ନୂଆଦିଲ୍ଲୀ: ପିଏମ ମୋଦିଙ୍କ 2.0 କାର୍ଯ୍ୟକାଳରେ ସମ୍ଫ୍ରସାରଣ ହୋଇଛି ମନ୍ତ୍ରୀମଣ୍ଡଳ । ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣରେ 43 ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ବିଶେଷ କରି ଯୁବ ଚେହେରାକୁ ପ୍ରାଧାନ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସମ୍ଫ୍ରସାରଣରେ ମୋଦି କ୍ୟାବିନେଟରେ ସର୍ବକନିଷ୍ଠ ମନ୍ତ୍ରୀ ହୋଇଛନ୍ତି ପଶ୍ଚିମବଙ୍ଗ କୁଚବିହାରର ସାଂସଦ 35 ବର୍ଷୀୟ ନିଶିଥ ପ୍ରମାଣିକ।
ପଶ୍ଚିମବଙ୍ଗ କୁଚବିହାର ସାଂସଦ ହେଉଛନ୍ତି ନିଶିଥ ପ୍ରମାଣିକ। ପଶ୍ଚିମବଙ୍ଗ ବିଜେପିର ଏକ ଯୁବ ଚେହେରା ଭାବେ ବେଶ ସଫଳତା ହାସଲ କରିଛନ୍ତି ନିଶିଥ । ସେ ଉଭୟ ସାଂସଦ ଓ ବିଧାୟକ ପଦବୀରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି । ପଶ୍ଚିମବଙ୍ଗରେ ବିଜେପିକୁ ଏକ ନୂତନ ସ୍ତରକୁ ଆଣିବାରେ ତାଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।ପଶ୍ଚିମବଙ୍ଗରେ ବିଜେପି ସଂଘର୍ଷ କରୁଥିବାବେଳେ ଏକ ଯୁବ ଚେହେରା ଭାବରେ ଦଳକୁ ସଂଗଠିତ କରି ଟିଏମସି ହିଂସା ବିରୋଧରେ ଲଢେଇ ଜାରି ରଖିଛନ୍ତି ସେ ।
ନିଶିଥ ପ୍ରମାଣିକ ପ୍ରଥମେ ତୃଣମୂଳ କଂଗ୍ରେସରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । 2019 ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ । ବିଜେପି ଟିକେଟରେ କୁଚବିହାର ଲୋକସଭା ଆସନରୁ ସେ ପ୍ରାର୍ଥୀ ହୋଇଥିଲେ । ଏହି ନର୍ବାଚନରେ ଟିଏମସି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ ନିଶିଥ ପ୍ରମାଣିକ । ସେହିପରି 2021 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦିନହାଟ ଆସନରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ ଏବଂ ବିଜୟ ହାସଲ କରିଥିଲେ । ଶେଷରେ ଦଳର ନିର୍ଦ୍ଦେଶ ଅନୁସାରେ ସାଂସଦ ପଦବୀକୁ ବଜାୟ ରଖି ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ।
ସେପଟେ ପଶ୍ଚିମବଙ୍ଗରେ ଅନ୍ୟ ଦୁଇ ଜଣ ମଧ୍ୟ ମନ୍ତ୍ରୀମଣ୍ଡଳ ସମ୍ଫ୍ରସାରଣରେ ସାମିଲ ହୋଇଛନ୍ତି । ଅଲିପୁରଦୁଆର ସାଂସଦ ଜନ ବାର୍ଲା ଓ ବନଗାଁ ସାଂସଦ ଶାନ୍ତନୁ ଠାକୁର ମଧ୍ୟ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ନେଇଛନ୍ତି । ସୂଚନାଥାଉକି ପିଏମ ମୋଦିଙ୍କ କ୍ୟାବିନେଟରେ ସମ୍ଫ୍ରସାରଣରେ ମୋଟ 13 ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଏଥର ନୂଆ ମନ୍ତ୍ରୀମଣ୍ଡଳରେ ଯୁବ, ଉଚ୍ଚଶିକ୍ଷିତ ଓ ଦକ୍ଷତାପୂର୍ଣ୍ଣ ପୂର୍ବତନ ପ୍ରଶାସନିକ ଆଧିକାରୀ ମଧ୍ୟ ସାମିଲ ହୋଇଛନ୍ତି । ସେହିପରି ମହିଳାଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି ।