କୋଲକାତା: ପଶ୍ଚିମବଙ୍ଗ ହାଓ୍ବଡାରେ ରାମ ନବମୀ ଶୋଭାଯାତ୍ରାରେ ହୋଇଥିବା ହିଂସାକାଣ୍ଡ ସ୍ଥଳକୁ ଯାଉଥିବା ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ରାସ୍ତାରେ ଅଟକାଇଛି ପୋଲିସ । ପୂର୍ବରୁ ମାନବାଧିକାର କମିଟିର ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ମଧ୍ୟ ସମାନ ଭାବେ ରୋକାଯାଇଥିଲା । ଗତକାଲି(ରବିବାର) ଭାରତୀୟ ଜନତା ପାର୍ଟିର ଏହି 6ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ହାଓ୍ବଡାରେ ପ୍ରବେଶ କରିବା ପୂର୍ବରୁ ରାସ୍ତାରେ ରୋକିଛି କୋଲକାତା ପୋଲିସ ।
ବିଜେପିର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ 6 ଜଣ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଜଣେ ଆଇନଜୀବୀ ଓ ଜଣେ ଅବସରପ୍ରାପ୍ତ ବିଚାରପତି ମଧ୍ୟ ଥିଲେ । ହେଲେ ଆଇନ ଶୃଙ୍ଖଳା ସ୍ଥିତି କାରଣ ଦର୍ଶାଇ ପୋଲିସ ସେମାନଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ ବାରଣ କରିବା ସହ ରାସ୍ତାରେ ଅଟକ ରଖିଥିଲା । ତେବେ ଏହାକୁ ନେଇ ରାଜନୀତି ତୀବ୍ର ହେବା ସହ ବିଜେପି ପୋଲିସ ଉପରେ ସଙ୍ଗୀନ ଅଭିଯୋଗ କରିଛି ।
ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ସହ କିଛି ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ ଥିଲେ । ପୋଲିସ ସେମାନଙ୍କୁ ରୋକିବା ସମୟରେ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ରାମ ନବମୀ ସମୟରେ ଜିଲ୍ଲାରେ ଯେଉଁ ହିଂସା ଘଟିଥିଲା ସେଥିରେ ପୋଲିସର ପ୍ରତ୍ୟକ୍ଷ ସହଯୋଗ ରହିଛି । ସତ୍ୟ ସାମ୍ନାକୁ ନଆସିବା ପାଇଁ ପୋଲିସ ସେମାନଙ୍କୁ ହାଓ୍ବଡାରେ ପ୍ରବେଶ କରିବାକୁ ଦେଇ ନାହିି ବୋଲି ବିଜେପି ଅଭିଯୋଗ କରିଛି ।
ପଶ୍ଚିମବଙ୍ଗର ହାଓ୍ବଡାରେ ରାମ ନବମୀ ଶୋଭାଯାତ୍ରାରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ଶୋଭାଯାତ୍ରା ଉପରେ ପଥରମାଡ ସହ ଏକାଧିକ ଗାଡି ଜଳାପୋଡା ହୋଇଥିଲା । ପଥରମାଡ କରିବା ଫଳରେ କିଛି ଅଂଶଗ୍ରହଣକାରୀ ଆହତ ହୋଇଥିବା ସୂଚନା ମିଳିଥିଲା । ହାଓ୍ବଡାରେ ପ୍ରବଳ ହିଂସା ଦେଖାଯିବା ପରେ ସମଗ୍ର ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ଫୋର୍ସ ଫ୍ଲାଗମାର୍ଚ୍ଚ ମଧ୍ୟ କରିଥିଲା । କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ଗୁଜୁରାଟର ଭଦୋଦରାରେ ମଧ୍ୟ ରାମ ନବମୀ ଶୋଭାଯାତ୍ରାରେ ପଥରମାଡ ଓ ଉତ୍ତେଜନାର ଖବର ସାମ୍ନାକୁ ଆସିଥିଲା ।
ଗତବର୍ଷ ମଧ୍ୟ ସମାନ ଧରଣର ହିଂସା ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଥିଲା । ପରେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ସମେତ ଏକାଧିକ ରାଜ୍ୟରେ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଚଳିତବର୍ଷ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଥିଲା । ହିଂସାକାଣ୍ଡର ଦିନକ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖି ହିଂସାକାଣ୍ଡକୁ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଥିଲେ ।
ଖାଲି ପଶ୍ଚିମବଙ୍ଗରେ ନୁହେଁ, ଗୁଜୁରାଟରେ ମଧ୍ୟ ଚଳିତ ରାମ ନବମୀରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଗୁଜୁରାଟର ଭଦୋଦରାରେ ରାମ ନବମୀ ଶୋଭାଯାତ୍ରା ଉପରକୁ ପଥରମାଡ଼ ହୋଇଥିଲା । ଗତବର୍ଷ ମଧ୍ୟ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ସମାନ ଘଟଣା ଦେଖିବାକୁ ମିଳିଥିଲା ବେଳେ ଚଳିତ ବର୍ଷ ଏହାର ପୁନରାବୃତ୍ତି ଘଟିଛି । ଯାହାକୁ ନେଇ ରାଜନୀତି ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ