ନୂଆଦିଲ୍ଲୀ: ତ୍ରିପୁରାରେ ହିଂସା ପରିସ୍ଥିତି ଲାଗି ରହିଥିବାବେଳେ ହେବାକୁ ଥିବା ପୌର ନିର୍ବାଚନ (Municipal elections) ଉପରେ ସ୍ଥଗିତାଦେଶ ଲଗାଇବା ପାଇଁ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ଦାଏର ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ କୋର୍ଟ (SC) । କୌଣସି ପରିସ୍ଥିତିରେ ନିର୍ବାଚନ ବନ୍ଦ ନକରିବା ସହ ଶାନ୍ତି ବଜାୟ ରଖିବା ଓ ବ୍ୟବସ୍ଥିତ ଢଙ୍ଗରେ ଅବାଧ ମତଦାନ କରାଇବା ପାଇଁ ତ୍ରିପୁରା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ଆସନ୍ତା ୨୫ ତାରିଖରେ ଏହି ପୌର ନିର୍ବାଚନର ମତଦାନ ହେବାକୁ ଯାଉଛି ।
ସୁପ୍ରିମକୋର୍ଟ କହିଛନ୍ତି, ନିର୍ବାଚନକୁ ସ୍ଥଗିତ ରଖିବା ବିକଳ୍ପ ନୁହେଁ । ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାର ସମସ୍ତ ବ୍ୟବସ୍ଥା କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା । ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଓ ଅବାଧ ହିଂସାମୁକ୍ତ ନିର୍ବାଚନ ଶେଷ କରିବା ତ୍ରିପୁରା ଗୃହ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ କର୍ତ୍ତବ୍ୟ ।
ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ତ୍ରିପୁରାରେ CRPF ର 3 ଟି ବାଟାଲିୟନ ଫିଲ୍ଡ ଡ୍ୟୁଟି ନିୟୋଜିତ ଅଛନ୍ତି । 78 ଟି ବିଭାଗକୁ ନେଇ 17 ଟି କମ୍ପାନୀ ନିର୍ବାଚନ ଡ୍ୟୁଟି ପାଇଁ ପ୍ରସ୍ତୁତ କରାଯାଇଛି । ଆଗକୁ ଆଉ 12 ଟି ବିଭାଗ ପ୍ରସ୍ତୁତ ହେବ। ତେଣୁ ନିର୍ବାଚନ ସ୍ଥଗିତ କରିବାର କିଛି ବିଶେଷ କାରଣ ନାହିଁ ।
ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଜି 4:30 ପ୍ରଚାର ମଧ୍ୟ ଶେଷ ହୋଇଛି। ନଭେମ୍ବର 25 ରେ ମତଦାନ ହେବାକୁ ଥିବାବେଳେ ଡିସେମ୍ବର 4 ରେ ଭୋଟ ଗଣତି ହେବ । ହିଂସା ପାଇଁ ନିର୍ବାଚନକୁ ସ୍ଥଗିତ ରଖିବା ଶେଷ ବିକଳ୍ପ ହେବା ଆବଶ୍ୟକ । ମ୍ୟୁନିସିପାଲିଟି ନିର୍ବାଚନର ଅବଶିଷ୍ଟ ପର୍ଯ୍ୟାୟ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବରେ ସମାପ୍ତ ହେବ ବୋଲି କୋର୍ଟ ଆଶା ପ୍ରକଟ କରିଛନ୍ତି ।
ଅବଶିଷ୍ଟ ପର୍ଯ୍ୟାୟର ଶାନ୍ତିପୂର୍ଣ୍ଣ ଆଚରଣ ସୁନିଶ୍ଚିତ କରିବା ପାଇଁ ଅର୍ଦ୍ଧ୍ବ ସାମରିକ ବାହିନୀର ମୂତୟନକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଡିଜିପି ଏବଂ ଆଇଜିପି (Law and order) ଆସନ୍ତାକାଲି ପୂର୍ବାହ୍ନରେ ରାଜ୍ୟ ନିର୍ବାଚନ ଆୟୋଗ(State Election Commission)ଙ୍କ ସହ ମିଳିତ ବୈଠକ କରିବେ। ସେହିପରି ଗ୍ରାଉଣ୍ଡରେ ପରିସ୍ଥିତିର ଆକଳନ କରିବା ଓ ଆବଶ୍ୟକ ପରିମାଣର CRPF ବାହିନୀ ମୂତୟନ କରିବା ପାଇଁ ପ୍ରଶାସନିକ ତତ୍ପରାତା ଦେଖାଇବା ନେଇ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ