ଚଣ୍ଡିଗଡ: ବ୍ରିଟିଶ ପୂର୍ବବର୍ତ୍ତୀ ଭାରତରେ ପ୍ରାଚୀନ ଶିକ୍ଷା ପ୍ରଣାଳୀ କର୍ମନିଯୁକ୍ତି କୈନ୍ଦ୍ରିକ ନୁହେଁ ବରଂ ଗୁଣାତ୍ମକ ଥିଲା । ବ୍ରିଟିଶରଙ୍କ ଆଗମନ ପରେ ଭାରତରେ ଶିକ୍ଷା ବ୍ୟବସ୍ଥା ଭୁଶୁଡିଛି । ଭାରତରେ ପ୍ରଚଳିତ ପୁରାତନ ଶିକ୍ଷା ବ୍ୟବସ୍ଥାକୁ ବ୍ରିଟିଶରମାନେ ନିଜ ଦେଶରେ ପ୍ରଚଳିତ କଲେ, ହେଲେ ତାଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ସେମାନେ ଭାରତୀୟ ସମାଜରେ ଲାଗୁ କଲେ । ଯାହାଫଳରେ ଭାରତରେ ଶିକ୍ଷା ବ୍ୟବସ୍ଥାର ବିପର୍ଯ୍ୟୟ ଘଟିଲା ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ପ୍ରମୁଖ ମୋହନ ଭାଗବତ ।
ହରିୟାଣାରେ ଏକ ମଲ୍ଟି ସ୍ପେସାଲିଟି ହସ୍ପିଟାଲ ଲୋକାର୍ପଣ କାର୍ଯ୍ୟକ୍ରମକୁ ଅତିଥି ଭାବେ ସମ୍ବୋଧିତ କରିବା ଅବସରରେ ସେ ଏହି ପ୍ରସଙ୍ଗକୁ ଉଠାଇଛନ୍ତି । ଭାଗବତ କହିଛନ୍ତି, ଇଂରେଜମାନେ ଭାରତକୁ ଆସିବା ପୂର୍ବରୁ ଭାରତରେ ତତ୍କାଳୀନ ମୋଟ ଲୋକସଂଖ୍ୟାର ପ୍ରାୟ 70 ପ୍ରତିଶତ ଲୋକ ଶିକ୍ଷିତ ଥିଲେ । ସେହି ସମୟରେ ଦେଶରେ ବେରୋଜଗାରି ମଧ୍ୟ ନଥିଲା । ଇଂରେଜମାନେ ଭାରତୀୟ ସମାଜରେ ସେମାନଙ୍କର ଶିକ୍ଷା ପ୍ରଣାଳୀକୁ ଲାଗୁ କଲେ । ଭାରତୀୟ ପ୍ରାଚୀନ ଶିକ୍ଷା ବ୍ୟବସ୍ଥାକୁ ନିଜ ଦେଶରେ ପ୍ରଚଳିତ କରିଥିଲେ । ବ୍ରିଟିଶ ସମାଜରେ ସାକ୍ଷରତା ହାର 70 ପ୍ରତିଶତ ଥିବା ବେଳେ ଭାରତୀୟ ସାମାଜରେ ଶିକ୍ଷାର ଅଧୋପତନ ଆରମ୍ଭ ହୋଇଥିଲା । ଇଂରେଜମାନଙ୍କ ପାଇଁ ଆଜି ଉଭୟ ଦେଶ ମଧ୍ୟରେ ଶିକ୍ଷା ବ୍ୟବସ୍ଥାରେ ଏତେ ବଡ ପାର୍ଥକ୍ୟ ଦେଖିବାକୁ ମିଳୁଛି ବୋଲି ଭାଗବତ କହିଥିଲେ ।
ସେହିପରି ଆହୁରି ମଧ୍ୟ ସେ କହିଥିଲେ, ଇଂରେଜମାନେ ଭାରତକୁ ଆସିବା ପୂର୍ବରୁ ବ୍ରିଟେନର ଲୋକସଂଖ୍ୟାର ମାତ୍ର 17 ପ୍ରତିଶତ ଲୋକ ଶିକ୍ଷିତ ଥିଲେ । ଭାରତୀୟ ଶିକ୍ଷା ପ୍ରଣାଳୀ ଲାଗୁ ହେବା ପରେ ଏଥିରେ ବୃଦ୍ଧି ଘଟି 70 ପ୍ରତିଶତ ଛୁଇଁଥିଲା । ହେଲେ ଅନୁପୂର ଭାବେ ସେମାନଙ୍କ ଶିକ୍ଷା ପ୍ରଣାଳୀ ଲାଗୁ ହେବା ଫଳରେ ଭାରତର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲା । 70 ପ୍ରତିଶତରୁ ସାକ୍ଷରତା ହାର ହ୍ରାସ ପାଇ ମାତ୍ର 17 ପ୍ରତିଶତରେ ପହଞ୍ଚିଥିଲା ।
ପ୍ରାଚୀନ ଭାରତୀୟ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ବିଶ୍ଳେଷଣ କରି ଭାଗବତ କହିଛନ୍ତି, ତତ୍କାଳୀନ ଶିକ୍ଷା ବ୍ଯବସ୍ଥା କେବଳ କର୍ମନିଯୁକ୍ତି କୈନ୍ଦ୍ରିକ ନଥିଲା ବରଂ ଜ୍ଞାନର ଆଧାର ଥିଲା । ସେତେବେଳେ ସମସ୍ତଙ୍କ ପାଇଁ ଶିକ୍ଷାର ଉପଲବ୍ଧତା ମଧ୍ୟ ନିଶ୍ଚିତ କରାଯାଇଥିଲା । ଫଳରେ ଶିକ୍ଷା ବ୍ୟବସ୍ଥା ସମାଜର ପ୍ରତିଟି ବର୍ଗ ପାଖରେ ନିକଟତର ହୋଇପାରିଥିଲା । ଯାହା ପରବର୍ତ୍ତୀ ସମୟରେ ବ୍ରିଟିଶ ରାଜରେ ବିପର୍ଯ୍ୟସ୍ତ ହୋଇଥିଲା ବୋଲି ଭାଗବତ କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ