ଭୋପାଳ: ଦେଶରେ ଓମିକ୍ରନ ପ୍ରାଦୁର୍ଭାବ କମିନଥିବା ବେଳେ ପୁଣି ଆତଙ୍କ ଖେଳାଇବାକୁ ପହଞ୍ଚିଛି ଓମିକ୍ରନର ସବ-ଭାରିଏଣ୍ଟ । ମଧ୍ୟପ୍ରଦେଶରେ ଓମିକ୍ରନର ସବ-ଭାରିଏଣ୍ଟ BA2(Omicron BA2 variant hits Indore) ଚିହ୍ନଟ ହୋଇଛି । ନୂଆ ଷ୍ଟ୍ରେନରେ ଇନ୍ଦୋରରେ ପ୍ରାୟ ୬ ଜଣ ଶିଶୁଙ୍କ ସହିତ ୧୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଭାରିଏଣ୍ଟ ଖୁବଶୀଘ୍ର ଲୋକଙ୍କୁ ସଂକ୍ରମିତ କରୁଥିବା ବେଳେ ଏହା ଫୁସଫୁସକୁ ସଂକ୍ରମିତ କରୁଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।
ପଜିଟିଭ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଶିଶୁ ଓ ଅନ୍ୟ ୪ ଜଣ ବ୍ୟକ୍ତିଙ୍କ ଫୁସଫୁସ ୧୫ରୁ ୪୦ ପ୍ରତିଶତ ସଂକ୍ରମିତ ହୋଇଛି ବୋଲି ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସମ୍ପୂର୍ଣ୍ଣ ଟିକା ନେଇସାରିଥିବା ବେଳେ ଅନ୍ୟ ୧୩ ଜଣ ବୁଷ୍ଟର ଡୋଜ ମଧ୍ୟ ନେଇ ସାରିଛନ୍ତି । ଏଥିଲାଗି ସେମାନଙ୍କ ଫୁସଫୁସ ମାତ୍ର ୫ ପ୍ରତିଶତ ସଂକ୍ରମିତ ହୋଇଛି । ଏହା ସାମନାକୁ ଆସିବା ପରେ ଗବେଷକ ତୁରନ୍ତ ଲୋକଙ୍କୁ ବୁଷ୍ଟର ଡୋଜ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ଓମିକ୍ରନ ଠାରୁ ଅଧିକ କ୍ଷିପ୍ର ଗତିରେ ବ୍ୟାପୁଛି ବୋଲି ବିଶେଷଜ୍ଞ କହିଛନ୍ତି ।
ଏହା ବି ପଢନ୍ତୁ: INDIA CORONA: ସାମାନ୍ୟ କମିଲା ସଂକ୍ରମଣ, ଆଜି ବି 3 ଲକ୍ଷ ପାର ପଜିଟିଭ
ଏହି ସବ୍-ଭାରିଏଣ୍ଟ ଦ୍ବାରା ଆକ୍ରାନ୍ତଙ୍କ କ୍ଷେତ୍ରରେ ଗୁରୁତର ଲକ୍ଷଣ ଦେଖାଯାଉଥିବା କିଛି ଡାକ୍ତର କହୁଥିବା ବେଳେ ଏହା ଅରିଜିନାଲ ଓମିକ୍ରନ ଭାରିଏଣ୍ଟ ଠାରୁ ସେତେଟା ଭିନ୍ନ ନୁହେଁ ବୋଲି ଆଉ କିଛି ଡାକ୍ତର କହିଛନ୍ତି । ଏହାକୁ ନେଇ ଭିନ୍ନ ଭିନ୍ନ ମତ ଆସୁଥିବା ବେଳେ ଅଧିକ ଗବେଷଣା ପରେ ନୂଆ ଭାରିଏଣ୍ଟ ସମ୍ପର୍କରେ ସ୍ପଷ୍ଟ ହେବ । ଅନେକ ଦେଶ ସହିତ ଭାରତ ମଧ୍ୟ ଓମିକ୍ରନର ଏହି ନୂଆ ଭାରିଏଣ୍ଟ ଦ୍ବାରା ସଂକ୍ରମିତ ହୋଇଛି । ଏହି ନୂଆ ଭାରିଏଣ୍ଟ ପ୍ରାୟ ୪୦ଟି ଦେଶରେ ଚିହ୍ନଟ ହୋଇଛି ।
ଏଥିରେ ଭାରତ ସହିତ ଫ୍ରାନ୍ସ, ବ୍ରିଟେନ, ଡେନମାର୍କ ଆଦି ରହିଛି । UK ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସି ଏହି ନୂଆ ଭାରିଏଣ୍ଟର ଚିହ୍ନଟ କରିଥିବା ଜଣାପଡ଼ିଛି । ଅନ୍ୟପଟେ କୋରୋନା ମହାମାରୀ ଯୋଗୁଁ ଗତ ୨୪ ଘଣ୍ଟାରେ ଇନ୍ଦୋରରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ