ଜୟପୁର: ରାଜସ୍ଥାନ ଚୁରୁରେ ବିଳମ୍ବରେ ବରପକ୍ଷ ପହଞ୍ଚିବା ପଡ଼ିଲା ମହଙ୍ଗା । ଫଳରେ କନ୍ୟାର ଅନ୍ୟତ୍ର ବିବାହ କଲେ ପରିବାର । ବରପକ୍ଷ ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିଛି । ଏହି ଘଟଣା ଚୁରୁ ଜିଲ୍ଲାର ରାଜଗଡ଼ ତହସିଲର ଚେଲାନା ଗାଁରେ ଘଟିଛି । ବିବାହ ନ ହୋଇପାରିବା ପରେ ବିନା ନବବଧୂରେ ଘରକୁ ଫେରିଛି ବରପକ୍ଷ(Wedding procession returned without bride in Churu) ।
ଗତ ମେ 15 ତାରିଖରେ ହରିୟାଣାର ସିୱାନି ୱାର୍ଡ ନମ୍ବର 10 ରେ ରହୁଥିବା ଅନିଲଙ୍କ ପୁଅ ମହାବୀର ଜାଟ ଏକ ଶୋଭାଯାତ୍ରା ସହିତ ରାଜଗଡର ଚେଲାନା ବ୍ୟାସରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରା କନ୍ୟାର ଘରେ ପହଞ୍ଚିବା ମାତ୍ରେ ୧୫୦ ଜଣ ବରଯାତ୍ରୀ ଡିଜେ ଗୀତରେ ନାଚିବା ଆରମ୍ଭ କରିଥିଲେ । ରାତି ପ୍ରାୟ 9ଟା ବେଳେ ଏହି ଶୋଭାଯାତ୍ରା କନ୍ୟା ଘର ନିକଟରେ ପହଞ୍ଚିଯାଇଥିଲା, କିନ୍ତୁ ମଦ୍ୟପ ବରଯାତ୍ରୀ ରାତି 1ଟା ପର୍ଯ୍ୟନ୍ତ ନାଚିବାରେ ଲାଗିଥିଲେ । ବର ଏବଂ ତାଙ୍କ ସାଙ୍ଗମାନଙ୍କ ଏପରି କାର୍ଯ୍ୟକଳାପ ଦେଖି କନ୍ୟାପକ୍ଷ ବିରକ୍ତ ହୋଇଥିଲେ ।
ଯେତେବେଳେ ରାତି 2ଟା ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଘରେ ପହଞ୍ଚି ନଥିଲା, ସେତେବେଳେ କନ୍ୟାପକ୍ଷର ଲୋକେ ରାଗି ଯାଇଥିଲେ । ବିବାହର ଶୁଭ ମହୁରତ ୧ଟା ୧୫ ଥିବା ବେଳେ ଏହା ଅତିକ୍ରମ କରିଥିଲା । ଏହାପରେ କନ୍ୟାର ଆଉ ଏକ ପାତ୍ର ସହିତ ବିବାହ ପାଇଁ ପରିବାର ସ୍ଥିର କରିଥିଲେ । ସେହି ମଣ୍ଡପରେ ଅନ୍ୟ ଜଣକ ସହ କନ୍ୟାର ବିବାହ କରାଇଥିଲେ । ଯେତେବେଳେ ରାତି ୨ଟାରେ ବରଯାତ୍ରୀ ପହଞ୍ଚିଥିଲା, ସେତେବେଳେ କନ୍ୟାର ବିବାହ ଶେଷ ହୋଇସାରିଥିଲା ।
ଏହି ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହୋଇଥିଲା । ଗତ ସୋମବାର ବର ସୁନୀଲ ଓ ପରିବାର ରାଜଗଡ଼ ଥାନାରେ ଅଭିଯୋଗ କରିଥିଲେ । କନ୍ୟାର ପରିବାର ବର ପକ୍ଷଙ୍କ ଦାୟିତ୍ବହୀନତାକୁ ଦାୟୀ କରାଇଥିଲେ । ବର ଶୁଭ ମହୁରତରେ ପହଞ୍ଚି ପାରିନଥିବା ବେଳେ ଆଗକୁ କଣ ସମ୍ପର୍କ ନିଭାଇବେ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ