ଗାନ୍ଧୀନଗର: ଚାରିଆଡେ ଦେଖିଲେ ଲାଗୁଛି ଅଳିଆଗଦା ପରି । ଘଡିଏ ବି ସେଠି ରହିବା ମୁସ୍କିଲ । ହେଲେ 22 ବର୍ଷ ହେବ ସେଠି ରହି ଆସୁଛନ୍ତି ଜଣେ ମହିଳା । 22 ବର୍ଷ କିଛି ଛୋଟିଆ ସମୟ ନୁହେଁ । ମହିଳାଙ୍କୁ ଏମିତି ବନ୍ଦ ଘରେ ବାନ୍ଧି ରଖିଛନ୍ତି ତାଙ୍କ ପରିବାର । ଯାହାର ଖବର ପାଇଁ ଏନଜିଓ ତାଙ୍କୁ ଉଦ୍ଧାର କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟ ସୁରଟର ଉଧାନ ଅଞ୍ଚଳରେ ।
ସୂଚନାଅନୁସାରେ, ମହିଳାଙ୍କ ନାମ ମନିଷାବେନ । ତାଙ୍କର ସ୍ବାମୀ ଦୁଇପୁଅ ମଧ୍ୟ ଅଛନ୍ତି । ହେଲେ 22 ବର୍ଷ ଗୋଟିଏ ଘରେ ବନ୍ଦ ରହିବା ପରେ ତାଙ୍କର ସମସ୍ତେ ଥାଇ ବି କେହି ନଥିଲା ପରି ମନେ ହେଉଛି । ପରିବାର ଲୋକଙ୍କ କହିବା ଅନୁସାରେ ମହିଳା ଜଣଙ୍କ ତାଙ୍କ ମାନସିକ ଭାରସାମ୍ୟ ହରାଇଛନ୍ତି । ଅନ୍ୟକୁ କ୍ଷତି ପହଞ୍ଚାଉଛନ୍ତି । ତେଣୁ ତାଙ୍କୁ ଘରେ ବନ୍ଦ କରି ରଖା ଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ସେ ମାନସିକ ସନ୍ତୁଳନ ହରାଇଛନ୍ତି ତେବେ ଘରେ ବନ୍ଦ କରି ରଖିବା କେତେ ଯୁକ୍ତିଯୁକ୍ତ । ସେମାନଙ୍କର ବି ସାଧାରଣ ଲୋକଟିଏ ପରି ବଞ୍ଚିବା ପାଇଁ ଅଧିକାର ଅଛି । ହେଲେ ତାଙ୍କୁ ଚିକିତ୍ସା ବଦଳରେ ଘରେ ବନ୍ଦ କରି ରଖିବାକୁ ସମାଧାନ ବାଟ ବାଛି ନେଇଛନ୍ତି ତାଙ୍କ ପରିବାର ।
ମହିଳା ଜଣଙ୍କ ବନ୍ଦ ରହିଥିବା ଖବର ପାଇଥିଲା ଗଙ୍ଗାବା ସ୍ବଚ୍ଛାସେବୀ ସଂଗଠନ । ଏହାପରେ ତାଙ୍କୁ ଉଦ୍ଧାର କରିବାକୁ ସେଠାରେ ପହଞ୍ଚିଥିଲା । ପରିବାର ଲୋକ ସଂଗଠନ ସଦସ୍ୟଙ୍କ ସହ ଯୁକ୍ତିତର୍କ କରିଥିଲେ । ମହିଳାଙ୍କୁ ଛାଡିବାକୁ ଅମଙ୍ଗ ହୋଇଥିଲେ । ମନିଷାବେନଙ୍କ ପୁଅ କହିଥିଲେ ଆମ ମାଆ ଆମକୁ ଯେତେବେଳେ ମାରୁଥିଲେ କେହି ତ ଆମ ପାଇଁ ଆସୁନଥିଲେ । ଆପଣଙ୍କୁ ମଧ୍ୟ ସେ କ୍ଷତି ପହଞ୍ଚାଇବେ ଯଦି ତାଙ୍କୁ ଏଠୁ ଜବରଦସ୍ତ ନେଇଯିବେ । ହେଲେ ସ୍ବଚ୍ଛାସେବୀ ସଂଗଠନ କିଛି ଶୁଣିନଥିଲେ ଉଧାନ ପୋଲିସ ସହାୟତାରେ ମହିଳାଙ୍କୁ ଉଦ୍ଧାର କରିଥିଲେ । ମନିଷାବେନ ଓରଫ ମାତଜୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବା ସ୍ବଚ୍ଛାସେବୀ ସଦସ୍ୟ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ