ଭୋପାଳ: ମଧ୍ୟପ୍ରଦେଶ ସତନା ଜିଲ୍ଲାରୁ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୩୫ ବର୍ଷୀୟ ଯୁବକ ଦୁଷ୍କର୍ମ ମାମଲାରେ ୭ ବର୍ଷ ପରେ ଜେଲରୁ ମୁକୁଳିବା ପରେ ପୁଣିଥରେ ସମାନ ଅପରାଧ ଘଟାଇଛି । ଜେଲ ଫେରନ୍ତା ଯୁବକ ଜଣେ ୫ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ କରିଛି । ପୀଡିତା ଶିଶୁର ବାପାମାଆ ଭିକ ମାଗନ୍ତି । ଅଭିଯୁକ୍ତ ଶିଶୁକନ୍ୟାକୁ ପ୍ରଲୋଭନ ଦେଖାଇ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ରିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ୫ ବର୍ଷୀୟ ଶିଶୁକନ୍ୟା ଓ ତା'ର ବାପାମାଆ ଭିକ୍ଷାବୃତ୍ତି କରି ଚଳନ୍ତି । ସ୍ଥାନୀୟ ଅଞ୍ଚଳର ଜେଲ୍ ଫେରନ୍ତା ଯୁବକ ରାକେଶ ବର୍ମାର ନଜର ଏହି ପିଲାଟି ଉପରେ ପଡିଥିଲା । ବୁଧବାର ସନ୍ଧ୍ୟାରେ ରାକେଶ ପିଲାଟିର ଘର ଲୋକଙ୍କ ସାମ୍ନାରେ ତାକୁ ମିଠା ମିଠା କଥା କହି ନିଜ ସାଙ୍ଗରେ ନେଇଯାଇଥିଲା । ସହରର ଗୋଟିଏ ଶିବ ମନ୍ଦିର ପଛପଟ ଶୂନଶାନ ରାସ୍ତାକୁ ନେଇଯାଇ ଦୁଷ୍କର୍ମ କରିଥିଲା ଏବଂ ସେଠାରୁ ଫେରାର୍ ହୋଇଯାଇଥିଲା । ପୋଲିସ ପୀଡିତା ଶିଶୁକନ୍ୟାକୁ ଉଦ୍ଧାର କରି ପ୍ରଥମେ ସତନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ହେଲେ ସ୍ବାସ୍ଥ୍ୟବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ରିବା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
ଏହାମଧ୍ୟ ପଢନ୍ତୁ: ନନ୍ଦନ ବିହାରରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ
ଅନ୍ୟପଟେ ଅଭିଯୁକ୍ତ ରାକେଶ ବର୍ମାକୁ ଗିରଫ କରାଯାଇଛି । ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ସତନା ଜିଲ୍ଲା କ୍ରିଷ୍ଣା ନଗର ଅଞ୍ଚଳ ନିବାସୀ । ୧୨ ବର୍ଷ ତଳେ ସେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏହି ମାମଲାରେ ତାକୁ ୧୦ ବର୍ଷ ଜେଲଦଣ୍ଡ ମିଳିଥିବା ବେଳେ ଭଲ ଆଚରଣ ପାଇଁ ୭ ବର୍ଷ ଜେଲରେ ରହି କିଛି ମାସ ତଳେ ମୁକୁଳିଥିଲା । କିନ୍ତୁ ଜେଲରୁ ବାହାରିବା ପରେ ପୁଣିଥରେ ସମାନ ଅପରାଧ ଘଟାଇଛି ।
ସିଟି ପୋଲିସ ସୁପରିଟେଣ୍ଡଣ୍ଟ ମହେନ୍ଦ୍ର ସିଂହ ଚୌହାନ କହିଛନ୍ତି ଯେ, ବୁଧବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଅଭିଯୁକ୍ତ ଶିଶୁକନ୍ୟାକୁ ନିଜ ସହ ନେଇଯାଇଥିଲା । ପରିବାର ଲୋକେ ଝିଅକୁ ନପାଇ ଥାନାରେ ଅଭିଯୋଗ କରିଥିଲେ । ବହୁ ଖୋଜାଖୋଜି କରିବା ପରେ ପୋଲିସ ମୁର୍ମୂଷ ଅବସ୍ଥାରେ ପୀଡିତାଙ୍କୁ ଉଦ୍ଧାର କରିଥିଲା ।