ପାଟନା: ଚା’ ପିଇ, ପ୍ରେସମିଟ କରି ଫଟୋ ପୋଜ ଦେଲେ ବିରୋଧୀଙ୍କ ଏକତା ହୋଇପାରିବ ନାହିଁ । ଯୋଜନା ବଦଳରେ ଖାଲି ଯାତ୍ରା(ଗସ୍ତ) କଲେ କିଛି ହେବ ନାହିଁ । ଯଦି ଏମିତି ହେଉଥାନ୍ତା ତାହା ହେଲେ 10 ବର୍ଷ ତଳୁ ଏହି ସବୁ ହୋଇଥାନ୍ତା । ବିରୋଧୀଙ୍କ ଏକତା ପାଇଁ ଯେଉଁ ନୀତିଗତ ନିଷ୍ପତ୍ତି ଆବଶ୍ୟକ ତାହା ନାହିଁ । ନୀତିଶଙ୍କ ପାଖରେ ସେହି ଦକ୍ଷତା ନାହିଁ ଯେଉଁ ଆଧାରରେ ବିରୋଧୀ ଏକତା ଆଣିପାରିବେ । ଆଜି ଏଭଳି ଢଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କ ବିରୋଧରେ ଗର୍ଜିଛନ୍ତି ବିଶିଷ୍ଟ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ।
ଏହାବି ପଢନ୍ତୁ- New Parliament Building: ରବିବାର ଉଦଘାଟନ, ଜାରି ହେଲା ନିମନ୍ତ୍ରଣ କାର୍ଡ
ବିହାର ପାଟନାରେ ପ୍ରଶାନ୍ତ କହିଛନ୍ତି, ‘‘ ଚା’ ପିଇ, ପ୍ରେସମିଟ କରି ଫଟୋ ପୋଜ ଦେଇ ବିରୋଧୀଙ୍କ ଏକତା ହୋଇପାରିବନାହିଁ । ଯୋଜନା ବଦଳରେ ଖାଲି ଯାତ୍ରା(ଗସ୍ତ) କଲେ କିଛି ହେବ ନାହିଁ । ଯଦି ଏମିତି ହେଉଥାନ୍ତା ତାହା ହେଲେ 10 ବର୍ଷ ତଳୁ ବିରୋଧୀଙ୍କ ଏକତା ହୋଇଥାନ୍ତା । ବିରୋଧୀଙ୍କ ଏକତା ପାଇଁ ଯେଉଁ ନୀତିଗତ ନିଷ୍ପତି ଆବଶ୍ୟକ ତାହା ନାହିଁ ।’’ ପ୍ରଶାନ୍ତ ଆହୁରି କହିଛନ୍ତି ନିତୀଶ କୁମାର ଯାହା କରୁଛନ୍ତି ତାହାର କୌଣସି ମତଲବ ନାହିଁ । ବିହାର ବିକାଶ ଛାଡି ଯାତ୍ରା କଲେ କିଛି ମିଳିବ ନାହିଁ । ବିରୋଧୀଙ୍କୁ ଏକତ୍ରିତ କରିବା ପାଇଁ ନୀତିଶ ଯେଉଁ ଭେଟଘାଟ ଚଳାଇଛନ୍ତି ତାହାର କୌଣସି ଲାଭ ହେବ ନାହିଁ । ନୀତିଶଙ୍କ ପ୍ରୟାସ ବିଫଳ ହେବ । କାରଣ ବିରୋଧୀ ଏକତ୍ର ହେବା ପାଇଁ ଯେଉଁ ଭିତ୍ତିଭୂମିର ଆବଶ୍ୟକତା ଅଛି ତାହା ନାହିଁ । ବିରୋଧୀ ଏକତ୍ରିତ ହେଲେ ନେତୃତ୍ବ କିଏ ନେବ? କାହାର ନେତୃତ୍ବ ଗ୍ରହଣୀୟ ହେବ?
ପ୍ରଶାନ୍ତ ଆହୁରି କହିଛନ୍ତି ନିତୀଶ ବିରୋଧୀଙ୍କୁ ଏକତ୍ରିତ କରିବା ବଦଳରେ ପ୍ରଥମେ ବିହାରରେ ନୀତି ସ୍ପଷ୍ଟ କରନ୍ତୁ । ବିହାରରେ କିଏ କେତେ ଆସନରେ ନିର୍ବାଚନ ଲଢିବେ ତାହା କୁହନ୍ତୁ ? ବିହାରରେ ଜେଡିୟୁ, କଂଗ୍ରେସ, ଆରଜେଡି ଓ ଅନ୍ୟ ସହଯୋଗୀ ମାନେ କିଏ କେତେ ଆସନରେ ଲଢିବେ ତାହା ନୀତିଶ କୁହନ୍ତୁ । ନୀତିଶଙ୍କୁ ଆକ୍ରମଣ କରି ପ୍ରଶାନ୍ତ କହିଛନ୍ତି ବିହାରରେ ଜେଡିୟୁ ଅପେକ୍ଷା ସିପିଆଇ (ଏମଏଲ) ଅଧିକ ଗ୍ରହଣୀୟ । କାରଣ ଗତ ବିଧାନସଭା ନିର୍ବାଚନରେ ଜେଡିୟୁ 110 ଆସନରେ ନିର୍ବାଚନ ଲଢି 43 ଟି ବିଜୟୀ ହୋଇଛି, ସିପିଆଇ(ଏମଏଲ) 17ଟି ଆସନରେ ଲଢି 12 ଟି ଆସନ ବିଜୟୀ ହୋଇଛି । ଏହି ହିସାବରେ ଜେଡିୟୁ ଅପେକ୍ଷା ସିପିଆଇ(ଏମଏଲ) ଅଧିକ ଆସନରେ ନିର୍ବାଚନ ଲଢିବା ଉଚିତ । ପ୍ରଶାନ୍ତ ପ୍ରଶ୍ନ କରିଛନ୍ତି କଣ ନୀତିଶ କୁମାର ନିଜ ଆସନ ସିପିଆଇ(ଏମଏଲ)କୁ ଛାଡିଦେବେ? ନୀତିଶଙ୍କୁ କଟାକ୍ଷ କରି ପ୍ରଶାନ୍ତ କହିଛନ୍ତି ଯାହାର ନିଜ ଘର ଠିକ ନାହିଁ ସେ ସାରା ଦୁନିଆ ବୁଲି ଅନ୍ୟ ଘର ସଜାଡିବାକୁ ଉଦ୍ୟମ କରିବା ଅର୍ଥ ନା ସେ ଘରର ହୁଏ ନା ବାହାରର।
ପ୍ରଶାନ୍ତ କିଶୋର କହିଛନ୍ତି ନୀତିଶ କୁମାର ଆଜି ଯାହା କରୁଛନ୍ତି, ସେହି କାମ 5 ବର୍ଷ ପୂର୍ବେ ତତ୍କାଳୀନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ କରୁଥିଲେ । ସ୍ଥିତି କଣ ହେଲା? 2019 ନିର୍ବାଚନରେ ଟିଡିପିର ସାଂସଦ ସଂଖ୍ୟା 3କୁ ଖସିଆସିଲା । ବିଧାୟକ 23ରେ ସୀମିତ ହୋଇଗଲେ । ନିଜେ ଚନ୍ଦ୍ରବାବୁ ନାଇଡୁ କ୍ଷମତାଚ୍ୟୁତ ହୋଇଗଲେ । ନିତୀଶ କୁମାରଙ୍କୁ ବିହାର ଚିନ୍ତା କରିବା ଦରକାର । ସେ ବିହାରର ମୁଖ୍ୟମନ୍ତ୍ରୀ । ବିହାରରେ ଆରଜେଡିର ସାଂସଦ ଶୁନ । କିନ୍ତୁ ସେହି ଦଳ ଆଜି ପ୍ରଧାନମନ୍ତ୍ରୀ କିଏ ହେବ ତାହା ନିଷ୍ପତ୍ତି ନେବାକୁ ଅଣ୍ଟା ଭିଡିଛି । ଏହି ଠାରୁ ଅନୁମେୟ ଏହି ଦଳର ସ୍ଥିତି କଣ ? ଏମାନଙ୍କ ବିଚାର କଣ ? ଏମାନଙ୍କର ଶକ୍ତି କଣ?
ପ୍ରଶାନ୍ତ ଆହୁରି କହିଛନ୍ତି ନୀତିଶ କୁମାର ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ । ମମତା ବାନାର୍ଜୀଙ୍କୁ ପଚାରିଲେ କି ? ଟିଏମସି କଂଗ୍ରେସ ସହିତ ମିଶି କାମ କରିବାକୁ ଆଗ୍ରହୀ କି ? କଣ ନୀତିଶ କୁମାର ଓ ଲାଲୁ ପ୍ରସାଦ ଯାଦବ ବିହାରରେ ଟିଏମସିକୁ ଗୋଟିଏ ହେଲେ ଆସନ ଛାଡିଦେବେ କି ନିର୍ବାଚନ ଲଢିବା ପାଇଁ ? ଆପଣ ମାନେ ମୋ କଥା ଲେଖି ରଖନ୍ତୁ ନୀତିଶଙ୍କର ସେହି ସ୍ଥିତି ହେବ ଯେଉଁ ସ୍ଥିତି ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କର ହୋଇଛି ।