ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ଜୁନ ୧୯) ସନ୍ଧ୍ୟା ୫ଟାରେ ଇନ୍ଦିରା ଗାନ୍ଧି ଷ୍ଟାଡିୟମ, ନୂଆଦିଲ୍ଲୀ ଠାରେ ୪୪ତମ ଚେସ ଅଲମ୍ପିଆଡ ପାଇଁ ଐତିହାସିକ ମଶାଲ ଦୌଡ ଶୁଭାରମ୍ଭ କରିବେ । ଏହି ଅବସରରେ ଆୟୋଜିତ ସଭାରେ ଉଦବୋଧନ ଦେବେ ।
ଆନ୍ତର୍ଜାତିକ ଚେସ ସଙ୍ଘ, ଫିଡେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅଲମ୍ପିକ ପରମ୍ପରାର ଅଂଶ ଭାବେ ଚେସ ଅଲମ୍ପିଆଡ ମଶାଲ ଦୌଡ ଆରମ୍ଭ କରିଛନ୍ତି । ପ୍ରଥମ ଦେଶ ଭାବରେ ଭାରତ ଚେସ ଅଲମ୍ପିଆଡ ମଶାଲ ଦୌଡ ଆୟୋଜନ କରୁଛି ।
ସୂଚନାଯୋଗ୍ୟଯେ ଭାରତର ଚେସ ପରମ୍ପରାକୁ ଆଗେଇ ନେବା ପାଇଁ ଚେସ ଅଲମ୍ପିଆଡ ମଶାଲ ଦୌଡ ସଦାବେଳେ ଭାରତରୁ ହିଁ ଆରମ୍ଭ ହେବ ଓ ବିଭିନ୍ନ ମହାଦେଶ ଭ୍ରମଣ କରି ଆୟୋଜକ ଦେଶରେ ପହଞ୍ଚିବ ।
ଫିଡେ ସଭାପତି ଆରକଡି ଦ୍ରୋକୋଭିଚ ପ୍ରଧାନମନ୍ତ୍ରୀଙ୍କୁ ମଶାଲ ହସ୍ତାନ୍ତର କଲାପରେ ସେ ଏହି ମଶାଲ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ହସ୍ତାନ୍ତର କରିବେ । ଚେନ୍ନାଇ ନିକଟସ୍ଥ ମହାବଳୀପୁରମ ଠାରେ ଏହି ଦୌଡର ଶେଷ ପର୍ଯ୍ୟାୟରେ ପହଞ୍ଚିବା ପୂର୍ବରୁ ଏହି ମଶାଲ ୪୦ ଦିନରେ ୭୫ ସହର ଅତିକ୍ରମ କରିବ । ପ୍ରତ୍ୟେକ ସ୍ଥାନରେ ସେହି ରାଜ୍ୟର ଚେସ ଗ୍ରାଣ୍ଡମାଷ୍ଟର ମଶାଲକୁ ସ୍ୱାଗତ କରିବେ ।
୪୪ ତମ ଚେସ ଅଲମ୍ପିଆଡ ଜୁଲାଇ ୨୮ ରୁ ଅଗଷ୍ଟ ୧୦, ୨୦୨୨ ପର୍ଯ୍ୟନ୍ତ ଚେନ୍ନାଇ ଠାରେ ଆୟୋଜିତ ହେବ । ୧୯୨୭ ରୁ ଆୟୋଜିତ ହେଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭାରତରେ ଓ ୩୦ ବର୍ଷ ପରେ ଏସିଆରେ ଆୟୋଜିତ ହେଉଛି । ୧୮୯ ଦେଶର ଭାଗିଦାରୀ ସହ ଏହା ସବୁଠାରୁ ବଡ ଚେସ ଅଲମ୍ପିଆଡ ହେବାକୁ ଯାଉଛି ।