ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ଇଣ୍ଟରପୋଲ (Interpol ) ର ୯୦ ତମ ସାଧାରଣ ପରିଷଦ (Interpol General Assembly) କୁ ସମ୍ବୋଧିତ କରିଛନ୍ତି । ସମ୍ବୋଧନ ଅବସରରେ ସମାବେଶରେ ଭାଗ ନେଇଥିବା ସମସ୍ତ ପ୍ରତିନିଧି ଓ ଅଧିକାରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ତାହାର ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରୁଛି । ଏହା ଦେଶର ଜନସାଧାରଣ ଓ ସଂସ୍କୃତିର ଏକ ଉତ୍ସବ । ୨୦୨୩ରେ ଇଣ୍ଟରପୋଲ ତାହାର ପ୍ରତିଷ୍ଠାର ଏକଶତ ବର୍ଷ ପାଳନ କରିବା ଏକ ବିରଳ ସଂଯୋଗ । ଏକ ଶହ ବର୍ଷ ପୂର୍ତ୍ତି ପାଳନ ଇଣ୍ଟରପୋଲ ଓ ଏହା ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ପାଇଁ ଆତ୍ମନିରୀକ୍ଷଣ ଓ ଆତ୍ମ ସମୀକ୍ଷାରେ ସମୟ । ଏହା ମାଧ୍ୟମରେ ଭବିଷ୍ୟତର କର୍ମପନ୍ଥା ନିର୍ଦ୍ଧାରଣ କରିବାକୁ ହେବ । ଏହି ଶତବାର୍ଷିକ ପାଳନ ପ୍ରସ୍ତୁତି ଅବସର ଏକ ଆନନ୍ଦ ଓ ଉତ୍ସାହର କ୍ଷଣ । ଏହା ଅନୁଶୀଳନ, ଆତ୍ମସମୀକ୍ଷା ଏବଂ ଅତୀତର ଭୁଲ , ବିଫଳତାରୁ ଶିକ୍ଷା କରି ନୂଆ ଆଶା ଓ ଉଦ୍ଦିପନା ସହିତ ଆଗକୁ ବଢିବାର ବେଳ ।
ପ୍ରଧାନମନ୍ତ୍ରୀ ଇଣ୍ଟରପୋଲର ଦର୍ଶନ ଭାରତୀୟ ସଂସ୍କୃତି ସହିତ କିପରି ମେଳ ଖାଉଛି ତାହା ଦର୍ଶାଇଥିଲେ । ବେଦରୁ “ଆନୋ ଭଦ୍ରା କ୍ରତବୋ ୟନ୍ତୁ ବିଶ୍ୱତ” ଆପ୍ତ (Aano Bhadra Krtavo Yantu Vishwatah) ବାକ୍ୟ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାର ଅର୍ଥ ହେଉଛି “ସବୁ ଦିଗରୁ ମହାନ ବିଚାର ଆସୁ । ଏହା ସହିତ ଇଣ୍ଟରପୋଲର ମଟୋ ବା ଦର୍ଶନ ମେଳ ଖାଉଛି ।” ଇଣ୍ଟରପୋଲର ମଟୋ ହେଲା ନିରାପଦ ବିଶ୍ୱ ସହିତ ପୋଲିସକୁ ଯୋଡିବା ବା ‘କନେକ୍ଟିଂ ପୁଲିସ ଉଇଥ ଏ ସେଫର ୱାର୍ଲ୍ଡ’ । ଅର୍ଥାତ ବୈଶ୍ୱିକ ସହଯୋଗ ଦ୍ୱାରା ସମଗ୍ର ପୃଥିବୀକୁ ଅଧିକ ନିରାପଦ କରାଯିବା ବିଶେଷ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱଶାନ୍ତି କ୍ଷେତ୍ରରେ ଭାରତର ବିଶେଷ ଅବଦାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମିଳିତ ଜାତିସଂଘର ଶାନ୍ତିରକ୍ଷା ପ୍ରୟାସରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସୁଛି । ଜାତିସଂଘ ଶାନ୍ତି ସେନାକୁ ଭାରତ ନିୟମିତ ସାହସୀ ପୁରୁଷ ଓ ମହିଳା ଯବାନ ଏବଂ ଅଧିକାରୀଙ୍କୁ ପଠାଉଛି । ଆମେ ବିଶ୍ୱ ଶାନ୍ତି ପାଇଁ ଅନେକ ତ୍ୟାଗ ସ୍ୱୀକାର କରିଛୁ । ଭାରତ ସ୍ୱାଧୀନ ହେବା ପୂର୍ବରୁ ଏକ୍ଷେତ୍ରରେ ତାହାର ଅବଦାନ ରଖିଛି । ଦୁଇ ବିଶ୍ୱଯୁଦ୍ଧ ସମୟରେ ହଜାର ହଜାର ଭାରତୀୟ ସେମାନଙ୍କର ପ୍ରାଣୋତ୍ସର୍ଗ କରିଛନ୍ତି ।
କୋଭିଡ ଟିକା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ସମ୍ପର୍କରେ ମୋଦି କହିଥିଲେ ଯେ ଏଭଳି ଯେକୌଣସି ବୈଶ୍ୱିକ ସଙ୍କଟର ସମାଧାନ କରିବାରେ ପ୍ରମୁଖ ଭୂମିକା ନେବାକୁ ଭାରତ ସଦା ପ୍ରସ୍ତୁତ । ଗୋଟିଏ ସମୟରେ ଅନେକ ଦେଶ ଓ ସମାଜ ବାହ୍ୟ ଜଗତ ପ୍ରତି ଆଖିବୁଜି ଦେଇ ନିଜ କଥାକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଭାରତ ସେତେବେଳେ ଅଧିକ ଆନ୍ତର୍ଜାତିକ ସହଯୋଗ ଉପରେ ଗୁରୁତ୍ୱ ଦେଇ କାମ କରୁଥିଲା । ସ୍ଥାନୀୟ କଲ୍ୟାଣ ପାଇଁ ବୈଶ୍ୱିକ ସହଯୋଗ ଆମର ଆହ୍ୱାନ ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ସମଗ୍ର ବିଶ୍ୱରେ ପୋଲିସ ବାହିନୀ କେବଳ ନିଜ ଦେଶର ଲୋକଙ୍କୁ ସୁରକ୍ଷିତ କରୁନାହିଁ, ଏହା ସାମାଜିକ କଲ୍ୟାଣ ଉପରେ ମଧ୍ୟ ଗୁରୁତ୍ୱ ଦେଉଛି । ଯେକୌଣସି ସଙ୍କଟ କାଳରେ ପୋଲିସବାହିନୀ ସମାଜର ମୁକାବିଲା ପ୍ରୟାସର ସମ୍ମୁଖରେ ରହେ । କୋଭିଡ ମହାମାରୀ କାଳରେ ଭାରତରେ ପୋଲିସ ବାହିନୀର ପ୍ରଶଂସନୀୟ କାର୍ଯ୍ୟର ଉଦାହରଣ ଦେଇ ସେ କହିଥିଲେ ଯେ ଅନେକ ପୁଲିସ କର୍ମଚାରୀ ମଧ୍ୟ ଏଥିରେ ଲୋକଙ୍କ ପାଇଁ ନିଜର ପ୍ରାଣକୁ ଉତ୍ସର୍ଗ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହି ଭାରତର ଭୌଗୋଳିକ ଓ ସାଂସ୍କୃତିକ ବିଶାଳତାର ଗୁରୁତ୍ୱ ଉଲ୍ଲେଖ କରି କହିଥିଲେ ଯେ ଏହାର ବିବିଧତା ଓ ବ୍ୟାପକତା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ପୋଲିସ ଉଭୟ ପ୍ରାଦେଶିକ ଓ ସଂଘୀୟସ୍ତରରେ ସମନ୍ୱୟ ରଖା କରି ୯୦୦ରୁ ଅଧିକ କେନ୍ଦ୍ରୀୟ ଏବଂ ୧୦ ହଜାରରୁ ଊର୍ଦ୍ଧ୍ୱ ପ୍ରାଦେଶିକ ଆଇନକୁ କାର୍ଯ୍ୟକାରୀ କରୁଛନ୍ତି । ସମ୍ବିଧାନରରେ ପ୍ରଦତ୍ତ ନାଗରିକ ଅଧିକାର ଓ ବିବିଧତାକୁ ସମ୍ମାନ ପ୍ରଦାନ କରି ଆମ ପୋଲିସ କାମ କରୁଛି । ସେମାନେ କେବଳ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁନାହାନ୍ତି, ଗଣତନ୍ତ୍ରଙ୍କୁ ମଧ୍ୟ ସୁରକ୍ଷିତ କରୁଛନ୍ତି । ଇଣ୍ଟରପୋଲର ସଫଳତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସଂଗଠନ ବିଶ୍ୱବ୍ୟାପୀ ୧୯୫ ଦେଶକୁ ଯୋଡି ବିଗତ ୯୯ ବର୍ଷ ଧରି କାମ କରିଆସୁଛି । ଏହା ତାହାର ପ୍ରତିଷ୍ଠାର ଏକଶତବର୍ଷ ପୂରଣ କରିବାକୁ ଯାଉଥିବାରୁ ଏହି ଗୌରବମୟ ମୁହୂର୍ତ୍ତ ଉପଲକ୍ଷେ ଭାରତ ସରକାର ସ୍ମାରକ ଡାକଟିକେଟ ଓ ମୁଦ୍ରା ଉନ୍ମୋଚନ କରିବାକୁ ଯାଉଛନ୍ତି ।
ପଳାତକ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିବାକୁ ଇଣ୍ଟରପୋଲ ଶୀଘ୍ର ରେଡ କର୍ଣ୍ଣର ନୋଟିସ ଜାରି କରିବା ଉଚିତ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ନିରାପଦ ଓ ସୁରକ୍ଷିତ ବିଶ୍ୱ ଗଠନ ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ । “ଭଲ” ଶକ୍ତି ଏକଜୁଟ ହେଲେ ଅପରାଧ ଭଳି ମନ୍ଦ ଶକ୍ତିର ଅବସାନ ସମ୍ଭବ ବୋଲି ସେ କହିଛନ୍ତି । ଏହି ସମ୍ମିଳନୀରେ ଯୋଗଦେଇଥିବା ପୋଲିସ ଅଧକାରୀମାନେ ଭାରତର ଜାତୀୟ ପୋଲିସ ସ୍ମାରକ ଓ ଜାତୀୟ ଯୁଦ୍ଧ ସ୍ମାରକ ବୁଲି ଦେଖିବା ସହିତ ଭାରତକୁ ସୁରକ୍ଷିତ ରଖିବାକୁ ବଳିଦାନ ଦେଇଥିବା ବୀରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପରାମର୍ଶ ଦେଇଥିଲେ । ଏହି ସମ୍ମିଳନୀ ଅପରାଧ, ଦୁର୍ନୀତି ଓ ଆତଙ୍କବାଦର ମୁକାବିଲାକୁ ଅଧିକ ସଫଳ କରିବାରେ ସହାୟକ ହେବ ବୋଲି ସେ ଆଶାପ୍ରକାଶ କରି କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହା, ଇଣ୍ଟରପୋଲର ଅଧ୍ୟକ୍ଷ ଅହମ୍ମଦ ନାସେଲ ଅଲ ରାଏଜ, ଏହାର ମହାସଚିବ ଜର୍ଗେନ ଷ୍ଟକ, ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ମିଳନୀ ଅକ୍ଟୋବର ୧୮ ରୁ ଆରମ୍ଭ ହୋଇଛି । ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଇଣ୍ଟରପୋଲର ୧୯୫ ସଦସ୍ୟ ରାଷ୍ଟ୍ରର ପୋଲିସ ଅଧିକାରୀ ଓ ପ୍ରତିନିଧି ଯୋଗ ଦେଇଛନ୍ତି । ପ୍ରତିବର୍ଷ ଇଣ୍ଟରପୋଲର ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ପରିଷଦ ଜେନେରାଲ ଆସେମ୍ଲି ବୈଠକ ଆୟୋଜିତ ହୋଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥାଏ । ୧୯୯୭ ପରେ ଦୀର୍ଘ ୨୫ବର୍ଷ ବ୍ୟବଧାନରେ ଭାରତରେ ଇଣ୍ଟରପୋଲର ଦ୍ୱିତୀୟ ଜେନେରାଲ ଆସେମ୍ଲି ଅନୁଷ୍ଠିତ ହେଉଛି । ଭାରତର ପ୍ରସ୍ତାବକ୍ରମେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ।