ନୂଆଦିଲ୍ଲୀ: ଦେଶରେ ବେକାକୁ କୋରୋନା ସଂକ୍ରମଣ। ଏପଟେ ସଂକ୍ରମିତଙ୍କ ସଂଖ୍ୟା ସହ ତାଳ ଦେଇ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା 4 ହଜାର ପାର କରିଛି । ଦିଲ୍ଲୀ, ଛତିଶଗଡ ଓ ହରିୟାଣା ଭଳି ରାଜ୍ୟରେ ମୃତ୍ୟୁ ସଂଖ୍ୟା ଥମିବାର ନାଁ ଧରୁନି । ସେପଟେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ମୃତ୍ୟୁ ସଂଖ୍ୟା କମ ରହିଛି । ଚଳିତ ବର୍ଷ କୋରୋନାର ଦ୍ବିତୀୟ ଲହରୀ କୋପ ସାଜିଛି। ସଂକ୍ରମଣ ବଢୁଥିବାରୁ ଦେଶର ବିଭିନ୍ନ ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିଗିଡିଯାଇଛି । ହସ୍ପିଟାଲରେ ଶଯ୍ୟା ଓ ଅକ୍ସିଜେନର ମାତ୍ରାଧିକ ଅଭାବ ଯୋଗୁଁ ଶହ ଶହ କୋଭିଡ ଆକ୍ରାନ୍ତ ଆଖି ବୁଜିଛନ୍ତି । ଦିଲ୍ଲୀ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଲଗାତାର ଅକ୍ସିଜେନ ଅଭାବ ଲାଗି ରହିଥିବାରୁ କୋଭିଡ ଆକ୍ରାନ୍ତ ଜୀବନ ଯାଉଥିବାର ନଜିର ରହିଛି । ଏପରି ସ୍ଥିତିରେ ଓଡିଶା ଅନ୍ୟ ରାଜ୍ୟଗୁଡିକୁ ସହାୟତା କରିବାକୁ ଯାଇ ଅକ୍ସିଜେନ ଯୋଗାଣ କରିଚାଲିଛି ।

ଏକ ରିପୋର୍ଟ ମୁତାବକ, ପ୍ରତି 10 ଲକ୍ଷରେ ଦିଲ୍ଲୀରେ 385 କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହା ପଛକୁ ହରିୟାଣାରେ 268, ଛତିଶଗଡରେ 196, ଝାଡଖଣ୍ଡ 176, ମହାରାଷ୍ଟ୍ରରେ 152 , ଉତ୍ତରାଖଣ୍ଡରେ 138, ପଞ୍ଜାବରେ 103 ଜଣ ରୋଗୀଙ୍କ ଜୀବନ ଯାଇଛି । ସେହିପରି ଅନ୍ୟ ରାଜ୍ୟ କର୍ଣ୍ଣାଟକରେ ପ୍ରତି 10 ଲକ୍ଷରେ 69 ଆକ୍ରାନ୍ତଙ୍କ ଜୀବନ ଯାଉଛି । ତାମିଲନାଡୁରେ 60ସ ଗୁଜରାଟରେ 50, ରାଜସ୍ଥାନରେ 30, କେରଳରେ 28, ମଧ୍ୟପ୍ରଦେଶରେ 26, ହିମାଚଳପ୍ରଦେଶରେ 23, ପଶ୍ଚିମବଙ୍ଗରେ 17, ଜମ୍ମୁ-କାଶ୍ମୀରରେ 15, ବିହାରରେ 12, ଆସାମରେ 12, ଉତ୍ତରପୂର୍ବରେ 12, ତେଲେଙ୍ଗାନାରେ 12 ରହିଛି । ସର୍ବନିମ୍ନ ତଥା ଶେଷରେ ରହିଛି ଓଡିଶା । ଏଠାରେ ପ୍ରତି 10 ଲକ୍ଷ ରେ 4 ଜଣଙ୍କ ମୃତ୍ୟୁ ହେଉଥିବା ନେଇ ରିପୋର୍ଟ କରାଯାଇଛି । ତେବେ ଓଡିଶାରେ ସଠିକ୍ କୋଭିଡ ପରିଚାଳନା ଯୋଗୁଁ ମୃତ୍ୟୁ ସଂଖ୍ୟା କମ ରହିଛି ।
ରାଜ୍ୟରେ ଦୈନିକ ସଂକ୍ରମଣ ଗତକିଛି ଦିନ ଧରି 10 ହଜାର ଉପରେ ରହୁଛି । ପୂର୍ବରୁ ସଂକ୍ରମଣ ମାମଲା 5 ରୁ 6 ହଜାର ମଧ୍ୟରେ ସୀମିତ ରହୁଥିଲା । ସେହି ସମୟରେ ରାଜ୍ୟ ସରକାର ରାତ୍ରୀ କାଳୀନ କର୍ଫ୍ୟୁ ଲାଗୁ କରିଥିଲେ । ପରେ ସଂକ୍ରମଣ ବଢୁଥିବାରୁ ସହାରାଞ୍ଚଳଗୁଡିକରେ ସଟଡାଉନ କରାଯାଇଥିଲା । ଗତ 5 ତାରିଖରୁ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି । କେବଳ ସେତିକି ନୁହେଁ ପଡୋଶୀ ରାଜ୍ୟରେ ଦ୍ରୃତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ରାଜ୍ୟର ସୀମାନ୍ତକୁ କଡାକଡି ଯାଞ୍ଚ କରାଯାଉଥିଲା । ଏହା ସହ ରାଜ୍ୟରେ ଟୀକାକରଣ ଜୋରଦାର କରାଯିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ତେବେ ଦୈନିକ ସଂକ୍ରମଣ ମାମଲା ବଢୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମ ରହୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ