କୋପେନହଗେନ: ଡେନମାର୍କରେ କାର୍ଯ୍ୟକ୍ରମ ସାରି ପ୍ୟାରିସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଗସ୍ତର ଶେଷ ଦିନରେ ସେ ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ସହ ସାକ୍ଷାତ ଓ ଆଲୋଚନା କରିବେ । ପରେ ଆଜି ସେ ଭାରତ ଫେରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଗତକାଲି ସେ ଡେନମାର୍କରେ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କଙ୍କ ସହ ଏକଧିକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆଜି ସେ ପ୍ୟାରିସ ଅଭିମୁଖେ ବାହାରିବା ପୂର୍ବରୁ 4 ୟୁରୋପୀୟ ରାଷ୍ଟ୍ର ଫିନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ନରଓ୍ବେ ଓ ସ୍ବିଡେନର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ ।
ଡେନମାର୍କ ଗସ୍ତ ଭାରତ ଓ ପଡୋଶୀ ଦେଶମାନଙ୍କ ପାଇଁ ବେଶ ଫଳପ୍ରଦ ରହିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଆୟୋଜିତ କାର୍ଯ୍ୟକ୍ରମଗୁଡିକ କୂଟନୈତିକ ସମ୍ପର୍କରୁ ଆରମ୍ଭ କରି ସାଂସ୍କୃତିକ ତଥା ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ଆଦି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି । ତେବେ ଆଜି ରାତିରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପହଞ୍ଚିବା ପରେ ସେଠାରେ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ସାକ୍ଷାତ କରିବେ ।
ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଜର୍ମାନୀ ରାଜଧାନୀ ବର୍ଲିନରେ ପହଞ୍ଚିିଥିଲେ । ସେଠାରେ ସେ ଚାନସେଲର ଓଲାଫ ସ୍କୋଲଜଙ୍କ ସହ ସାକ୍ଷାତ କରିବା ସହ ଏକାଧିକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ। ପ୍ରବାସୀ ଭାରତୀୟଙ୍କ ସମୂଦାୟକୁ ମଧ୍ୟ ସମ୍ବୋଧିତ କରିଥିଲେ । ଗତକାଲି ଅପରାହ୍ନରେ ସେ ଡେନମାର୍କରେ ପହଞ୍ଚିଥିଲେ । ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସମେତ ମୋଟ 5 ରାଷ୍ଟ୍ରମୁଖ୍ୟଙ୍କୁ ସାକ୍ଷାତ କରି ପ୍ୟାରିସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ