଥ୍ୟ ଦାଖଲ କରିବା ସହ ବାକି ଜନସଂଖ୍ୟାକୁ 2 ସପ୍ତାହ ମଧ୍ୟରେ ଟୀକାକରଣ ପାଇଁ କେନ୍ଦ୍ର ଯୋଜନା କରୁ ।
କୋର୍ଟ କହିଛନ୍ତି, କୋଭିଡର ସମସ୍ତ ଟିକାର କ୍ରୟ ଉପରେ ବର୍ତ୍ତମାନ ସୁଦ୍ଧା ସମସ୍ତ ତଥ୍ୟ ସ୍ପଷ୍ଟ ହେବା ଉଚିତ । ପ୍ରଥମରେ କେନ୍ଦ୍ର ସରକାରଙ୍କ ଦ୍ବାରା 3 ଟି ଟିକାର କ୍ରୟ ପାଇଁ ଦିଆଯାଇଥିବା ସମସ୍ତ ଅର୍ଡରର ତାରିଖ, ଦ୍ବିତୀୟରେ ପ୍ରତ୍ୟେକ ତାରିଖ ଉପରେ କେତେ ମାତ୍ରାରେ ଟିକା ଅର୍ଡର ଦିଆଯାଇଛି ଏହାର ତଥ୍ୟ, ତୃତୀୟରେ ଆବଶ୍ୟକତାର ପ୍ରଭାବିତ ତାରିଖ ଆଦିର ତଥ୍ୟ ଦେବାକୁ କହିଛନ୍ତି କୋର୍ଟ । ଏହାପୂର୍ବରୁ ମେ 31ରେ କୋଭିଡ ଟୀକାକରଣ ନୀତି ଉପରେ ସୁପ୍ରିମକୋର୍ଟ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ ।