ସରକାରୀ ଚାକିରି ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମଲେଖା କ୍ଷେତ୍ରରେ ବିଗତ ତିନି ଦଶନ୍ଧି ଧରି ପ୍ରଚଳିତ ସଂରକ୍ଷଣ ନିୟମ ସଂପର୍କିତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ପରୀକ୍ଷା କରି ଦେଖିବା ଲାଗି ଏ ସପ୍ତାହ ଆରମ୍ଭରେ ସୁପ୍ରିମ କୋର୍ଟ ନେଇଥିବା ନିଷ୍ପତ୍ତି ଯୋଗୁଁ ହୁଏତ ଦେଶର ସଂରକ୍ଷଣ ସଂପର୍କିତ ନିୟମାବଳୀରେ ସୁଦୂରପ୍ରସାରୀ ପରିବର୍ତ୍ତନ ଘଟିପାରେ । ଅନ୍ୟାନ୍ୟ ପ୍ରସଙ୍ଗ ଭିତରେ, ସଂରକ୍ଷଣ କୋଟାକୁ 50%ରେ ସୀମିତ ରଖିବା ଲାଗି ତିନି ଦଶନ୍ଧି ତଳେ ପ୍ରଦତ୍ତ ପୁରୁଣା ରାୟର ସମୀକ୍ଷା କରିବାର ଆବଶ୍ୟକତା ସଂପର୍କରେ ସର୍ବୋଚ୍ଚ ଅଦାଲତ ଶୁଣାଣି କରିବେ । ଏହା ସହିତ, କେନ୍ଦ୍ର ସରକାରଙ୍କ ଦ୍ବାରା ଗୃହୀତ 102ତମ ସମ୍ବିଧାନ ସଂଶୋଧନ ଯୋଗୁଁ ପଛୁଆ ବର୍ଗ ଚିହ୍ନଟ କରିବା କ୍ଷେତ୍ରରେ ରାଜ୍ୟମାନଙ୍କର ଅଧିକାର ଉଲ୍ଲଂଘନ ହେଉଛି କି ନାହିଁ ତାହା ମଧ୍ୟ ପରଖି ଦେଖିବେ ଏବଂ ଶେଷରେ, ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ଗୃହୀତ ମରାଠୀମାନଙ୍କ ପାଇଁ ସଂରକ୍ଷଣ ଆଇନର ସାମ୍ବିଧାନିକ ବୈଧତା ସଂପର୍କରେ ମଧ୍ୟ ନିଷ୍ପତ୍ତି ଗ୍ରହଣ କରିବେ ।
ଏକ ପୃଥକ୍ ପ୍ରସଙ୍ଗରେ, 103ତମ ସମ୍ବିଧାନ ସଂଶୋଧନର ଆଇନଗତ ବୈଧତା ସଂପର୍କରେ ମଧ୍ୟ ସୁପ୍ରିମ କୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ନିଷ୍ପତ୍ତି ନେବେ । ଏହି ସଂଶୋଧନ ବଳରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆର୍ଥିକ ଦୁର୍ବଳ ଶ୍ରେଣୀ (EWS) ବର୍ଗ ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କୁ ଚାକିରି ଓ ନାମଲେଖା କ୍ଷେତ୍ରରେ ପ୍ରଚଳିତ ସଂରକ୍ଷଣ ନିୟମରୁ ଅଧିକ 10% ସଂରକ୍ଷଣ ପ୍ରଦାନ କରିପାରିବେ ଏବଂ ଏହା ମଧ୍ୟ ଇନ୍ଦ୍ର ସାହନି ମାମଲାର ବିଚାର ସମୟରେ ଅଦାଲତଙ୍କ ଦ୍ବାରା ନିର୍ଦ୍ଧାରିତ ସର୍ବାଧିକ 50% ସଂରକ୍ଷଣ ସୀମାର ଉଲ୍ଲଂଘନ କରେ । ପୃଷ୍ଠଭୂମି ମରାଠା କୋଟା ଆଇନ ବିରୋଧରେ କେତେକ ଆବେଦନକାରୀ ଓ ଶିକ୍ଷାବିତ୍ଙ୍କ ଆବେଦନକ୍ରମେ ଏହିଭଳି ସମାନ ମୌଳିକ ଗୁରୁତ୍ବ ବହନ କରୁଥିବା ସମସ୍ତ ପ୍ରସଙ୍ଗ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମ୍ମୁଖକୁ ଆସିଲା । ଏହି କୋଟା ଆଇନ ଅନୁସାରେ ମହାରାଷ୍ଟ୍ରର ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ରାଜନୈତିକ ଦୃଷ୍ଟିରୁ ପ୍ରଭାବଶାଳୀ ମରାଠୀମାନଙ୍କୁ 16% ସଂରକ୍ଷଣ ପ୍ରଦାନ ବ୍ୟବସ୍ଥା ରହିଛି । 2019 ଜୁନ୍ରେ, ବମ୍ବେ ହାଇକୋର୍ଟ ଏହି ଆଇନର ବୈଧତାକୁ ସ୍ବୀକାର କରିବା ସହିତ ଚାକିରି କ୍ଷେତ୍ରରେ ସଂରକ୍ଷଣ ହାର 13%କୁ ଏବଂ ନାମଲେଖା କ୍ଷେତ୍ରରେ 12%କୁ ହ୍ରାସ କରିଦେଇଥିଲେ ।
ମହାରାଷ୍ଟ୍ରରେ, 2018 ମସିହା ନଭେମ୍ବରରେ ସାମାଜିକ ଓ ଆର୍ଥିକ ପଛୁଆ ଶ୍ରେଣୀ (SEBC) ପାଇଁ ମହାରାଷ୍ଟ୍ର ରାଜ୍ୟ ସଂରକ୍ଷଣ (ରାଜ୍ୟର ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ସିଟ୍ ଏବଂ ରାଜ୍ୟ ଅଧୀନସ୍ଥ ସାଧାରଣ ସେବା ପଦପଦବୀରେ ନିଯୁକ୍ତି କ୍ଷେତ୍ରରେ) ଆଇନ, 2018 ଗୃହୀତ ହୋଇଥିଲା । ସୁପ୍ରିମକୋର୍ଟରେ ମରାଠା କୋଟା ଆଇନକୁ ଚ୍ୟାଲେଞ୍ଜ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅସନ୍ତୁଷ୍ଟ କେତେକ ସାମାଜିକ କର୍ମୀ 2019 ଜୁଲାଇରେ ସୁପ୍ରିମ କୋର୍ଟରେ ଆବେଦନ କଲେ । ଏହି ଆଇନ ନିର୍ଦ୍ଦିଷ୍ଟ ଏକ ସଂପ୍ରଦାୟ ଲାଗି ଉଦ୍ଦିଷ୍ଟ ବୋଲି ଦର୍ଶାଇବା ସହିତ ଏହା ସମ୍ବିଧାନରେ ଉଲ୍ଲିଖିତ ସମାନତା ନୀତିର ବିରୁଦ୍ଧାଚରଣ କରୁଛି ବୋଲି ଆବେଦନକାରୀମାନେ ବର୍ଣ୍ଣନା କଲେ । 2020 ସେପ୍ଟେମ୍ବର ମାସରେ, ବିଚାରପତି ଏଲ୍. ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇ ମରାଠା କୋଟା ଆଇନର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କଲେ ।
ସୁପ୍ରିମ କୋର୍ଟଙ୍କ ଆଗରେ କେଉଁ ସବୁ ପ୍ରସଙ୍ଗ ଥିଲା
ମରାଠା କୋଟା ଆଇନର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିବା ସମୟରେ ସୁପ୍ରିମ କୋର୍ଟ, 1992 ମସିହାରେ ଇନ୍ଦ୍ର ସାହନି ବନାମ କେନ୍ଦ୍ର ସରକାର ମାମଲାରେ ଦିଆଯାଇଥିବା ରାୟ ଉପରେ ନିର୍ଭର କରିଥିଲେ । ସୁପ୍ରିମ କୋର୍ଟର ନଅ ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଦେଇଥିବା ଏହି ରାୟରେ ସରକାରୀ ନିଯୁକ୍ତି ଏବଂ ଶିକ୍ଷାନୁଷ୍ଠାନରେ ନାମଲେଖା କ୍ଷେତ୍ରରେ ସର୍ବାଧିକ 50% ସଂରକ୍ଷଣ ରହିପାରିବ ବୋଲି ସ୍ଥିର କରାଯାଇଥିଲା । ହେଲେ, କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମକୁ ସାମ୍ବିଧାନିକ ଖଣ୍ଡପୀଠ ଅନୁମତି ଦେଇଥିଲେ । ନିର୍ଦ୍ଦିଷ୍ଟ ଭାବରେ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଏବଂ ଜାତୀୟ ମୁଖ୍ୟସ୍ରୋତରେ ସାମିଲ ହୋଇପାରି ନଥିବା ଲୋକଙ୍କ କ୍ଷେତ୍ରରେ ନିୟମର ଏହି ବ୍ୟତିକ୍ରମ ଉଦ୍ଦିଷ୍ଟ ଥିଲା ।
ସେପ୍ଟେମ୍ବର 2020ରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶରେ ମତ ବ୍ୟକ୍ତ କରିଥିଲେ ଯେ, ମରାଠୀମାନେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ବସବାସ କରୁ ନଥିବାରୁ, ଇନ୍ଦ୍ର ସାହନି ମାମଲାରେ ପ୍ରଦତ୍ତ ରାୟରେ ସ୍ଥାପିତ ନିୟମ ଅନୁସାରେ ମରାଠା ସଂପ୍ରଦାୟ ପାଇଁ ସଂରକ୍ଷଣ ବ୍ୟବସ୍ଥା ବୈଧ ନୁହେଁ ।
102ତମ ସମ୍ବିଧାନ ସଂଶୋଧନର ବୈଧତା
2018 ଓ 2019 ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଗୃହୀତ ଦୁଇଟି ସମ୍ବିଧାନ ସଂଶୋଧନ ପ୍ରସଙ୍ଗର ବୈଧତାକୁ ମଧ୍ୟ ସୁପ୍ରିମ କୋର୍ଟ ପରୀକ୍ଷା କରି ଦେଖିବେ । ପ୍ରଥମଟି ହେଉଛି 102ତମ ସମ୍ବିଧାନ ସଂଶୋଧନ, ଯାହାକି 2018 ମସିହା ଅଗଷ୍ଟରୁ କାର୍ଯ୍ୟକାରୀ ହୋଇଛି । ଏଥିରେ ପଛୁଆ ଶ୍ରେଣୀ ପାଇଁ ଜାତୀୟ କମିଶନ (NCBC)କୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରାଯାଇଛି । ଏହି ସଂଶୋଧନ ଦ୍ବାରା ସମ୍ବିଧାନରେ 338-ବି ଏବଂ 342-ଏ ଧାରାକୁ ସାମିଲ କରାଯାଇଛି । ସମ୍ବିଧାନର 338-(ବି) (9) ଧାରା ଅନୁସାରେ କୌଣସି ବୃହତ୍ ନୀତି ପ୍ରବର୍ତ୍ତନ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କମିଶନ (NCBC)ଙ୍କ ସହ ପରାମର୍ଶ କରିବେ ଏବଂ ଧାରା 342-ଏ ଅନୁସାରେ, ରାଜ୍ୟପାଳଙ୍କ ସହ ପରାମର୍ଶ କରିବା ପରେ ରାଷ୍ଟ୍ରପତି ଯେ କୌଣସି ଶ୍ରେଣୀକୁ ସାମାଜିକ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀ ରୂପେ ବିଜ୍ଞାପିତ କରିପାରିବେ । ମରାଠା କୋଟା ଆଇନକୁ ଅଦାଲତରେ ବିରୋଧ କରିଥିବା ଆବେଦନକାରୀମାନେ ଦର୍ଶାଇଛନ୍ତି ଯେ, 2018 ମସିହା ଅଗଷ୍ଟ ମାସରେ ଗୃହୀତ 102ତମ ସମ୍ବିଧାନ ସଂଶୋଧନ ବଳରେ ଏଣିକି ଯେ କୌଣସି ଶ୍ରେଣୀର ଲୋକଙ୍କୁ ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀରେ ସାମିଲ କରିବା କିମ୍ବା ଏଥିରୁ ବାଦ ଦେବାର କ୍ଷମତା ଭାରତର ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରାଯାଇଛି ।
ଆବେଦନକାରୀମାନେ ଆହୁରି ଦର୍ଶାଇଥିଲେ ଯେ, 102ତମ ସମ୍ବିଧାନ ସଂଶୋଧନ କାର୍ଯ୍ୟକାରୀ ହେବାର ଦୁଇ ମାସ ପରେ 2018 ମସିହା ନଭେମ୍ବରରେ ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ମରାଠା ସଂରକ୍ଷଣ ଆଇନ ଗୃହୀତ ହୋଇଥିଲା । ସୁତରାଂ, ମରାଠାମାନଙ୍କୁ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ଶ୍ରେଣୀରେ ସାମିଲ କରିବାର ବୈଧାନିକ ଅଧିକାର ସେତେବେଳେ ରାଜ୍ୟ ସରକାରଙ୍କର ନଥିଲା ।
ଆର୍ଥିକ ଦୁର୍ବଳ ବର୍ଗ ପାଇଁ ସଂରକ୍ଷଣର ବୈଧତା
ମରାଠା ସଂରକ୍ଷଣ ଆଇନର ନ୍ୟାୟିକ ବୈଧତା ନେଇ ଅଦାଲତରେ ପ୍ରଶ୍ନ ଉଠାଇଥିବା ଆବେଦନକାରୀମାନେ ଏହା ମଧ୍ୟ ଦର୍ଶାଇଥିଲେ ଯେ, 103ତମ ସମ୍ବିଧାନ ସଂଶୋଧନ ବଳରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ 10% ସଂରକ୍ଷଣ ବ୍ୟବସ୍ଥାର ବୈଧତାକୁ ସର୍ବୋଚ୍ଚ ଅଦାଲତ ପରୀକ୍ଷା କରି ଦେଖିବା ଆବଶ୍ୟକ । ଏହି ସଂଶୋଧନ ବଳରେ 1992 ମସିହାରେ ସୁପ୍ରିମ କୋର୍ଟଙ୍କ ଦ୍ବାରା ନିର୍ଦ୍ଧାରିତ ସର୍ବାଧିକ 50% ସଂରକ୍ଷଣ ସୀମା ବାହାରକୁ ଯାଇ ଆର୍ଥିକ ଦୁର୍ବଳ ଶ୍ରେଣୀ ବ୍ୟକ୍ତିଙ୍କୁ ଆଉ ଅଧିକ 10% ସଂରକ୍ଷଣ ପ୍ରଦାନ କ୍ଷମତା କେନ୍ଦ୍ର ସରକାରଙ୍କର ରହିଛି । ଏହି ଉପାୟ ଅବଲମ୍ବନ କରି କେତେକ ରାଜ୍ୟ ମଧ୍ୟ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ 10% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିସାରିଲେଣି । ସମ୍ବିଧାନର 15 (6) ଅନୁସାରେ, କେନ୍ଦ୍ର ଓ ରାଜ୍ୟ ସରକାରମାନେ, ସଂଖ୍ୟାଲଘୁ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଅନୁଷ୍ଠାନ ବ୍ୟତୀତ, ଅନ୍ୟାନ୍ୟ ଅନୁଷ୍ଠାନରେ ବିଭିନ୍ନ ବର୍ଗ ପାଇଁ ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ସହିତ ଆଉ 10% ସଂରକ୍ଷଣ କରିପାରିବେ ଏବଂ 16 (6) ଧାରା ଅନୁସାରେ ସରକାରୀ ନିଯୁକ୍ତି କ୍ଷେତ୍ରରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ସର୍ବାଧିକ 10% ସଂରକ୍ଷଣ ରହିପାରିବ ଏବଂ ଏହା ମଧ୍ୟ ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ସହିତ ସାମିଲ ହେବ ।
193ତମ ସମ୍ବିଧାନ ସଂଶୋଧନର ବୈଧତାକୁ ଜନହିତ ଅଭିଯାନ ବନାମ ଭାରତ ସରକାର ମାମଲାରେ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ଏବଂ ଏହା ଏବେ ଅଦାଲତଙ୍କର ଏକ ସାମ୍ବିଧାନିକ ଖଣ୍ଡପୀଠ ପାଖରେ ବିଚାରାଧୀନ ରହିଛି ।
ମରାଠା ସଂରକ୍ଷଣ ବିତର୍କରୁ ହିଁ ଅନ୍ୟାନ୍ୟ ପ୍ରସଙ୍ଗ ଉନ୍ମୁକ୍ତ ହେଲା
ମରାଠା ସଂରକ୍ଷଣ ଆଇନ ମାମଲାର ଆବେଦନକାରୀମାନେ ଦର୍ଶାଇଛନ୍ତି ଯେ, ଏହି ଦୁଇଟି ସାମ୍ବିଧାନିକ ସଂଶୋଧନ (ସଂଖ୍ୟା 102 ଓ 103) ଲାଗୁ ହେବା ପରେ, ଏଥିରେ ସମ୍ବିଧାନର 14, 15, 16, 338-ବି ଏବଂ 342-ଏ ଧାରାର ପାରସ୍ପରିକ କ୍ରିୟାଶୀଳତାକୁ ସର୍ବୋଚ୍ଚ ଅଦାଲତ ବିଚାରକୁ ନେଇନାହାନ୍ତି ।
ଆଗକୁ କେଉଁ ବାଟ ରହିଛି
ସୋମବାର (ମାର୍ଚ୍ଚ 8) ଦିନ, ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାରେ ସବୁ ରାଜ୍ୟକୁ ସାମିଲ କରିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି ଏବଂ କୋର୍ଟ ଆଗରେ ନିଜ ନିଜର ପକ୍ଷ ଦାଖଲ କରିବା ଲାଗି ସେମାନଙ୍କୁ ନୋଟିସ ଜାରି କରିଛନ୍ତି । ଏହା ଏଥିପାଇଁ କରାଯାଇଛି ଯେ, ଅଦାଲତଙ୍କ ଆଗରେ ବିଚାର ପାଇଁ ରହିଥିବା ଅନେକ ପ୍ରସଙ୍ଗରୁ ଗୋଟିଏ ହେଉଛି, କୌଣସି ଶ୍ରେଣୀକୁ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ଶ୍ରେଣୀରେ ସାମିଲ କରିବା ପାଇଁ ରାଜ୍ୟମାନଙ୍କର ବୈଧାନିକ ଯୋଗ୍ୟତାକୁ ସମ୍ବିଧାନର 342-ଏ ଧାରା ପ୍ରଭାବିତ କରୁଛି କି ନାହିଁ । ଅଦାଲତ କହିଛନ୍ତି ଯେ, ପଛୁଆ ବର୍ଗ ପାଇଁ ଉଦ୍ଦିଷ୍ଟ ଜାତୀୟ କମିଶନ (NCBC)କୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିଥିବା 192ତମ ସଂଶୋଧନର ବ୍ୟାଖ୍ୟା ମଧ୍ୟ ସମାନୁପାତିକ ଭାବେ ମୌଳିକ ଗୁରୁତ୍ବ ବହନ କରେ ।
ଅନ୍ୟାନ୍ୟ ପ୍ରସଙ୍ଗ ଭିତରେ, ଇନ୍ଦ୍ର ସାହନି ମାମଲାର ରାୟ ପରିପ୍ରେକ୍ଷୀରେ ଏବଂ ପରବର୍ତ୍ତୀ ସମୟରେ ଗୃହୀତ ସାମ୍ବିଧାନିକ ସଂଶୋଧନ, ଅଦାଲତଙ୍କ ବିଭିନ୍ନ ରାୟ ଏବଂ ସମାଜରେ ପରିବର୍ତ୍ତିତ ସାମାଜିକ ପ୍ରଗତିର ଧାରାକୁ ବିଚାରକୁ ନେଇ ଆବେଦନକାରୀମାନଙ୍କ ଦାବିଗୁଡ଼ିକୁ ପରୀକ୍ଷା କରିବା ଲାଗି ମଧ୍ୟ ଖଣ୍ଡପୀଠ ସମ୍ମତ ହୋଇଛନ୍ତି । ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ମାର୍ଚ୍ଚ 15ରୁ ଏ ସଂପର୍କିତ ଶୁଣାଣି ଆରମ୍ଭ କରିବେ ଏବଂ ମାର୍ଚ୍ଚ 25ରେ ତର୍କ ଉପସ୍ଥାପନ ଶେଷ ହେବ ବୋଲି ସ୍ଥିର କରାଯାଇଛି ।
କ୍ରିଷ୍ଣାନନ୍ଦ ତ୍ରିପାଠୀ, ଇଟିଭି ଭାରତ