ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି ଘନ ଘନ ନିର୍ବାଚନ ମୁହାଁ ରାଜ୍ୟ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶ ଓ ରାଜସ୍ଥାନ ଗସ୍ତ କରିବେ । ଦୁଇ ରାଜ୍ୟରେ ରେଳ, ସଡକ ଭିତ୍ତିଭୂମି, ପାଇପ ଲାଇନ, ସ୍ବାସ୍ଥ୍ୟସେବା ଓ ଶିକ୍ଷା ସହ ଜଡିତ ଏକାଧିକ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ରାଜସ୍ଥାନ ଯୋଧପୁର ଗସ୍ତ କରିବେ । ପୂର୍ବାହ୍ନ ଦିନ ୧୧ଟା ୧୫ ମିନିଟ୍ ସମୟରେ ସେ ଏଠାରେ ସଡ଼କ, ରେଳ, ବିମାନ ଚଳାଚଳ, ସ୍ବାସ୍ଥ୍ୟ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ୫ ହଜାର କୋଟି ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ଅପରାହ୍ନ ସାଢ଼େ ୩ଟାରେ ମଧ୍ୟପ୍ରଦେଶର ଜବଲପୁରରେ ପହଞ୍ଚିବେ । ଜବଲପୁରରେ ସଡ଼କ, ରେଳ, ଗ୍ୟାସ୍, ପାଇପ୍ଲାଇନ୍, ଆବାସ ଗୃହ ଓ ସ୍ୱଚ୍ଛ ପାନୀୟ ଜଳ ପ୍ରଭୃତି କ୍ଷେତ୍ରରେ ୧୨,୬୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ହୋଇଥିବା ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିବେ ।
ରାଜସ୍ଥାନରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପ ଅନ୍ତର୍ଗତ ରାଜସ୍ଥାନ ଯୋଧପୁରରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ୩୫୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର ଏବଂ ସମଗ୍ର ରାଜ୍ୟରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ହେଲଥ୍ ଇନଫ୍ରାଷ୍ଟକଚର ମିଶନ ଅଧୀନରେ ୭ଟି କ୍ରିଟିକାଲ କେୟାର ବ୍ଲକର ବିକାଶ କରାଯିବ ।
ଏହାମଧ୍ୟ ପଢନ୍ତୁ: ମୋଦିଙ୍କ ସିକ୍ରେଟ ରିଭିଲ: NDAରେ ଯୋଗ ଦେବା ପ୍ରସଙ୍ଗକୁ ମିଛ ବୋଲି କହିଲେ KCR
ଯୋଧପୁର ବିମାନ ବନ୍ଦରରେ ଅତ୍ୟାଧୁନିକ ଟର୍ମିନାଲ ବିଲ୍ଡିଂର ବିକାଶ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ମୋଟ ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଟର୍ମିନାଲ ବିଲ୍ଡିଂ ପ୍ରାୟ ୨୪ ହଜାର ବର୍ଗମିଟର ଅଞ୍ଚଳରେ ବିକଶିତ ହେବ । ଏହା ବାର୍ଷିକ ୩୫ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବ ଏବଂ ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବ । ଏଥିସହ ପ୍ରଧାନମନ୍ତ୍ରୀ ମୋଦି ଆଜି IIT ଯୋଧପୁର କ୍ୟାମ୍ପସର ଲୋକାର୍ପଣ କରିବେ । ୧୧୩୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହି କ୍ୟାମ୍ପସ ନିର୍ମାଣ ହୋଇଛି ।
ରାଜସ୍ଥାନର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ନବୀକରଣ ପାଇଁ ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ଯନ୍ତ୍ରପାତି ଲାବୋରେଟୋରୀ ଷ୍ଟାଫ୍ କ୍ବାର୍ଟର୍ସ ଏବଂ ଯୋଗ ଓ କ୍ରୀଡା ବିଜ୍ଞାନ ଭବନ ଦେଶକୁ ଉତ୍ସର୍ଗ କରିବେ । ଏଥିସହ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ କେନ୍ଦ୍ରୀୟ ପୁସ୍ତକାଳୟ, ୬୦୦ ଛାତ୍ରଙ୍କ କ୍ଷମତା ବିଶିଷ୍ଟ ଛାତ୍ରାବାସ ଓ ଏକ ଭୋଜନ କକ୍ଷର ମୂଳଦୁଆ ପକାଇବେ । ଏହାବ୍ୟତୀତ ରାଜସ୍ଥାନରେ ଦୁଇଟି ନୂତନ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ମୋଦି ।
ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ୨୩୫୦ କୋଟି ଟଙ୍କାର ଜଳ ମିଶନ ପ୍ରକଳ୍ପର ଶିଳାନ୍ୟାସ କରିବେ । ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ସେଓନି ଜିଲ୍ଲାର ଜଳ ଜୀବନ ମିଶନ ପ୍ରକଳ୍ପକୁ ଲୋକାର୍ପଣ କରିବେ । ରାଜ୍ୟରେ ସଡକ ଭିତ୍ତିଭୂମିର ବିକାଶ ପାଇ ୪୮୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ୧୮୫୦ କୋଟି ଟଙ୍କାର ରେଳ ପ୍ରକଳ୍ପ ଦେଶ ପାଇଁ ଉତ୍ସର୍ଗ କରିବେ, ଯାହାକି ମଧ୍ୟପ୍ରଦେଶରେ ରେଳ ଭିତ୍ତିଭୂମି ସୁଦୃଢ କରିବାରେ ସହାୟକ ହେବ ଏବଂ ରାଜ୍ୟର ପର୍ଯ୍ୟଟନ ବୃଦ୍ଧି କରିବ ।
ପ୍ରଧାନମନ୍ତ୍ରୀ ଆଜି ମଧ୍ୟପ୍ରଦେଶରେ ବିଜୟୀପୁର-ଅଉରିଆ-ଫୁଲପୁର ପାଇପ ଲାଇନର ଲୋକାର୍ପଣ କରିବେ । ୩୫୨ କିଲୋମିଟର ଲମ୍ବ ଏହି ପାଇପ ଲାଇନ ୧,୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏଥିସହ ମୁମ୍ବାଇ ନାଗପୁର ଝାରସୁଗୁଡା ପାଇପ ଲାଇନ ପ୍ରକଳ୍ପର ନାଗପୁର ଜବଲପୁର ବିଭାଗର ମୂଳଦୁଆ ପକାଇବେ । ୧୧୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏହି ପ୍ରକଳ୍ପର ନିର୍ମାଣ ହେବ ।