ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ସୋମନାଥରେ ଅଗଷ୍ଟ ୨୦ ତାରିଖ ଦିନ ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ । ଉଦଘାଟିତ ହେବାକୁ ଥିବା ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ସୋମନାଥ ପ୍ରୋମେନାଡ, ସୋମନାଥ ପ୍ରଦର୍ଶନୀ କେନ୍ଦ୍ର ଏବଂ ପୁରୁଣା (ଜୁନା) ସୋମନାଥର ପୁନଃ ର୍ନିମାଣ ମନ୍ଦିର ପରିସର ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପାର୍ବତୀ ମନ୍ଦିରର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ।

ମୋଟ ୪୭ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ପ୍ରସାଦ ତୀର୍ଥଯାତ୍ରା ପୁନଃ ନବୀକରଣ ଏବଂ ଆଧ୍ୟାତ୍ମିକ, ଐତିହ୍ୟ ବର୍ଦ୍ଧିତ କାର୍ଯ୍ୟକ୍ରମ ଯୋଜନା ଅଧୀନରେ ସୋମନାଥ ପ୍ରୋମେନେଡ ବିକଶିତ କରାଯାଇଛି । ପର୍ଯ୍ୟଟକ ସୁବିଧା କେନ୍ଦ୍ର ପରିସରରେ ବିକଶିତ ହୋଇଥିବା ସୋମନାଥ ପ୍ରଦର୍ଶନୀ କେନ୍ଦ୍ରରେ ପୁରୁଣା ସୋମନାଥ ମନ୍ଦିରର ଭଗ୍ନ ଅଂଶର ପ୍ରଦର୍ଶନୀ ଏବଂ ପୁରାତନ ସୋମନାଥଙ୍କ ନାଗର ଶୈଳୀ ମନ୍ଦିର ସ୍ଥାପତ୍ୟ ଥିବା ଏହାର ମୂର୍ତ୍ତି ଗୁଡିକ ପ୍ରଦର୍ଶିତ ହୋଇଛି ।
ପୁରାତନ (ଜୁନା) ସୋମନାଥର ପୁନଃ ର୍ନିମାଣ ମନ୍ଦିର ପରିସର ଶ୍ରୀ ସୋମନାଥ ଟ୍ରଷ୍ଟ ଦ୍ବାରା ସମୁଦାୟ ୩.୫ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ଏହି ମନ୍ଦିରକୁ ଅହଲ୍ୟାବାଈ ମନ୍ଦିର ବୋଲି ମଧ୍ୟ କୁହାଯାଏ । କାରଣ ଏହା ଇନ୍ଦୋରର ରାଣୀ ଅହଲ୍ୟାବାଈଙ୍କ ଦ୍ବାରା ର୍ନିମିତ ହୋଇଥିଲା । ପୁରାତନ ମନ୍ଦିରଟି ଧ୍ବଂସ ହୋଇଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ତଥା ବର୍ଦ୍ଧିତ କ୍ଷମତା ସହିତ ସମଗ୍ର ପୁରାତନ ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ରୂପେ ଏବେ ପୁନଃ ର୍ନିମାଣ କରାଯାଇଛି ।
ମୋଟ ୩୦ କୋଟି ଟଙ୍କା ବ୍ୟୟରେ ଶ୍ରୀ ପାର୍ବତୀ ମନ୍ଦିର ର୍ନିମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏଥିରେ ସୋମପୁରା ସାଲାଟସ ଶୈଳୀରେ ମନ୍ଦିର ନିର୍ମାଣ ସହିତ ଗର୍ଭଗୃହ ଏବଂ ନାଟମଣ୍ଡପର ବିକାଶ ଅନ୍ତର୍ଭୁକ୍ତ ହେବ ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା , ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ଉପ-ମୁଖ୍ୟମନ୍ତ୍ରୀ ଜୀତିନ ପଟେଲ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ମନ୍ଦିର ଅଧିକାରୀ କର୍ମଚାରୀ ଉପସ୍ଥିତ ରହିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ