ଅମରାବତୀ: ସ୍କୁଲ ନିକଟରେ ଯାତାୟତ ନେଇ ଥିବା କିଛି ସମସ୍ୟାର ସମାଧାନ ପାଇଁ ଥାନାରେ ପହଞ୍ଚିଲା ୬ବର୍ଷୀୟ କୁନି ଛାତ୍ର । କେବଳ ସେତିକି ନୁହେଁ ଘଟଣାସ୍ଥଳକୁ ତୁରନ୍ତ ଗସ୍ତ କରିବା ସହ ସମସ୍ୟାର ସମାଧାନ କରିବା ପାଇଁ ଥାନାଧିକାରୀଙ୍କୁ ଉକ୍ତ ଛାତ୍ରଜଣଙ୍କ ଦାବି ମଧ୍ଯ କଲା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରେ । ତେବେ ସମ୍ପୃକ୍ତ କୁନି ଛାତ୍ରଙ୍କର ଥାନାରେ ଏପରି ଅଭିଯୋଗ ସମୟର ସମସ୍ତ ଭିଡିଓ ରେକର୍ଡ ହୋଇଛି ମୋବାଇଲ କ୍ୟାମେରାରେ ।
ମିଳିଥିବା ସୂଚନା ଅନୁସାରେ, ଛାତ୍ରଜଣଙ୍କର ନାମ କାର୍ତ୍ତିକେୟନ୍ ଓ ସେ ଚିତ୍ତୋର ଜିଲ୍ଲାର ପାଲାମାନରର ଏକ ଘରୋଇ ବିଦ୍ୟାଳୟର UK ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ସେ ପାଠ ପଢୁଥିବା ବିଦ୍ୟାଳୟ ନିକଟରେ କିଛି ରାସ୍ତା ସମସ୍ୟା ପାଇଁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । କିଛି ଦୁର୍ବୃତ୍ତ ମେସିନ ସାହାଯ୍ୟରେ ରାସ୍ତା ଖୋଳିବା ସହ ଅବରୋଧ ମଧ୍ୟ କରିଥିବା ଅଭିଯୋଗରେ ଏହି କୁନି ଛାତ୍ରଜଣଙ୍କ ସ୍ଥାନୀୟ ଥାନାଧିକାରୀଙ୍କ ସହ କଥା ହେବା ସହ ତୁରନ୍ତ ଯୋଗାଯୋଗ ସ୍ବାଭାବିକ କରିବା ପାଇଁ ଦାବି କରୁଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ।
ସ୍ଥାନୀୟ ମଣ୍ଡଳ ଅଧିକାରୀ ଛାତ୍ରଜଣଙ୍କ ସହ ବେସ କିଛି ସମୟ ବ୍ୟଙ୍ଗାତ୍ମକ ଭଙ୍ଗୀରେ କଥା ହେବା ସହ ସମସ୍ୟାର ସମାଧାନ କରିବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ତେବେ ହୋଲି ଶୁଭେଚ୍ଛା ସହ ପିଲାଟିକୁ ଥାନାଧିକାରୀ ମିଠା ମଧ୍ୟ ଖୁଆଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ