ନୂଆଦିଲ୍ଲୀ: କୋଭିଡ -19 ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ କୋଭିଡ ଗାଇଡଲାଇନ ଅନୁପାଳନ କରିବାକୁ ହେବ । ମହାମାରୀରୁ ରକ୍ଷା ପାଇବା ପାଇଁ ଟିକା ହେଉଛି ସବୁଠାରୁ ବଡ ସୁରକ୍ଷା, ଯାହା ବର୍ତ୍ତମାନ ଆମ ପାଖରେ ଉପଲବ୍ଧ ଅଛି । ବର୍ତ୍ତମାନ ମହାମାରୀ ଆମକୁ ଶିକ୍ଷା ଦେଇଛି, ଆମ ଅଭିଜ୍ଞତାକୁ ମଧ୍ୟ ଆହୁରି ମଜବୁତ କରିଛି । କୋଭିଡକୁ ପରାସ୍ତ କରିବାକୁ ହେଲେ ଆମକୁ ସତର୍କତା ଅବଲମ୍ବନ କରିବା ସହ କୋଭିଡ ନିୟମାବଳୀକୁ ସଠିକ ଅନୁପାଳନ କରିବାକୁ ପଡିବ ବୋଲି କହିଛନ୍ତି ରାଷ୍ଟ୍ରପତି । ୭୫ ତମ ସ୍ବାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନରେ ଏହା କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି" ଆମର ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ ଏବଂ ଅନ୍ୟ କୋରୋନା ଯୋଦ୍ଧାମାନଙ୍କ ଦ୍ବାରା କରାଯାଇଥିବା କଠିନ ପରିଶ୍ରମ ଓ ତ୍ୟାଗକୁ ମୁଁ ପ୍ରଶଂସା କରୁଛି। ସେମାନଙ୍କର ସେବା ଦେଶରେ କୋଭିଡ -19 ର ଦ୍ବୀତୀୟ ଲହରକୁ ମୁକାବିଲା ଓ ନିୟନ୍ତ୍ରଣ କରିବାରେ ସର୍ବୋଚ୍ଚ ଭୂମିକା ଗ୍ରହଣ କରିଛି । ମହାମାରୀ ସମୟରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ।
କୋଭିଡ ମୁକାବିଲାର ଆହ୍ବାନକୁ ଦୂର କରିବା ଆମର ସାମୂହିକ ସଂକଳ୍ପ ଥିଲା, ଯାହା ଦ୍ବିତୀୟ ଲହରକୁ ସାମ୍ନା କରିବାରେ ସାହାଯ୍ୟ କରିଥିଲା। ମହାମାରୀର କରାଳ ରୂପ ସାମ୍ନାରେ ଆମର କୋରୋନା ଯୋଦ୍ଧା, ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀ, ପ୍ରଶାସକ ଏବଂ ଅନ୍ୟମାନେ ଲଢିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ । ନିଜ ଜୀବନକୁ ବାଜି ଲଗାଇ, ସବୁକିଛି ବିପଦରେ ପକାଇ ମହାମାରୀ ସହ ଲଢି ନିଜ ତ୍ୟାଗର ପରାକାଷ୍ଠା ଦେଖାଇଛନ୍ତି । ଦେଶ ସେମାନଙ୍କ ପାଇଁ ଆଜି ଗର୍ବିତ ବୋଲି ରାଷ୍ଟ୍ରପତି କହିଛନ୍ତି ।
ସେହିପରି ବର୍ତ୍ତମାନ ସମୟରେ ,ଟୀକାକରଣ ଉପରେ ଗୁରୁତ୍ବାରୋପ କରି ଟୀକାକରଣକୁ “ସର୍ବୋତ୍ତମ ସମ୍ଭାବ୍ୟ ସୁରକ୍ଷା କବଚ’ ବୋଲି ବର୍ଣ୍ଣନା କରିଛନ୍ତି ରାଷ୍ଟ୍ରପତି । ଆମ ଦେଶରେ ଚାଲିଥିବା ବିଶ୍ବର ସବୁଠାରୁ ବଡ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 50 କୋଟିରୁ ଅଧିକ ନାଗରିକଙ୍କୁ ଟୀକାକରଣ କରାଯାଇଛି ।ଯେଉଁ ଯୋଗ୍ୟ ନାଗରିକମାନେ ବର୍ତ୍ତମାନ ଟିକାକରଣରେ ସାମିଲ ହୋଇନାହାନ୍ତି ସେମାନଙ୍କୁ ଏହି ଅଭିଯାନ ସହ ଯୋଡିହେବାକୁ ଅନୁରୋଧ ମଧ୍ୟ କରିଛନ୍ତି । ନିଜେ ଟିକା ନିଅନ୍ତୁ ଓ ଅନ୍ୟମାନଙ୍କୁ ଉତ୍ସାହିତ କରି କୋଭିଡ ଲଢେଇର ଯୋଦ୍ଧା ହୁଅନ୍ତୁ ବୋଲି କହିଛନ୍ତି ରାଷ୍ଟ୍ରପତି ।
ସେହିପରି ରାଷ୍ଟ୍ରପତି କହିଛନ୍ତି , ସଂସଦ ଗଣତନ୍ତ୍ରର ମନ୍ଦିର । ଏହା ଗଣତନ୍ତ୍ରକୁ ସମୃଦ୍ଧଶୀଳ ଏବଂ ରୁଦ୍ଧିମନ୍ତ କରିଥାଏ । ସଂସଦ ଦେଶର କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ସର୍ବୋତ୍କୃଷ୍ଟ ମଞ୍ଚ । ସଂସଦରେ ବିଚାର, ଆଲୋଚନା ଦ୍ବାରା ଆମେ ଦେଶବାସୀଙ୍କ ମଙ୍ଗଳ ପାଇଁ ବିହିତ ନିଷ୍ପତ୍ତି ନେଇପାରିବା । 75 ତମ ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ସମ୍ବୋଧନରେ ଏହା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ