ଲକ୍ଷ୍ନୌ: ଆଉ ମାତ୍ର କେଇ ଦିନର ଅପେକ୍ଷା । ସିଂହାସନରେ ବିରାଜିବେ ରାମଲାଲା । ଅଯୋଧ୍ୟାରେ ଭଗବାନ ରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠାକୁ ନେଇ ପ୍ରସ୍ତୁତି ଯୋରସୋରରେ ଜାରି ରହିଛି । ଏହାକୁ ନେଇ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି। ଆସନ୍ତା 22 ତାରିଖରେ ରାମଲାଲାଙ୍କର ପ୍ରତିମୂର୍ତ୍ତି ଅନାବରଣ କରାଯିବ । ଆସନ୍ତା 16 ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳ ଆସନ୍ତା 22 ତାରିଖ ଯାଏଁ ଦୁଲୁକିବ ଅଯୋଧ୍ୟା ନଗରୀ । ତେବେ ଉକ୍ତ ଦିନକୁ ସର୍ବୋତ୍ତମ ବୋଲି ମଣିଛନ୍ତି ଗର୍ଭବତୀ ମହିଳା। ଆସନ୍ତା ଜାନୁଆରୀ 22 ତାରିଖରେ ଗର୍ଭସ୍ଥ ଶିଶୁକୁ ଜନ୍ମ ଦେବାକୁ ଚାହୁଁଛନ୍ତି ମହିଳା । କାନପୁରରୁ ଏହି ନିଆରା ଘଟଣା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ ରହିଛି।
ଯେଉଁ ମହିଳାମାନଙ୍କର ପ୍ରସବ ସମୟ ଜାନୁଆରୀ 22 ତାରିଖର ପାଖାପାଖି ରହିଛି, ସେମାନେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଗର୍ଭସ୍ଥ ଶିଶୁକୁ ଜନ୍ମ ଦେବା ପାଇଁ ଡାକ୍ତରଙ୍କୁ ଅନୁରୋଧ କରୁଛନ୍ତି । କାନପୁର ମେଡିକାଲ କଲେଜରୁ ଏଭଳି ଖବର ସାମ୍ନାକୁ ଆସିଛି । ଉକ୍ତ ଦିନରେ ଛୁଆ ଦୁନିଆକୁ ଆସିଲେ ରାମଙ୍କ ଭଳି ଗୁଣ ଏବଂ ସଂସ୍କାର ପାଇବ ବୋଲି ବିଶ୍ବାସ କରିଛନ୍ତି ଗର୍ଭବତୀ ମହିଳା। ତେଣୁ ଜାନୁଆରୀ 22 ତାରିଖରେ ସିଜେରିଆନ ଦ୍ବାରା ପ୍ରସବ କରାଇବା ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଛନ୍ତି।
ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଔଷଧରେ ସ୍ନାନ କରିବେ ରାମଲଲା, ଜାଣନ୍ତୁ କାରଣ
ଏନେଇ ଉତ୍ତରପ୍ରଦେଶ କାନପୁରର ଜିଏସବିଏମ ମେଡିକାଲ କଲେଜ ଅନ୍ତର୍ଗତ ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର କହିଛନ୍ତି, "ଯେଉଁ ମହିଳାମାନଙ୍କର ପ୍ରସବ ସମୟ 22 ତାରିଖ ପାଖାପାଖି ରହିଛି । ସେମାନେ 22 ତାରିଖ ଦିନ ହିଁ ପ୍ରସବ କରାଇବା ପାଇଁ ଅନୁରୋଧ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା 13ରୁ 14 ଜଣ ମହିଳା ଏଭଳି ଅନୁରୋଧ କରି ସାରିଛନ୍ତି।"
ପୂର୍ବରୁ ଗର୍ଭବତୀ ମହିଳାମାନେ କୌଣସି ଏକ ଖାସ ଦିନରେ ପ୍ରସବ କରାଇବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ବେଳେ ବର୍ତ୍ତମାନ ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଗର୍ଭବତୀମାନ, ଶିଶୁକୁ ଦୁନିଆକୁ ଆଣିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । କଥାରେ ଅଛି ଜନ୍ମ ଏବଂ ମରଣ କାହା ହାତରେ ନଥାଏ । କିନ୍ତୁ ଅପରେସନ ବା ସିଜରିଆନ ଦ୍ବାରା ଏକ ନିର୍ଦ୍ଦିଷ୍ଟ ତାରିଖରେ ପ୍ରସବ କରାଇବା ସମ୍ଭବ ହୋଇଥାଏ । ଯେଉଁମାନଙ୍କର ଅପରେସନ ଜାନୁଆରୀ 22 ତାରିଖରେ ସମ୍ଭବ ହେବ, ସେହିଦିନ ପ୍ରସବ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ମହିଳାମାନଙ୍କ ଦାବିକୁ ଦୃଷ୍ଟିରେ ରଖି ହସ୍ପିଟାଲ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ