ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଖେରୀକୁ ରାହୁଲ ଗାନ୍ଧୀଙ୍କ ଗସ୍ତ ଉପରେ ରୋକ ଲାଗିବା ପରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ରାହୁଲ । ସରକାର ଅନୁମତି ଦେଇ ନଥିଲେ ମଧ୍ୟ ଉତ୍ତରପ୍ରଦେଶର ହିଂସା କ୍ଷତିଗ୍ରସ୍ତ ଲଖିମପୁର ଖେରୀ ଯିବେ ରାହୁଲ ଗାନ୍ଧି । ହିଂସା ପରେ ସେଠାରେ ୧୪୪ ଧାରା ଲାଗୁ ହୋଇଛି । ତେଣୁ ୫ ଜଣ ଗୋଟିଏ ସ୍ଥାନରେ ଏକାଠି ହୋଇପାରିବେ ନାହିଁ । ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ରାହୁଲ ଗାନ୍ଧୀଙ୍କ ୫ ଜଣିଆ ଟିମ୍ର ଗସ୍ତ ସମ୍ପର୍କିତ ଅନୁମତି ଆବେଦନକୁ ଅଗ୍ରାହ୍ୟ କରିଥିଲେ । ଏବେ ରାହୁଲ ସାମ୍ବାଦିକ ସମ୍ମିଳନୀ କରି ଯୋଜନା ଅନୁଯାୟୀ ଲଖିମପୁର ଖେରୀ ଯିବେ ବୋଲି କହିଛନ୍ତି ।
କଂଗ୍ରେସ ନେତାଙ୍କ ଲଖିମପୁର ଗସ୍ତ ସମ୍ପର୍କରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି କହିଛନ୍ତି, ୪ କିମ୍ବା ତା’ଠାରୁ ଅଧିକ ଲୋକଙ୍କ ଏକତ୍ରୀକରଣ ଉପରେ ରୋକ ଲାଗିଛି । ୧୪୪ ଧାରା ମଧ୍ୟ ଲାଗୁ ହୋଇଛି । ତେଣୁ ଆମେ ୩ ଜଣ କଂଗ୍ରେସ ନେତା ସେଠାକୁ ଯିବୁ । ପୂର୍ବରୁ ଏହି ଦେଶରେ ଗଣତନ୍ତ୍ର ଥିଲା, ବର୍ତ୍ତମାନ ଏକଛତ୍ରବାଦୀ ଶାସନ ଅଛି । ନେତାମାନଙ୍କୁ ୟୁପି ଯିବାକୁ ଅନୁମତି ନାହିଁ । ଦେଶରେ 'ଭୟଙ୍କର ଚୋରି' ହେଉଛି । ଦେଶର ଗଣମାଧ୍ୟମକୁ ନିୟନ୍ତ୍ରଣ କରାଯାଉଛି ବୋଲି କହିଛନ୍ତି ରାହୁଲ ।
ସୀତାପୁରରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗିରଫ ହେବା ଘଟଣାରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ରାହୁଲ କହିଛନ୍ତି, ହିଁ ସେ ସୀତାପୁରରେ ଅଛନ୍ତି । ହେଲେ ଏ ସାମ୍ବାଦିକ ସମ୍ମିଳନୀ କେବଳ ଚାଷୀଙ୍କ ପାଇଁ ଆୟୋଜନ ହୋଇଛି । ଏଠାରେ କେବଳ ଚାଷୀଙ୍କ ବିଷୟରେ କଥା ହେବା । କିଛି ଦିନ ହେଲା ସରକାର ଚାଷୀମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଉଛି ଓ ହତ୍ୟା କରାଯାଉଛି । ଏହା ଚାଷୀଙ୍କ ଉପରେ ବ୍ୟବସ୍ଥିତ ଆକ୍ରମଣ ବୋଲି କହିଛନ୍ତି ରାହୁଲ ।
ହେଲେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ନୌ ଯାଇଥିଲେ । ହେଲେ ସେ ଲଖିମପୁର ଖେରୀ ଯାଇ ଚାଷୀଙ୍କୁ ଭେଟିଲେ ନାହିଁ ବୋଲି କହିଛନ୍ତି ରାହୁଲ । ମୃତ ଚାଷୀଙ୍କ ବ୍ୟବଚ୍ଛେଦ ମଧ୍ୟ ଠିକ ଭାବେ ହୋଇନି ବୋଲି ଅଭିଯୋଗ କରିଛନ୍ତି ରାହୁଲ ।
@ANI