ଜୟପୁର: ମନ୍ତ୍ରୀ ପଦରୁ ବିଦା ହେଲେ ରାଜସ୍ଥାନର ରାଷ୍ଟ୍ର ମନ୍ତ୍ରୀ ରାଜେନ୍ଦ୍ର ଗୁଢା । ଅନେକ ଦିନ ଧରି ସେ ନିଜ ସରକାରଙ୍କୁ ଦୋଷ ଦୁର୍ବଳତାକୁ ପଦାରେ ପକାଉଥିଲେ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସୁପାରିଶ କ୍ରମେ ରାଜ୍ୟପାଳ କଲରାଜ ମିଶ୍ର ରାଜେନ୍ଦ୍ରଙ୍କ ବହିଷ୍କାର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗରେ ଶୁକ୍ରବାର ବିଧାନସଭାରେ ରାଜେନ୍ଦ୍ର ନିଜ ସରକାରକୁ ନିଶାନା କରିଥିଲେ । ଏହା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ରାଜ୍ୟପାଳ କଲରାଜ ମିଶ୍ରଙ୍କ ଦ୍ବାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସୁପାରିଶ କ୍ରମେ ରାଜ୍ୟପାଳ କଲରାଜ ମିଶ୍ର ରାଜେନ୍ଦ୍ରଙ୍କ ବହିଷ୍କାର ପ୍ରସ୍ତାବ ଆଗତ ହୋଇଥିଲା । ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଏହି ପ୍ରସ୍ତାବ ହସ୍ତଗତ ହେବା ପରେ ରାଜ୍ୟପାଳ ସଙ୍ଗେ ସଙ୍ଗେ ଏହାକୁ ସ୍ବୀକୃତି ପ୍ରଦାନ କରିଥିଲେ । ଦୀର୍ଘ ଦିନ ଧରି ନିଜ ସରକାରକୁ ନିଶାନା କରି ଚର୍ଚ୍ଚାରେ ରହି ଆସୁଥିଲେ ରାଜେନ୍ଦ୍ର । ତେବେ ଶୁକ୍ରବାର ବିଧାନସଭାରେ ମହିଳାଙ୍କ ନିର୍ଯାତନା ଘଟଣାକୁ ନେଇ ଗେହଲଟ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଥିଲେ ।
ଏହା ବି ପଢନ୍ତୁ- ରାଜସ୍ଥାନ ମନ୍ତ୍ରୀ ରାଜେନ୍ଦ୍ର ସିଂଙ୍କ ବିରୋଧରେ ୱାର୍ଡ ମେମ୍ବରଙ୍କୁ ଅପହରଣ ଅଭିଯୋଗ
ଗୁଢା କହିଥିଲେ, "ଆମକୁ ସ୍ବୀକାର କରିବାକୁ ପଡ଼ିବ ଯେ ରାଜସ୍ଥାନରେ ମହିଳାମାନେ ସୁରକ୍ଷିତ ନାହାନ୍ତି । ସେମାନଙ୍କୁ ସୁରକ୍ଷା ଦେବାରେ ଆମ ସରକାର ବିଫଳ ହୋଇଛି । ରାଜସ୍ଥାନରେ ବିଗତ ଦିନରେ ଯେପରି ମହିଳା ଅତ୍ୟାଚାର ବୃଦ୍ଧି ପାଇଛି ତାହା ଆମ ସରକାରଙ୍କ ବିଫଳତା ଛଡା ଆଉ କିଛି ନୁହେଁ ।" ମିଳିଥିବା ସୂଚନା ଅନୁସାରେ ଗୁଢାଙ୍କ ଏପରି ଲଗାତାର ନିଜ ସରକାରଙ୍କ ଉପରେ ଆକ୍ରମଣ ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।
ବିଧାନସଭାରେ କାର୍ଯ୍ୟ ଦିବସ ଜାରି ଥିବା ସମୟରେ ହିଁ ମନ୍ତ୍ରୀ ରାଜେନ୍ଦ୍ରକୁ ବହିଷ୍କାର କରାଯାଇଥିଲା । ଗତ ମେ ୧୫ ତାରିଖରେ ସଚିନ ପାଇଲଟଙ୍କ ବୈଠକରେ ମଧ୍ୟ ରାଜେନ୍ଦ୍ର ରାଜସ୍ଥାନ ମନ୍ତ୍ରୀମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ନିକଟରେ ମନ୍ତ୍ରୀମାନଙ୍କୁ ରଖିବା ଲାଗି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଥିବାର ପ୍ରମାଣ ମଧ୍ୟ ତାଙ୍କ ନିକଟରେ ଥିବା କହିଥିଲେ । ଏଥି ସହିତ ଉଦୟପୁରବାଟିରେ ମଧ୍ୟ ମନ୍ତ୍ରୀ ରାଜେନ୍ଦ୍ର ସଚିନ ପାଇଲଟଙ୍କ ସମର୍ଥନରେ କହିଥିଲେ, "ସଚିନ ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ହେଲେ ଯଦି କେହି ମାଆ କ୍ଷୀର ପିଇଛନ୍ତି, ତେବେ ସେ ସଚିନ ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦେଖାନ୍ତୁ।"