ଶ୍ରୀଗନଗର: ଇଦ ଅବସରରେ କାଶ୍ମୀରରେ ମଟନକୁ ନେଇ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ଚାହିଦା । ଇସଲାମ ଧର୍ମମାସ ରମଜାନର ଅନ୍ତିମ ପର୍ବ ଇଦ-ଉଲ-ଫିତର ଅବସରରେ କେବଳ ଗୋଟିଏ ଦିନର କାଶ୍ମୀରରେ ବ୍ୟବସାୟ ହୋଇଛି 100 କୋଟି ଟଙ୍କାର ମଟନ । ପ୍ରାୟ ଏକ ମାସ ଉପବାସ କରିବା ପରେ ଇଦ ଅବସରରେ ମଟନ ଖାଇବାର ଅହେତୁକ ଆଗ୍ରହ ଦେଖାଇଛନ୍ତି କାଶ୍ମୀରବାସୀ । ତଥାପି ବ୍ୟବସାୟୀ ସଂଘ କହିଛି ଏହି ପରିମାଣ ଗତବର୍ଷଗୁଡିକ ଠାରୁ କମ ।
ଅଲ କାଶ୍ମୀର ହୋଲସେଲ ମଟନ୍ ଡିଲର୍ସ ଆସୋସିଏସନର ସଭାପତି ମନଜୁର୍ ଅହମ୍ମଦ କାନୁନ୍ କହିଛନ୍ତି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମଟନ୍ ଚାହିଦା ମଧ୍ୟ କମ୍ ଥିଲା । କିନ୍ତୁ ମୋଟ 100 କୋଟିର ବ୍ୟବସାୟ ହୋଇଛି । ଗତ ବର୍ଷମାନଙ୍କରେ ଏହି ବ୍ୟବସାୟ ପରିମାଣ ଅଧିକ ଥିଲା ବୋଲି ସେ ମତ ଦେଇଥିଲେ ।
ମଟନ୍ ଡିଲର ସଂଘର ସୂଚନା ଅନୁସାରେ, କାଶ୍ମୀରରେ ଚାହିଦାକୁ ଦେଖି, ଇଦ୍-ଉଲ୍-ଫିତରର ଏକ ସପ୍ତାହ ପୂର୍ବରୁ ଦିଲ୍ଲୀ, ରାଜସ୍ଥାନ ଏବଂ ଦେଶର ଅନ୍ୟାନ୍ୟ ବଜାରରୁ ପ୍ରାୟ 650 ଟ୍ରକରେ ପ୍ରାୟ 97,000 ମେଣ୍ଢା ଓ ଛେଳି ଆମଦାନୀ କରିଥିଲେ ଶତାଧିକ ମଟନ ବ୍ୟବସାୟୀ । କାଶ୍ମୀର ମଟନ୍ ବଜାରକୁ ଅଧିକାଂଶ ମାଲ ଦିଲ୍ଲୀ ଏବଂ ରାଜସ୍ଥାନ ବଜାରରୁ ଆସିଥାଏ । ତେବେ ମଟନ ପ୍ରତି ଚାହିଦା ରହିଥିଲେ ମଧ୍ୟ କାଶ୍ମୀରବାସୀ ମେଣ୍ଢା ମାଂସକୁ ଅଧିକ ପସନ୍ଦ କରନ୍ତି । ବ୍ୟବସାୟ ପରେ ଗୋଟିଏ ଦିନରେ ପ୍ରାୟ 100 କୋଟି ହୋଇଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ