ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ଆଉ ଜଣେ ଓଡିଆଙ୍କୁ ବଡ ଦାୟିତ୍ବ ଦେଲେ କେନ୍ଦ୍ର ସରକାର । ପୂର୍ବତନ ଓଡିଆ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଦେବାଶିଷ ପଣ୍ଡାଙ୍କୁ ବୀମା ନିୟାମକ ଓ ବିକାଶ ପ୍ରାଧୀକରଣ Insurance Regulatory and Development Authority of India (IRDAI)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । କ୍ୟାବିନେଟ ନିଯୁକ୍ତି କମିଟି (ACC) ର ସୁପାରଶ କ୍ରମେ ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ କରାଯାଇଛି । ଆଗାମୀ ୩ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ ।
ଦେବାଶିଷ ପଣ୍ଡା ହେଉଛନ୍ତି ଉତ୍ତର ପ୍ରଦେଶ କ୍ୟାଡରର ୧୯୮୭ ବ୍ୟାଚର ଭାରତୀୟ ପ୍ରଶାସନିକ ଅଧିକାରୀ । ପୂର୍ବରୁ ଅର୍ଥ ସେବା ସଚିବ ଭାବେ ଦାୟିତ୍ବ ତୁଲାଇଥିବା ପଣ୍ଡା ଚଳିତବର୍ଷ ଜାନୁୟାରୀରେ ସେବାରୁ ନିବୃତ୍ତ ହୋଇଥଲେ । ତେବେ ପୂର୍ବତନ IRDAI ର ଅଧ୍ୟକ୍ଷ ଦାୟିତ୍ବରେ ଥିବା ସୁଭାଷ ଚନ୍ଦ୍ରା ଖୁଣ୍ଟିଆ ଗତବର୍ଷ ମ’ରେ ଦାୟିତ୍ବରୁ ଅବସର ନେଇଥିଲେ । ପ୍ରାୟ ୯ ମାସ ଧରି ଖାଲି ରହିବା ପରେ ଦେବାଶିଷ ପଣ୍ଡାଙ୍କୁ ଏହାର ମୁଖ୍ୟ ଭାବେ ଦାୟିତ୍ବ କେନ୍ଦ୍ର ।
ଗତବର୍ଷ ଏପ୍ରିଲରେ ତତ୍କାଳୀନ ମୁଖ୍ୟ ଖୁଣ୍ଟିଆଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ କେନ୍ଦ୍ର ସରକାର ଏହାର ନୂତନ ମୁଖ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ । ଆଶାୟୀମାନଙ୍କ ଆବେଦନ ଗ୍ରହଣ କରିବା ମଧ୍ୟ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୂଡାନ୍ତ ଅନୁମୋଦନ ଲାଭ କରି ଏହି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି ।
IRDAI ୧୦ ସଦସ୍ୟଙ୍କୁ ନେଇ ଗଠିତ ନିୟାମକ ବୋର୍ଡ ଭାବେ କାର୍ଯ୍ୟ କରିଥାଏ ।ତେବେ ଏହି ନିୟାମକ କମିଟିରେ ଜଣେ ଅଧ୍ୟକ୍ଷ ୫ ଜଣ ପୂର୍ଣ୍ଣକାଳୀନ ସଦସ୍ୟ ଓ ୪ ଜଣ ଆଶିଂକ ସମୟ ସଦସ୍ୟ ଭାବେ ସ୍ଥାନ ପାଇଥାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ