ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ 103ତମ ମାସିକିଆ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ନିଜର ମନ କଥା କହିଛନ୍ତି । ଚଳିତ ମାସରେ ଘଟିଥିବା ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ମୋଦି ଆଲୋଚନା କରିବା ସମୟରେ 2 ବିଦେଶୀ ତୀର୍ଥଯାତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଏହି 2 ଆମେରିକୀୟ ତୀର୍ଥଯାତ୍ରୀ ଭାରତ ଆସି ପବିତ୍ର ଅମରନାଥ ଯାତ୍ରା କରିଛନ୍ତି । ତେବେ ଏହି 2 ଯୁବକ ଯୁଗପୁରୁଷ ସ୍ବାମୀ ବିବେକାନନ୍ଦଙ୍କ ଦ୍ବାରା ପ୍ରଭାବିତ ହୋଇ ଆମେରିକାର କାଲିଫର୍ଣ୍ଣିଆରୁ ଅମରନାଥ ଯାତ୍ରା ପାଇଁ ଆସିଥିବା କହିଛନ୍ତି ମୋଦି ।
ସ୍ବାମୀ ବିବେକାନନ୍ଦ ସାରା ବିଶ୍ବରେ ସନାତନ ଧର୍ମର ପ୍ରଚାର ପ୍ରସାର କରିଥିଲେ । ତାଙ୍କ ଦ୍ବାରା ଅନେକଙ୍କ ମନରେ ଆଧ୍ୟାତ୍ମିକ ଜାଗରଣ ହୋଇଥିଲା । ହେଲେ ବିଦେଶୀ ତାଙ୍କ ବ୍ୟକ୍ତିତ୍ବ ଦ୍ବାରା ପ୍ରଭାବିତ ହୋଇ ଭାରତର ତୀର୍ଥ ସ୍ଥାନକୁ ଆସିବା ନିଶ୍ଚିତ ଭାରତୀୟଙ୍କ ଲାଗି ଗର୍ବର କଥା । ଏହି ଅବସରରେ ମୋଦି କହିଛନ୍ତି, "ବିଶ୍ବରୁ ଅନେକ ଲୋକ ଆମ ତୀର୍ଥସ୍ଥାନକୁ ଆସୁଛନ୍ତି । ତେବେ ପବିତ୍ର ଅମରନାଥ ଯାତ୍ରାରେ 2 ଆମେରିକୀୟ ଯୁବକ ସାମିଲ ହୋଇଛନ୍ତି । ସେମାନେ ସ୍ବାମୀ ବିବେକାନନ୍ଦଙ୍କ ଅମରନାଥ ଯାତ୍ରାର ଅନୁଭୂତି ସମ୍ପର୍କରେ ଜାଣିବା ପରେ ଏଥିରେ ପ୍ରଭାବିତ ହୋଇ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ।"
ଏହା ବି ପଢନ୍ତୁ- Mann Ki Baat: କ୍ରାନ୍ତିକାରୀଙ୍କୁ ସମ୍ମାନ, ଲଞ୍ଚ୍ ହେବ 'ମେରି ମାଟି ମେରା ଦେଶ'
ଭାରତର ତୀର୍ଥସ୍ଥାନ ପକ୍ଷରୁ ବିଶ୍ବକୁ ଆହ୍ବାନ ଦେଇ ମୋଦି କହିଛନ୍ତି, "ସାରା ବିଶ୍ବରୁ ବିଦେଶୀ ଭାରତକୁ ଆସିଥାଆନ୍ତି । ତେବେ ସମସ୍ତଙ୍କୁ ସମ୍ମାନ ଜଣାଇ ଗ୍ରହଣ କରିବା ହେଉଛି ଭାରତର ସ୍ବତନ୍ତ୍ରତା ।" ସୂଚନା ଥାଉ କି ଗତ ଚଳିତ ମାସ ପହିଲାରେ 2 ଆମେରିକୀୟ ଯାତ୍ରୀ ଅମରନାଥ ଯାତ୍ରାରେ ବାହାରିଥିଲେ । ଏହି ଯାତ୍ରାରେ ସାମିଲ ହେବା ଦ୍ବାରା ସେମାନଙ୍କ ସ୍ବପ୍ନ ପୂରଣ ହୋଇଛି ଏବଂ ଏହା କେବଳ ମହାଦେବଙ୍କ ଆଶୀର୍ବାଦରୁ ପୂରଣ ହୋଇଥିବା ସେମାନେ କହିଥିଲେ । ଏହା ସହିତ ଏହି ତୀର୍ଥସ୍ଥଳର ସୌନ୍ଦର୍ଯ୍ୟକୁ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ ।
ଏହା ବି ପଢନ୍ତୁ- Amarnath Yatra 2023: ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ, ପରସା ଯିବନି ଏହି ଖାଦ୍ୟ
ଏ ନେଇ ଆମେରିକୀୟ ତୀର୍ଥଯାତ୍ରୀ କହିଛନ୍ତି, "ସ୍ବାମୀ ବିବେକାନନ୍ଦ ଅମରନାଥ ଯାତ୍ରା କରିଥିଲେ ଏବଂ ତାଙ୍କର ଏକ ଭିନ୍ନ ଅନୁଭୂତି ରହିଛି । ବିବେକାନନ୍ଦଙ୍କ ଏହି କାହାଣୀ ବିଷୟରେ ଗତ 40 ବର୍ଷ ପୂର୍ବରୁ ମୁଁ ଜାଣିବାକୁ ପାଇଥିଲି । ହେଲେ ଏହା କେବେ ସମ୍ଭବ ହେବ ବୋଲି ଭାବିନିଥିଲି । ହେଲେ ଆଜି ମୁଁ ପବିତ୍ର ଅମରନାଥ ଯାତ୍ରାରେ ସାମିଲ ହୋଇଛି । ମୋର ବହୁ ବର୍ଷର ସ୍ବପ୍ନ ପୂରଣ ହୋଇଛି ।" ଭୋଳାବାବାଙ୍କ ଆଶୀର୍ବାଦ ବିନା ଏହା ସମ୍ଭବ ନଥିଲା ବୋଲି 2 ଆମେରିକୀୟ ଯୁବକ କହିଥିଲେ ।
ସୂଚନା ଥାଉ କି ଜମ୍ମୁକାଶ୍ମୀର ଅନନ୍ତନାଗ ଜିଲ୍ଲା ସ୍ଥିତ ଅମରନାଥ ମନ୍ଦିରରେ ପ୍ରତିବର୍ଷ ଏହି ପବିତ୍ର ଯାତ୍ରା ଅନୁଷ୍ଠିତ ହୋଇଥାଏ । ମାତ୍ର ଚଳିତ ବର୍ଷ 2023ରେ ବିଦେଶୀ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହି ଯାତ୍ରା ମାଧ୍ୟମରେ ମନରେ ଆଧ୍ୟାତ୍ମିକ ଚେତନା ଭରିବା ଲାଗି ସାରା ବିଶ୍ବରୁ ଲୋକେ ଏଠାକୁ ଆସିଛନ୍ତି । ଚଳିତ ବର୍ଷ ଏହି ବାର୍ଷିକ ଯାତ୍ରା ଜୁଲାଇ 1 ତାରିଖରେ ଆରମ୍ଭ ହୋଇଥିବା ବେଳେ ଦୀର୍ଘ 62 ଦିନ ଧରି ଜାରି ରହିବ । ଅଗଷ୍ଟ 31ରେ ଶେଷ ହେବ ଚଳିତ ବର୍ଷର ଏହି ତୀର୍ଥ ଯାତ୍ରା ।