ନୂଆଦିଲ୍ଲୀ: ମାର୍ଚ୍ଚ ସୁଦ୍ଧା ଘରୋଇ ଡାକ୍ତରଖାନା ଓ କମ୍ପାନୀ ଗୁଡିକୁ ମିଳିବ ଟିକା । ଗତକାଲି(ରବିବାର) କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ମାର୍ଚ୍ଚ ସୁଦ୍ଧା ଘରୋଇ ହସ୍ପିଟାଲ ଗୁଡିକ ଟିକା ପାଇଯିବେ ବୋଲି କହିଛନ୍ତି ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦାର ପୁନାୱାଲା ।
କେବଳ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମଚାରୀ ନୁହେଁ ସାଧାରଣ ଲୋକ ମଧ୍ୟ ଟିକା ନେବାର ଅଧିକାର ରହିଛି । ସେମାନେ ମଧ୍ୟ ଟିକାକୁ ନେଇ ଖୁସି ହୋଇ ପାରିବେ । କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ଥରେ 50-60 ନିୟୁତ କୋଭିସିଲ୍ଡ ଡୋଜ ଉତ୍ପାଦନ ହେବା ପରେ ସାଧାରଣ ଜନତା, ଘରୋଇ ଡାକ୍ତରଖାନା ଓ କମ୍ପାନୀମାନଙ୍କୁ ଡୋଜ ଦିଆଯିବ ବୋଲି କହିଛନ୍ତି ସେରମ ଇନଷ୍ଟିଚ୍ୟୁଟ ସିଇଓ । ଟିକାର ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର କରିବା ନେଇ DCGIର ଅନୁମୋଦନ ପରେ ଏପରି କହିଛନ୍ତି ଆଦାର ପୁନାୱାଲା ।
ପ୍ରାରମ୍ଭରେ ଏଜେନ୍ସି କେବଳ କେନ୍ଦ୍ର ସରକାରଙ୍କୁ ଟିକା ରପ୍ତାନି କରିବ । ଯେ ପର୍ଯ୍ୟନ୍ତ ଅନୁମତି ନମିଳିଛି ସେ ପର୍ଯ୍ୟନ୍ତ ଟିକା ବଜାରକୁ ରପ୍ତାନି ହେବ ନାହିଁ ବୋଲି ପୁନାୱାଲା ସ୍ପଷ୍ଟ କରିଛନ୍ତି । ତେବେ ଅର୍ଡର ମିଳିବାର 7-10 ଦିନ ମଧ୍ୟରେ ଆମେ ଟିକା ଯୋଗାଇବୁ ବୋଲି ଆଶା କରୁଛୁ । ସରକାର ଏକ ମାସରେ 50-60 ନିୟୁତ ଡୋଜ କିମ୍ବା ସପ୍ତାହରେ 10-15 ନିୟୁତ ଡୋଜ ଆବଶ୍ୟକ କରିବେ ବୋଲି ପୂର୍ବରୁ ସୂଚାଇ ଦେଇଛନ୍ତି। କେବଳ ଆନୁଷ୍ଠାନିକ ନିର୍ଦେଶକୁ ଅପେକ୍ଷା ରହିଛି ବୋଲି କହିଛନ୍ତି ପୁନାୱାଲା ।