ଥିରୁଅନନ୍ତପୁରମ: କେରଳରେ ଜଣେ ୨୬ ବର୍ଷୀୟା ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ତାଙ୍କର ବିବାହ ପାଇଁ ଯୌତୁକରେ ବର ଘର ଲୋକେ ଡିମାଣ୍ଡ କରୁଥିଲେ ବିଏମଡବ୍ଲୁ କାର୍ । ଜମି ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ବି ଦାବି କରୁଥିଲେ । ହେଲେ ଏତେ ଯୌତୁକ ଦେବାକୁ ଅସମର୍ଥ ଥିଲେ ଡାକ୍ତରୀ ଛାତ୍ରୀଙ୍କ ଘର ଲୋକେ । ଏଥିରେ ରାଗିଯାଇ ବର ଘର ବିବାହ ଭାଙ୍ଗି ଦେଇଥିଲେ । ଏହି ଚାପରେ ଛାତ୍ରୀ ଜଣକ ଜୀବନ ହାରି ଦେଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ୨୬ ବର୍ଷୀୟା ଶାହାନା । ସେ ଥିରୁଅନନ୍ତପୁର ମେଡିକାଲ କଲେଜର ସର୍ଜରୀ ବିଭାଗର ପିଜି ଛାତ୍ରୀ ଥିଲେ ।
ଶାହାନା ବିବାହ କରିବାକୁ ଯାଉଥିବା ଯୁବକ ତାଙ୍କର ବୟଫ୍ରେଣ୍ଡ ଥିଲା । ସେହି ଯୁବକ ମଧ୍ୟ ଜଣେ ଡାକ୍ତର ଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପରେ ବିବାହ ଯାଏଁ କଥା ପହଞ୍ଚିଥିଲା । ତାଙ୍କ ବୟଫ୍ରେଣ୍ଡର ପରିବାର ଲୋକେ ବିବାହ ପାଇଁ ଯୌତୁକ ବାବଦକୁ ଜମି, ସୁନା ଗହଣା ଏବଂ ଗୋଟିଏ ବିଏମଡବ୍ଲୁ କାର୍ ଡିମାଣ୍ଡ କରିଥିଲେ । ହେଲେ ଏହାକୁ ପୁରା କରିବାକୁ ଅସମର୍ଥ ଥିଲେ ଶାହାନାଙ୍କ ପରିବାର । ତେଣୁ ତାଙ୍କର ବୟଫ୍ରେଣ୍ଡ୍ ବିବାହ ପାଇଁ ସିଧା ସିଧା ମନା କରିଦେଇଥିଲେ । ବାହାଘର ଭାଙ୍ଗିଯିବାରୁ ଏହାକୁ ନେଇ ଖୁବ୍ ଚାପରେ ରହୁଥିଲେ ଶାହାନା ।
ଗତ ମଙ୍ଗଳବାର ସକାଳେ ସେ ରହୁଥିବା ଆପାର୍ଟମେଣ୍ଟରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଯୌତୁକ ଡିମାଣ୍ଡକୁ ନେଇ ବିବାହ ଭାଙ୍ଗିଯିବାରୁ ଶାହାନା ଚାପରେ ଥିଲେ । ଏଥିପାଇଁ ସେ ଜୀବନ ହାରିଥିବା ତାଙ୍କର ସମ୍ପର୍କୀୟ ଅଭିଯୋଗ କରିଛନ୍ତି । କହିରଖୁଛୁ କି, କିଛି ଦିନ ତଳେ ଶାହାନାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା । ସେ ମଧ୍ୟପ୍ରାଚ୍ୟରେ ଚାକିରି କରୁଥିଲେ । ଏପରି ସ୍ଥିତିରେ ବର ଘର ଲୋକଙ୍କ ଏତେ ଟଙ୍କାର ଯୌତୁକ ଡିମାଣ୍ଡ ପୂରଣ କରିବାକୁ ତାଙ୍କର ପରିବାର ଲୋକେ ଅସମର୍ଥ ରହିଥିଲେ ।
ଏନେଇ ପୋଲିସ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାରେ ଅଭିଯୁକ୍ତ ଡାକ୍ତରଙ୍କୁ(ବୟଫ୍ରେଣ୍ଡ) ମଧ୍ୟ ଗିରଫ କରାଯାଇଥିବା ସୂଚନା ରହିଛି । ସେପଟେ କେରଳ ମହିଳା କମିଶନ ଅଧ୍ୟକ୍ଷା ସତୀଦେବୀ ଡାକ୍ତରୀ ଛାତ୍ରୀଙ୍କ ଘରେ ପହଞ୍ଚି ତାଙ୍କ ମାଆକୁ ସାକ୍ଷାତ କରିଛନ୍ତି । ଏଥିସହ ଏହି ମାମଲାରେ କ'ଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାହାର ରିପୋର୍ଟ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।