ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସା ମାମଲାରେ ଆଉ ୫ ଜଣ ଅଭିଯୁକ୍ତଙ୍କ ଫଟୋ ଜାରି କଲା SIT । ଫଟୋରେ ଥିବା ବ୍ୟକ୍ତିବିଶେଷଙ୍କ ପରିଚୟ ଜଣାଇବାକୁ SIT ଲୋକଙ୍କୁ ଅପିଲ୍ କରିଛି । ଯିଏ ବି ଅଭିଯୁକ୍ତଙ୍କ ପରିଚୟ ପୋଲିସକୁ ଜଣାଇବ ତା'ର ନାମ ଏବଂ ଠିକଣା ସମ୍ପୂର୍ଣ୍ଣ ଗୁପ୍ତ ରଖାଯିବ । ଏପରିକି ପରିଚୟ ବଦଳରେ ପୁରସ୍କାର ଦିଆଯିବ ବୋଲି ୟୁପି ପୋଲିସ ନିଜ ଟ୍ବିଟର ହ୍ୟାଣ୍ଡଲରେ ଜାରି ପ୍ରେସ୍ ବିଜ୍ଞପ୍ତି ଜରିଆରେ ଘୋଷଣା କରିଛି ।
SIT ଟ୍ବିଟରରେ ଜାରି କରିଥିବା ସେହିସବୁ ଫଟୋ ଅକ୍ଟୋବର ୩ ତାରିଖର । ଯେଉଁଦିନ ଆନ୍ଦୋଳନକାରୀ କୃଷକଙ୍କ ଉପରେ ଗାଡି ଚଢାଇ ଦିଆଯିବାସହ ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ଫଟୋରେ ହିଂସାକାଣ୍ଡ ସ୍ଥଳରେ ବିଜେପି କର୍ମୀଙ୍କୁ ପିଟୁଥିବାର ଚିତ୍ର ଦେଖାଯାଇଛି । ଏନେଇ ୟୁପି ପୋଲିସ କହିଛି, ଏବେ ଏହି ମାମଲାରେ SIT ତଦନ୍ତ କରୁଥିବାବେଳେ ତଦନ୍ତରେ ସହାୟତା ପାଇଁ ଏହି ଫଟୋଗୁଡିକ ଜାରି ହୋଇଛି । ଫଟୋରେ ମହଜୁଦ ଲୋକଙ୍କ ନାମ ଓ ଠିକଣା କହିବା ଲୋକଙ୍କୁ ପୁରସ୍କାର ମିଳିବ ଏବଂ ତାଙ୍କ ପରିଚୟ ଗୋପନ ରଖାଯିବ।
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩ ତାରିଖ ଦିନ ଲଖିମପୁର ଖେରୀରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ସେଠାରେ କୃଷକ ଆନ୍ଦୋଳନ କରୁଥିବା ସମୟରେ ଏକ କାର୍ ଆନ୍ଦୋଳନକାରୀଙ୍କ ଉପରେ ମାଡି ଯାଇଥିଲା । ଏଥିରେ ୪ ଜଣ କୃଷକଙ୍କ ସହ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା । ଏନେଇ ୩ ଜଣ ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା କରିଥିଲେ ଉତ୍ୟକ୍ତ ଚାଷୀ । ପୁରା ହିଂସାକାଣ୍ଡରେ ୧୨ରୁ ଅଧିକ କୃଷକ ଓ ସାମ୍ବାଦିକ ଆହତ ହୋଇଥିଲେ ।
ଏହି ଘଟଣା ପରେ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । କୃଷକଙ୍କ ପକ୍ଷରୁ ରୁଜୁ ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର । ଏହି ମାମଲାରେ ଏଯାବତ୍ ମୋଟ ୧୩ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ବିଜେପି କର୍ମୀଙ୍କୁ ପିଟିପଟି ହତ୍ୟା ନେଇ ରୁଜୁ ମାମଲାରେ ଏ ପର୍ଯ୍ୟନ୍ତ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ